ରାସ୍ତାରେ ପଡ଼ୁଛି ଛିଣ୍ଡା ପୋଷାକ, ମଇଳା ପାଣି
ଭୁବନେଶ୍ବର : ରାଜଧାନୀକୁ ଭିକାରିମୁକ୍ତ କରିବା ପାଇଁ ବିଏମ୍ସି ପକ୍ଷରୁ ଗଲା କିଛି ମାସ ହେବ ଜୋରଦାର୍ ଅଭିଯାନ ଚାଲିଛି। ମନ୍ଦିର, ପାର୍କ, ରାସ୍ତ ପାର୍ଶ୍ବ ଯେଉଁଠି ନିରାଶ୍ରିତ ନଜରରେ ପଡ଼ୁଛନ୍ତି ସମସ୍ତଙ୍କୁ ଉଠାଇ ନିଆଯାଉଛି। ଆଉ ବିଏମ୍ସିର ଏଭଳି ପଦକ୍ଷେପ ରାଜଧାନୀବାସୀ ଖୁବ୍ ପ୍ରଶଂସା ମଧ୍ୟ କରୁଛନ୍ତି। ହେଲେ ଏହି ଦିବ୍ୟାଙ୍ଗ, ଭିକ୍ଷୁକ ତଥା ନିରାଶ୍ରିତଙ୍କୁ ଉଦ୍ଧାର ପରର କାହାଣୀ ଅନୁଧ୍ୟାନ କଲେ ଏଭଳି ଯୋଜନା ଓ ଏହାର କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଉଦ୍ଧାର ହୋଇଆସିଥିବା ମାନସିକ ବିକାରଗ୍ରସ୍ତ ଭିକାରିମାନେ ସ୍ଥାନୀୟ ଲୋକଙ୍କ ଘରକୁ ଛେପ ପକାଇବା ସହ ଅସଭ୍ୟ ଭାଷାରେ ଗାଳିଗୁଲଜ ମଧ୍ୟ କରୁଛନ୍ତି। ଯାହାକୁ ନେଇ କଳିଙ୍ଗବିହାରସ୍ଥିତ କେ-୮ରେ ହୋଇଥିବା ଏକାମ୍ର ନିଳୟର ଏହି ଆଶ୍ରୟସ୍ଥଳୀ ପାଇଁ ସ୍ଥାନୀୟ ଅଞ୍ଚଳ ନର୍କ ପାଲଟିଗଲାଣି ବୋଲି କଳିଙ୍ଗନଗର ରେସିଡେଣ୍ଟ ଵେଲଫେୟାର ଆସୋସିଏସନ୍ ବିଏମ୍ସି କମିସନର୍ଙ୍କ ନିକଟରେ ଲିଖିତ ଅଭିଯୋଗ କରିଛି।
ପ୍ରାୟ ଦୁଇମାସ ହେଲା କେ-୮ର ୬୬୮ନଂ ପ୍ଲଟ୍ର ଏକ ଆଶ୍ରୟସ୍ଥଳୀରେ ୨୫ଜଣ ମହିଳାଙ୍କ ସମେତ ପ୍ରାୟ ୮୫ଜଣ ଭିକ୍ଷୁକ ତଥା ନିରାଶ୍ରିତଙ୍କୁ ରାଜଧାନୀର ବିଭିନ୍ନ ଅଞ୍ଚଳରୁ ଉଦ୍ଧାର କରି ରଖାଯାଇଛି। ୩ମହଲା ବିଶିଷ୍ଟ ଏହି କୋଠାରେ ୧୨ଟି କୋଠରି ମଧ୍ୟରୁ ତୃତୀୟ ମହଲାରେ ମହିଳା ନିରାଶ୍ରିତମାନେ ରହୁଥିବା ବାକି ଦ୍ବିତୀୟ ମହଲାରେ ୫୫ଜଣ ପୁରୁଷ ନିରାଶ୍ରିତ ରହୁଛନ୍ତି। ଉଦ୍ଧାର ନିରାଶ୍ରିତଙ୍କ ମଧ୍ୟରୁ ଅଧିକାଂଶ ମାନସିକ ବିକାରଗ୍ରସ୍ତ ହୋଇଥିବାରୁ ଘର ଭିତର ସବୁବେଳେ ଅଶ୍ଳୀଳ ଭାଷା ସାଙ୍ଗକୁ କୋଳାହଳରେ ଫାଟିପଡ଼ୁଛି। ଘର ଭିତରେ ରହୁଥିବା ନିରାଶ୍ରିତମାନେ ସେମାନଙ୍କ ଛିଣ୍ଡାମଇଳା ପୋଷାକକୁ ରାସ୍ତା ଉପରକୁ ଫୋପାଡ଼ୁଛନ୍ତି। ଏପରିକି ଖାଇ ସାରିବା ପରେ ଅଇଁଠା ଖଲିକୁ ମଧ୍ୟ ରାସ୍ତା ଉପରେ ପକାଇ ପଚତିଗନ୍ଧମୟ ପରିବେଶ ସୃଷ୍ଟି କରୁଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି।
