ଭୁବନେଶ୍ବର: ତିନିଦିନ ପରେ ଛାଡ଼ଖାଇ। ମାସେ ଧରି ନିରାମିଷ ପାଳିଥିବା ଲୋକେ ଛାଡ଼ଖାଇରେ ଆମିଷରେ ମୁହଁ ମାରିବେ। କିନ୍ତୁ ଏହା ପୂର୍ବରୁ ୟୁନିଟ୍-୪ ହାଟର ମାଛ ଓ ମାଂସ ଦୋକାନ ଛାରଖାର କରି ଦିଆଯାଇଛି। ଦୋକାନ ସବୁକୁ ଭାଙ୍ଗି ଦିଆଯାଇଛି। ଏହାକୁ ନେଇ ୟୁନିଟ୍-୪ ହାଟର ମାଂସ, ମାଛ ବ୍ୟବସାୟୀମାନେ ଚିନ୍ତାରେ ପଡ଼ିଛନ୍ତି। ମାସେ ହେଲାଣି ବେପାର ନ ଥିବାରୁ ଚିନ୍ତାରେ ଥିବା ଏହି ଆମିଷ ଦୋକାନୀମାନେ ଆଗକୁ ଛାଡ଼ଖାଇରେ ଭଲ ଦୁଇ ପଇସା ରୋଜଗାର କରିବେ ବୋଲି ଆଶା ରଖିଥିଲେ। କିନ୍ତୁ ଦୋକାନ ଭଙ୍ଗାଯିବାରୁ ଦୋକାନୀ ବେପାର ମାଡ଼ ହେବା ଚିନ୍ତାରେ ରହିଛନ୍ତି। ଛାଡ଼ଖାଇ ପୂର୍ବରୁ ଏଭଳି କାର୍ଯ୍ୟାନୁଷ୍ଠାନକୁ ନିଖିଳ ଓଡ଼ିଶା ଆମିଷ ବ୍ୟବସାୟୀ ମହାସଂଘ, ୟନିଟ୍-୪ ଭୌମ୍ୟନଗର ବ୍ୟବସାୟୀ ସଂଘ ଏବଂ କ୍ଷତିଗ୍ରସ୍ତ ମାଛ ଓ ମାଂସ ଦୋକାନୀମାନେ ବିରୋଧ କରିଛନ୍ତି। ଏ ସଂପର୍କରେ ଦୋକାନୀମାନେ ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି) ମେୟର ସୁଲୋଚନା ଦାସଙ୍କୁ ଭେଟି ଅଭିଯୋଗ କରିଛନ୍ତି। କିନ୍ତୁ କର୍ପୋରେସନ୍ ବୈଠକ ଥିବାରୁ ମେୟର ସୋମବାରକୁ ମେୟର ଆଲୋଚନା ପାଇଁ ଡାକିଥିବା ମାଂସ ବ୍ୟବସାୟୀ ଏସ୍ କେ ହୁସେନ୍ କହିଛନ୍ତି।

