ନାଗପୁରରୁ ଆସି ମାଗୁଛନ୍ତି ଭିକ; ବରବାଦ ହେଉଛି ଶୈଶବ, ହାତ ଟେକିଛି ପ୍ରଶାସନ

ଖଣ୍ଡଗିରି ମେଳା

ଖଣ୍ଡଗିରି : ନାଗପୁରରୁ ଆସି ଖଣ୍ଡଗିରି ମେଳାରେ ମାଗୁଛନ୍ତି ଭିକ। ଶିଶୁ, ମହିଳାଙ୍କୁ ମିଶାଇ ପ୍ରାୟ ୨୦୦ରୁ ଅଧିକ ଏଠାକୁ ଆସିଛନ୍ତି। ୪ରୁ ୬ ବର୍ଷ ପର୍ଯ୍ୟନ୍ତ ଶିଶୁମାନେ ଆସୁଥିବା ଶ୍ରଦ୍ଧାଳୁମାନଙ୍କୁ ଗୋଡ଼ାଇ ଗୋଡ଼ାଇତ କେତେ ବେଳେ କାନ୍ଦ ବୋବାଳି କରି ଭିକ ମାଗୁଛନ୍ତି। ନିରୀହ ଚାହାଣିରେ ଭାବପ୍ରବଣ ହୋଇତ ଆଉ କିଛି ସାମୟିକ ବିରକ୍ତିରୁ ରକ୍ଷା ପାଇବା ପାଇଁ ଲୋକେ ଭିକ ଦେଇ ପକାଉଛନ୍ତି। ଟଙ୍କାଏରୁ ୨୦ ଟଙ୍କା ପର୍ଯ୍ୟନ୍ତ ମଧ୍ୟ ଲୋକ ଭିକ ଦେଉଛନ୍ତି। ଏଥିପାଇଁ ଟଙ୍କା ଟିଏ ଦେଲେ ପିଲା ଆହୁରି ମାଗୁଛନ୍ତି। ମହିଳାମାନେ ମୁଖ୍ୟ ଦ୍ବାରରେ ବସି ରହି ଭିକ ମାଗିବା ସହିତ ଶିଶୁମାନଙ୍କ ଉପରେ ନଜର ରଖିଛନ୍ତି। ସେମାନେ ଯେମିତି ଆଗନ୍ତୁକଙ୍କ ପାଖରେ ଗୁମର ଖୋଲି ନଦିଅନ୍ତି ସେଥିପାଇଁ ଆଖିର ଭାଷା ମଧ୍ୟ ବ୍ୟବହାର କରନ୍ତି। ଦୂରରେ ଥାଇ ପୁରୁଷ ସମ୍ପର୍କୀୟମାନେ ଏହି ସବୁ ବ୍ୟବସ୍ଥା ପରିଚାଳନା କରନ୍ତି।

ଭିକ ମାଗୁଥିବା ଜଣେ ୫ ବର୍ଷିୟା ଶିଶୁ କହନ୍ତି, ସେମାନେ ପ୍ରାୟ ୪୫ ଜଣ ଆସିଛନ୍ତି। ଅନ୍ୟାନ୍ୟ ଗ୍ରୁପରେ ଆହୁରି ଅନେକ ଅଛନ୍ତି। ଦିନ ତମାମ ଭିକ ମାଗିବା ପରେ ସଂଧ୍ୟାରେ ଯାହା ପାଆନ୍ତି ଘରେ ଦିଅନ୍ତି। ଅନେକ ସମୟରେ ଟଙ୍କା ପାଇଁ ମାଡ଼ ଖାଇବାକୁ ପଡ଼େ। କିଛି ଶିଶୁ ବାପା, ମାଙ୍କ ସହିତ ଆସିଛନ୍ତିତ ଆଉ କେହି ସମ୍ପର୍କୀୟଙ୍କ ସହିତ ଆସିଛନ୍ତି। ମହିଳା ଭିକାରି କହନ୍ତି, ମାଘ ମେଳା ଅବସରରେ ବର୍ଷକୁ ଥରୁଟିଏ ଭୁବନେଶ୍ବର ଆସନ୍ତି। ଧାନ କାଟିବା ପରେ ଗାଁରେ କାମ ନଥିବାରୁ ବାଧ୍ୟ ହୋଇ ଏଭଳି ଭିକ ମାଗନ୍ତି। ଟ୍ରେନରେ ସେମାନେ ନାଗପୁରକୁ ଆସିଥିବା କହିଛନ୍ତି। ଅନ୍ୟଦିଗରେ ବାହାରୁ ଆସିଥିବା ଏହି ଭିକାରି ଦଳ ଖଣ୍ଡଗିରି ନିକଟସ୍ଥ ପ୍ରସ୍ତାବିତ ବସଷ୍ଟାଣ୍ଡ ପଡ଼ିଆରେ ରହୁଛନ୍ତି। ଏମାନଙ୍କ ମଧ୍ୟରୁ କେହି ଭିନ୍ନକ୍ଷମ ନୁହଁନ୍ତି। ସମସ୍ତଙ୍କ ହାତ,ଗୋଡ଼ ଠିକ ରହିଛି। ଏକ ରାକେଟରେ ଭିକ ମାଗୁଥିବା ସ୍ପଷ୍ଟ ହେଉଛି। ଏଥିରେ ଶିଶୁମାନଙ୍କୁ ଲଗାଇ ଲକ୍ଷାଧିକ ଟଙ୍କା ଅର୍ଜନ କରୁଛନ୍ତି। ଶୈଶବ ନଷ୍ଟ କରୁଛନ୍ତି। ପ୍ରଶାସନ ପକ୍ଷରୁ କାହିଁକି ସେମାନଙ୍କ ଉପରେ ଲଗାମ ଲଗାଯାଉ ନାହିଁ ଏହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର