ଦାଦାବଟି ମାଗିବା ଅଭିଯୋଗରେ ୨ଗିରଫ, ଲୁହାରଡ୍ ଜବତ

ଭୁବନେଶ୍ବର: ଦାଦାବଟି ନ ଦେବାରୁ ଜଣେ ସୁରକ୍ଷା କର୍ମୀଙ୍କୁ ମାଡ଼ ମାରିବା ଅଭିଯୋଗରେ ମଞ୍ଚେଶ୍ବର ଥାନା ପୁଲିସ ୨ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ, ଗଂଜାମ ଛତ୍ରପୁରର ଧନଞ୍ଜୟ ଆଚାର୍ଯ୍ୟ ଓ ଖୋର୍ଦ୍ଧା ଟାଙ୍ଗୀର ବିଶ୍ବନାଥ ଜେନା। ପୁଲିସ୍‌ ସେମାନଙ୍କଠାରୁ ଆକ୍ରମଣରେ ବ୍ୟବହୃତ ୨ଟି ଲୁହାରଡ୍‌ ମଧ୍ୟ ଜବତ କରିଛି। ଏ ସଂପର୍କରେ ରାଜେଶ ସେଠୀ ନାମକ ଜଣେ ସୁରକ୍ଷା କର୍ମୀ ଅଭିଯୋଗ କରିଥିଲେ।
ସୂଚନାନୁସାରେ, ସୁପରକ୍ଲାସ କଣ୍ଟ୍ରାକ୍ଟର୍ ବିଜନ କୁମାର ପରିଡ଼ା ଭୋଟପଡ଼ା ବ୍ରିଜ୍ ମରାମତି ପାଇଁ ଆର୍‌ଡି ବିଭାଗରୁ ଟେଣ୍ଡର୍ ପାଇଛନ୍ତି।

ବ୍ରିଜ୍ କାମ ବେଳେ କାର୍ଯ୍ୟର ଦେଖାରଖା କରିବା ପାଇଁ ବିଜନ ସୁରକ୍ଷା କର୍ମୀ ଭାବେ ରାଜେଶଙ୍କୁ ନିୟୋଜିତ କରିଥିଲେ। ରାଜେଶ ଆଜି ବ୍ରିଜ୍ ଉପରେ ଛିଡ଼ା ହୋଇଥିବା ବେଳେ ଧନଞ୍ଜୟ ଓ ବିଶ୍ବନାଥ ତାଙ୍କୁ ବଟି ମାଗିଥିଲେ। ଟଙ୍କା ନ ଦେଲେ ଏଠାରେ ବ୍ରିଜ୍ କାମ ହୋଇପାରିବ ନାହିଁ ବୋଲି ଉଭୟ ତାଙ୍କୁ ଧମକାଇଥିଲେ। କିନ୍ତୁ ରାଜେଶ ଟଙ୍କା ନ ଦେବାକୁ ସିଧାସଳଖ ମନା କରିଦେବାରୁ ଅଭିଯୁକ୍ତଦ୍ବୟ ସେଠାରେ ପଡ଼ିଥିବା ୨ଟି ଲୁହାରଡ୍‌ରେ ତାଙ୍କୁ ଆକ୍ରମଣ କରି ଲହୁଲୁହାଣ କରିଦେଇଥିଲେ। ଖବର ପାଇ ପିସିଆର୍ ଉଭୟଙ୍କୁ ଘଟଣାସ୍ଥଳରୁ କାବୁ କରିଥିଲା। ଅପରାହ୍‌ଣରେ ସେମାନଙ୍କୁ କୋର୍ଟଚାଲାଣ କରାଯାଇଛି। ଧନଞ୍ଜୟ ଓ ବିଶ୍ବନାଥ ନାଁରେ ବିଭିନ୍ନ ଥାନାରେ ଏକାଧିକ ଆପରାଧିକ ମାମଲା ଥିବା ପୁଲିସ ସୂଚନା ଦେଇଛି। ସୂଚନାଯୋଗ୍ୟ, ‘ଦାଦାବଟିକୁ ନା’ ଅଭିଯାନରେ କମିସନରେଟ୍ ପୁଲିସ ଚଳିତବର୍ଷ ୩୮ଜଣଙ୍କୁ ଗିରଫ କରିସାରିଲାଣି।

ସମ୍ବନ୍ଧିତ ଖବର