Advertisment

ଭାଙ୍ଗିଦେଲେ ମାଛ, ମାଂସ ଦୋକାନ
ମେୟରଙ୍କୁ ଭେଟିଲେ ଦୋକାନୀ, ୬ ତାରିଖରେ ଆଲୋଚନା

ୟୁନିଟ୍-୪ ଆମିଷ ବଜାର ଭୁବନେଶ୍ବରର ସବୁଠୁ ବଡ଼ ଆମିଷ ବଜାର। ଦୈନିକ କ୍ବିଣ୍ଟାଲ କ୍ବିଣ୍ଟାଲ୍ ମାଛ, ମାଂସ ଏଠାରେ ବେପାର ହୋଇଥାଏ। ରାଜଧାନୀର ଅଧିକାଂଶ ଲୋକ ଏହି ବଜାର ଉପରେ ନିର୍ଭରଶୀଳ। ଏଣୁ ଦୋକାନୀମାନେ ଏଥର ଛାଡ଼ଖାଇରେ ଭଲ ବେପାର କରିବାର ଆଶା ରଖିବା ସ୍ବାଭାବିକ। ଏଥିପାଇଁ ଦୋକାନୀମାନେ ଆଗୁଆ ଖାସି ବି ବରାଦ ଦେଇ ସାରିଥିଲେ। ମାଛଦୋକାନୀମାନେ ମାଛ ବି ଅଧିକ ମଗାଇଥିଲେ। କିନ୍ତୁ ଏହା ପୂର୍ବରୁ ଗତ ୩୦ ତାରିଖରେ ୟୁନିଟ୍-୪ ହାଟର ମାଛ, ମାଂସ ଦୋକାନକୁ ଉଚ୍ଛେଦ କରାଯାଇଛି। ଏଣୁ ଆଗାମୀ ଛାଡ଼ଖାଇରେ ମାଛ, ମାଂସ ଅଭାବର ଆଶଙ୍କା ଦେଖାଦେଇଛି। ଯେତିକି ମାଛ, ମାଂସ ବଜାରରେ ଉପଲବ୍ଧ ହେବ, ତାହା ଲୋକଙ୍କ ଆବଶ୍ୟକତା ମେଣ୍ଟାଇ ପାରିବନି। ଏଣୁ ମାଛ, ମାଂସର କଳାବଜାରି ହେବ, ନଚେତ୍‌ଚଢ଼ା ଦରରେ ବିକ୍ରି ହେବ ବୋଲି ସାଧାରଣରେ ମତପ୍ରକାଶ ପାଇଛି।  ଭୌମନଗର ବ୍ୟବସାୟୀ ସଂଘ ସଂପାଦକ ବଦ୍ରୀନାରାୟଣ ମିଶ୍ର କହିଛନ୍ତି, ବିଏମ୍‌ସି ଯେତିକି ଜାଗା ମାଛ, ମାଂସ ଦୋକାନୀଙ୍କୁ ବେପାର କରିବାକୁ ଦେଇଛି, ସେତିକି ଜାଗା ଯଥେଷ୍ଟ ନ ଥିବାରୁ ପୂର୍ବରୁ ବିଏମ୍‌ସି କମିସନର୍ ଓ ଅନ୍ୟ ଅଧିକାରୀଙ୍କ ଆପୋସ ବୁଝାମଣାରେ ଏମାନେ ଦୋକାନ ବଢ଼ାଇଥିଲେ। କିଏ କେତେ ଦୋକାନ ବଢ଼ାଇବ, ତାହା ବିଏମ୍‌ସି ଜାଣତରେ ହୋଇଥିଲା। ଏବେ ଯେହେତୁ ନୂଆ କମିସନର୍, ସେ ପୂର୍ବ ବ୍ୟବସ୍ଥା ଜାଣି ନଥିବାରୁ ଏଭଳି ଉଚ୍ଛେଦ କରାଯାଇଛି। କମିସନର୍ ଚଞ୍ଚଳ ରାଣା ବି ଗତ ୨୫ ତାରିଖରେ ଆସି ମାର୍କେଟ୍ ସ୍ଥିତି ଅନୁଧ୍ୟାନ କରିଥିଲେ। ଆଶା କରାଯାଏ କମିସନର୍ ନିଶ୍ଚିତ ମାଛ, ମାଂସ ଦୋକାନୀଙ୍କ ଦୁଃଖ ବୁଝିବେ। ଆସନ୍ତା ସୋମବାର ଆମେ ମେୟରଙ୍କୁ ଭେଟି ଏ ସଂପର୍କରେ ଆଲୋଚନା କରିବୁ। ଅପରପକ୍ଷେ ଯେଉଁ ଦୋକାନୀମାନେ ଜବରଦଖଲ କରିଥିଲେ, ରାସ୍ତାକୁ ମାଡ଼ି ବସିଥିଲେ, ସେମାନଙ୍କୁ ଉଚ୍ଛେଦ କରାଯାଇଛି ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି।