ସ୍କୁଲ ବସ୍ ଭିତରୁ ମିଳିଲା ଭିକାରିର ଶବ; ଜ୍ୱର ହୋଇଥିଲା, ଖାଇବାକୁ ନ ପାଇ ମରିଗଲା!

ସ୍ଥାନୀୟ ଲୋକେ ଶବ ଚିହ୍ନଟ କରିଛନ୍ତି: ପୁଲିସ
ଏଯାଏ ଯାଁଳା ଫାଣ୍ଡିରୁ ଜବତ କଙ୍କାଳର ପରିଚୟ ମିଳିନି

ଭୁବନେଶ୍ବର : ନୂଆପଲ୍ଲୀ ଥାନା ଅଧୀନସ୍ଥ ଏନ୍‌-୨ର ଏକ ଘରୋଇ ଇଂରାଜୀ ବିଦ୍ୟାଳୟର ବସ୍‌ରୁ ପୁଲିସ ବୁଧବାର ଅପରାହ୍‌ଣ ୪ଟା ବେଳେ ଏକ ଅଜଣା ଶବ ଉଦ୍ଧାର କରିଛି। ଶବର ସମ୍ପୂର୍ଣ୍ଣ ପରିଚୟ ବା କେହି ଦାବିଦାର ଏ ପର୍ଯ୍ୟନ୍ତ ମିଳି ନଥିବା ବେଳେ ପ୍ରାଥମିକ ତଦନ୍ତରୁ ଏହା ଜଣେ ଭିକାରିର ଶବ ବୋଲି ପୁଲିସ ପ୍ରକାଶ କରିଛି। ଭିକାରିକୁ ସ୍ଥାନୀୟ ଅଞ୍ଚଳରେ ଲୋକେ ସୀତାରାମ ବୋଲି ଡାକୁଥିଲେ। ସେ କିଛି ଲୋକଙ୍କ ଘରେ କାମ କରୁଥିଲା ଏବଂ ରାତିରେ ଲୋକଙ୍କ ବାରଣ୍ଡାରେ ନଚେତ୍ କେଉଁ ଗାଡ଼ିର ପଛ ସିଟ୍‌ରେ ଶୋଇ ପଡ଼ୁଥିଲା। ଲକ୍‌ଡାଉନ୍ ପ୍ରାରମ୍ଭରୁ ସବୁ ସ୍କୁଲ୍‌, କଲେଜ୍ ବନ୍ଦ ଥିବାରୁ ଉକ୍ତ ଘରୋଇ ସ୍କୁଲ୍‌ର ବସ୍ ସବୁ ଏହିଠାରେ ପଡ଼ି ରହିଥିଲା। ସମ୍ଭବତଃ ଗୋଟିଏ ବସ୍‌ର ଡୋର ଲକ୍ ଖୋଲାଥିବାରୁ ସୀତାରାମ ଲକ୍‌ଡାଉନ୍ ସମୟରୁ ହିଁ ଏହି ବସ୍‌ର ପଛ ସିଟ୍‌ରେ ଶୋଇ ଆସୁଥିଲା। ଗତ ସପ୍ତାହରେ ସେ ଜ୍ବରରେ ପୀଡ଼ିତ ଥିଲା। ଯେଉଁଥିପାଇଁ କୁଆଡ଼େ ଚଲାବୁଲା କରି ନ ପାରିବା ସହ କରୋନା ପାଇଁ ଭିକ ମାଗିବାକୁ ଯାଇ ପାରୁନଥିଲା। ପ୍ରାୟ ୬ ଦିନ କାଳ ଏହି ବସ୍‌ର ପଛ ସିଟ୍‌ରେ ଅଖିଆଅପିଆ ପଡ଼ି ରହିବା ପରେ ଦୁଇଦିନ ତଳେ ତା’ର ମୃତ୍ୟୁ ହୋଇଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

ଗତକାଲି ସ୍ଥାନୀୟ ଅଞ୍ଚଳର ଜଣେ ଯୁବକ ତାଙ୍କ ପୋଷା କୁକୁରକୁ ସେଠାରେ ବୁଲାଇବାକୁ ଆଣିଥିବା ବେଳେ ବସ୍ ଭିତରୁ ପଚା ଦୁର୍ଗନ୍ଧ ଆସିଥିଲା। ଯେଉଁଥିପାଇଁ ତାଙ୍କ କୁକୁର ବାରମ୍ବାର ସେ ଗାଡ଼ି ପାଖକୁ ଦୌଡ଼ିଥିଲା। ତେବେ ବ୍ୟକ୍ତିଜଣଙ୍କର ସନ୍ଦେହ ହେବାରୁ ସେ ଗାଡ଼ି ନିକଟକୁ ଯାଇ ଦେଖିବାରୁ ଭିତରେ ସୀତାରାମର ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ଏହା ପରେ ସେ ନୂଆପଲ୍ଲୀ ପୁଲିସ୍‌କୁ ଖବର ଦେବା ପରେ ପୁଲିସ୍ ଆଜି ଶବକୁ ଉଦ୍ଧାର କରି କ୍ୟାପିଟାଲ୍ ହସ୍ପିଟାଲ୍‌କୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଅପରପକ୍ଷରେ ସ୍ଥାନୀୟ ଲୋକଙ୍କ ସୂଚନା ମୁତାବକ, ମୃତ ସୀତାରାମର ପରିବାର ଅଛି। ୩ବର୍ଷ ତଳେ ଅର୍ଥାତ୍ ୨୦୧୮ରେ ତା’ ପୁଅ ତାକୁ ନେବାକୁ ଆସିଥିଲା। ମାତ୍ର ସୀତାରାମ ଯିବାକୁ ରାଜି ନ ହେବାରୁ ତାକୁ ଛାଡ଼ି ପଳାଇଥିଲା। ହେଲେ ସୀତାରାମର ପରିବାର ସଂପର୍କରେ କୌଣସି ସ୍ଥାନୀୟ ଲୋକଙ୍କ ପାଖରେ ତଥ୍ୟ ନଥିବାରୁ ତା’ର ପ୍ରକୃତ ଠିକଣା ମିଳି ପାରିନାହିଁ।

ଅପରପକ୍ଷରେ ଯାଁଳା ଫାଣ୍ଡିରେ ଥିବା କାର୍‌ରୁ କଙ୍କାଳ ମିଳିବା ଘଟଣା ପରେ ରାଜଧାନୀରେ ଏହା ସେହିଭଳି ଦ୍ବିତୀୟ ଘଟଣା ହୋଇଥିବାରୁ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଯାଁଳା ଘଟଣାରେ ପୁଲିସ୍ ଏଯାବତ୍ ମୃତ ମହିଳାଙ୍କ ସଂପର୍କରେ କୌଣସି ତଥ୍ୟ ପାଇନଥିବା ବେଳେ ଆଜି ଉଦ୍ଧାର ହୋଇଥିବା ଶବ ସଂପର୍କରେ ବିସ୍ତୃତ ତଥ୍ୟ ପାଇବାକୁ ପୁଲିସକୁ କେତେ ଦିନ ଲାଗିବ, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସ୍ଥାନୀୟ ଲୋକଙ୍କ ସୂଚନା ମୁତାବକ, ଯଦି ଏହି ଶବ ସତରେ ସୀତାରାମର ହୋଇଥିବ, ତେବେ ପରିବାରଲୋକଙ୍କୁ ଖୋଜିବାରେ ବିଶେଷ ସମସ୍ୟା ହେବ ନାହିଁ।

ସମ୍ବନ୍ଧିତ ଖବର