ସ୍ଥାନୀୟ ବାସିନ୍ଦା ଦୀନବନ୍ଧୁ ନାୟକ କହିଛନ୍ତି; ଆଶ୍ରୟସ୍ଥଳୀ ପଛ ପାର୍ଶ୍ବରେ ତାଙ୍କ ଘର ରହିଛି। ଘରର ପଛ ଦୁଆର ବା ଝରକା ଖୋଲିଲେ ତାଙ୍କ ଘରକୁ ଛେପ ଫୋପାଡ଼ୁଛନ୍ତି। ବହୁତ ଅଭିଯୋଗ ପରେ ଏବେ ଛେପ ଫୋପାଡ଼ିବା ଯଦିଓ ବନ୍ଦ ହୋଇଛି ଘର ଭିତରୁ ସବୁ ବେଳେ ମଳମୂତ୍ରର ଦୁର୍ଗନ୍ଧ ବାହାରୁଛି। ଏପରିକି ନିରାଶ୍ରିତମାନେ ଯେଉଁଠି ରହୁଛନ୍ତି ସେହି ଘର ଦୁଆର ମୁହଁରେ ପରିସ୍ରା କରୁଥିବାରୁ ତାହା ଭାସି ଆସି ରାସ୍ତା ପାର୍ଶ୍ବରେ ଜମି ରହୁଛି।
କେ-୮ର ବରିଷ୍ଠ ନାଗରିକ ସଂଘର ସଂପାଦକ ସରୋଜ ମହାନ୍ତି କହିଛନ୍ତି, ଚାକିରି ଜୀବନରୁ ଅବସର ନେବା ପରେ ଘରଟିଏ ଶାନ୍ତିରେ ରହିବୁ ବୋଲି ଏଠାକୁ ଆସିଲୁ। ହେଲେ ଭୁବନେଶ୍ବରକୁ ଭିକାରିମୁକ୍ତ କରିବାକୁ ଯାଇ ଆମ ପାଇଁ ଏହି ଯୋଜନା ଅଭିଶାପ ପାଲଟିବ ବୋଲି କେବେ ଆଶା କରିନଥିଲୁ। ଗତ ୨୩ ଜୁନ୍ରେ ଆମେ ଏ ସଂପର୍କରେ ବିଏମ୍ସି କମିସନର୍ଙ୍କୁ ଚିଠି ଲେଖି ଅଭିଯୋଗ କରିଥିଲୁ। କୌଣସି ପଦକ୍ଷେପ ନିଆଗଲାନି। ବିଏମ୍ସି ଓଡ଼ିଶା ପତିତଉଦ୍ଧାର ସମିତିକୁ ନିରାଶ୍ରିତଙ୍କ ରକ୍ଷଣାବେକ୍ଷଣ ପାଇଁ ଦାୟିତ୍ବ ଦେଇଛି। ହେଲେ ଉକ୍ତ ସଂସ୍ଥା ୮୫ ଲୋକଙ୍କ ପାଇଁ ମାତ୍ର ଜଣେ ସୁରକ୍ଷାକର୍ମୀଙ୍କୁ ନିଯୁକ୍ତ କରିଛି। ସେ ବି ପୁଣି ୮ରୁ ୧୦ ଘଣ୍ଟା। ଯାହା ଫଳରେ ନିରାଶ୍ରିତଙ୍କ ମଧ୍ୟରେ ଥିବା ମାନସିକ ବିକାରଗ୍ରସ୍ତଙ୍କୁ ନିୟନ୍ତ୍ରଣ କରିହେଉନାହିଁ।
ଏନେଇ ବିଏମ୍ସିର ଅତିରିକ୍ତ ଡେପୁଟି କମିସନର୍ ଲକ୍ଷ୍ମୀକାନ୍ତ ସେଠୀ କହିଛନ୍ତି, ଏକାମ୍ର ନିଳୟ ଆରମ୍ଭ ହେବା ସମୟରେ ସ୍ଥାନୀୟ ବାସିନ୍ଦା ଖୁସିବ୍ୟକ୍ତ କରିବା ସହିତ ଆମକୁ ସହଯୋଗ କରିଥିଲେ। ଏବେ ହେଉଥିବା ସମସ୍ୟା ସଂପର୍କରେ କୌଣସି ଅଭିଯୋଗ ଆସିନାହିଁ। ବୋଧହୁଏ କମିସନର୍ଙ୍କ ପାଖରେ ଅଭିଯୋଗପତ୍ର ରହିଥିବ। ଏହା ଉପରେ ଏବେ କିଛି ପଦକ୍ଷେପ ନେବୁ। ଅପରପକ୍ଷରେ ପତିତ ଉଦ୍ଧାର ସମିତିର ମୁଖ୍ୟ ଆଭାରାଣୀ ଚୌଧୁରି କହିଛନ୍ତି, ଆମକୁ ହଠାତ୍ ଏଭଳି ଅଭିଯୋଗ କଲେ ଆମେ ସାଙ୍ଗେ ସାଙ୍ଗେ ୮୫ଜଣ ଭିକ୍ଷୁକ ଓ ଦିବ୍ୟାଙ୍ଗଙ୍କୁ ନେଇ କୁଆଡ଼େ ଯିବୁ? ଆମକୁ ଆଉ ଏକମାସ ସମୟ ଦିଆଯାଉ। ଭରତପୁର ଜିଏଛକରେ ନିର୍ମିତ ୧୦୦ ଶଯ୍ୟା ବିଶିଷ୍ଟ ଏକାମ୍ର ନିଳୟ ଘରର ନିର୍ମାଣ କାମ ଶେଷ ହେବା ପରେ ଆମେ ଭିକ୍ଷୁକ ଏବଂ ଦିବ୍ୟାଙ୍ଗଙ୍କୁ ସ୍ଥାନାନ୍ତର କରିବୁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/mental_illness_homeless.jpg)