ଜନପଥରେ ସର୍ଭେ ଆରମ୍ଭ, ସାରା ଭୁବନେଶ୍ବରରେ କେବେ?

ବିଏମ୍‌ସିକୁ ଆବର୍ଜନା ଚିନ୍ତା

ଭୁବନେଶ୍ବର: ବିଏମ୍‌ସିକୁ ଘାରିଛି ଆବର୍ଜନା ଚିନ୍ତା। କିନ୍ତୁ କେଉଁଠୁ କେତେ ଆବର୍ଜନା ବାହାରୁଛି ବା ‘ବଲ୍କ ଜେନେରେଟର’ କିଏ ସେ ହିସାବ ବିଏମ୍‌ସି ପାଖରେ ନାହିଁ। ସବୁ ଉପର ଠାଉରିଆରେ ଚାଲିଛି। ଏଣୁ ବିଏମ୍‌ସି ସଂଗ୍ରହ କରି ଚାଲିଯିବା ପରେ ରାସ୍ତା ଉପରେ କୁଢ଼ କୁଢ଼ ଆବର୍ଜନା ଗଦା ହେଉଛି। ଏଭଳି ଖବର ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ ବିଏମ୍‌ସି ଚେତିଛି। ସ୍ମାର୍ଟ ଜନପଥ କଡ଼ରେ ଥିବା ବିଭିନ୍ନ ବ୍ୟା‌ବସାୟିକ ପ୍ରତିଷ୍ଠାନ, ହୋଟେଲ, ଆପାର୍ଟମେଣ୍ଟ ଓ ଅନ୍ୟ ସାଧାରଣ ଲୋକଙ୍କ ଘର ଘର ବୁଲି ସର୍ଭେ ଆରମ୍ଭ ହୋଇଛି। କିଏ କେତେ ଆବର୍ଜନା ସୃଷ୍ଟି କରୁଛି ସେ ନେଇ ତଥ୍ୟ ସଂଗ୍ରହ ଚାଲିଛି। ଏହି ସର୍ଭେ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍‌(ବିଏସ୍‌ସିଏଲ୍‌)ପକ୍ଷରୁ କରାଯାଉଛି। ସର୍ଭେରୁ ତଥ୍ୟ ମିଳିବା ପରେ ବା ଏହି ଅଞ୍ଚଳରୁ ଦୈନିକ କେତେ ଆବର୍ଜନା ବାହାରୁଛି ତାହା ଜଣାପଡ଼ିବା ପ‌ରେ ସେହି ଅନୁସାରେ ବିଏମ୍‌ସି ଗାଡ଼ି ଯୋଗାଇ ଦେବ। ଏହି ଅଞ୍ଚଳରୁ ଦିନକୁ ଦୁଇଥର ଆବର୍ଜନା ସଂଗ୍ରହ କରାଯିବ। ଯଦି ସ୍ମାର୍ଟ ଜନପଥରେ ଆବର୍ଜନାର ହିସାବ ପାଇବାକୁ ବିଏମ୍‌ସି ତତ୍ପର ହୋଇଛି ‌ତେବେ ସାରା ଭୁବନେଶ୍ବରରେ କାହିଁକି ନୁହେଁ ବୋଲି ପ୍ରଶ୍ନ ଉଠିଛି।

ଅନ୍ୟପଟେ ସର୍ଭେ ଆରମ୍ଭ ହେବା ପରେ ବଡ଼ ବଡ଼ ପ୍ରତିଷ୍ଠାନ ବା ବଲ୍କ ଜେନେରେଟରମାନଙ୍କ ନିଦ ହଜିଛି। ଏକାଧିକ ବଲ୍କ ଜେନେରେଟର ବିଏମ୍‌ସି କର୍ମଚାରୀଙ୍କୁ ହାତଗୁଞ୍ଜା ଦେଇ ବିଭିନ୍ନ ଏଜେନ୍ସିଙ୍କ ଜରିଆରେ ନିଜ ନିଜ ଆବର୍ଜନା ନିଷ୍କାସନ କରୁଥିଲେ। ବିଏମ୍‌ସି ସର୍ଭେ କରିଥିଲେ ଏହାକୁ ଲୁଚାଇବା ଆଶଙ୍କା ରହିଥିଲା। କିନ୍ତୁ ବିଏସ୍‌ସିଏଲ୍‌ ସର୍ଭେ କରୁଥିବାରୁ ସତ ପଦାକୁ ଆସିଯିବା ଆଶଙ୍କା ରହିଛି। ଅନ୍ୟପଟେ ସେମାନଙ୍କୁ ନିଜ ନିଜର ଆବର୍ଜନା ନିଜେ ପରିଚାଳନା କରିବାକୁ ବ୍ୟବସ୍ଥା କରିବାକୁ କଡ଼ା ନିର୍ଦ୍ଦେଶ ରହିଛି। କିନ୍ତୁ ଅର୍ଦ୍ଧାଧିକ ନିଜସ୍ବ ବ୍ୟବସ୍ଥା କରିନାହାନ୍ତି। ସର୍ଭେରେ ତାହା ମଧ୍ୟ ସ୍ପଷ୍ଟ ହେବାକୁ ଯାଉଛି। ଏଣୁ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବା ମଧ୍ୟ ଆଶଙ୍କା ରହିଛି। ସେଥିପାଇଁ ‘ବଲ୍କ ଜେନେରେଟର’ଙ୍କ ଚିନ୍ତା ବଢ଼ିଛି। ତେବେ କେବଳ ସ୍ମାର୍ଟଜନପଥରେ ଏଭଳି ବଲ୍କ ଜେନେ‌ରେଟର ନାହାନ୍ତି ବରଂ ସାରା ଭୁବନେଶ୍ବରରେ ଶହ ଶହ ଅଛନ୍ତି ଯେଉଁମାନେ ଟନ୍‌ ଟନ୍‌ ଆବର୍ଜନା ସୃଷ୍ଟି କରୁଛନ୍ତି। ନିଜର ଆବର୍ଜନା ପରିଚାଳନା ପ୍ରକଳ୍ପ ତିଆରି କରିବା ସର୍ତ୍ତରେ ଘର ତିଆରି ସ୍ବୀକୃତି ପାଇଥିଲେ ମଧ୍ୟ ପ୍ରକଳ୍ପ ପ୍ରତିଷ୍ଠା କରିନାହାନ୍ତି। ମୋଟା ଅଙ୍କର ହାତଗୁଞ୍ଜା ଦେଇ ନିଜର ଆବର୍ଜନା ଖଲାସ କରୁଛନ୍ତି।

ଏହି ଆବର୍ଜନା ଟିଟିଏସ୍‌କୁ ଓଜନ ହୋଇ ଯାଉଛି। ଓଜନ ଅନୁସାରେ ଏହି ଆବର୍ଜନା ପାଇଁ ସମ୍ପୃକ୍ତ ଏଜେନ୍ସି ଟଙ୍କା ନେଉଛି। ବିଏମ୍‌ସି ଏହି ବଲ୍କ ଜେନେରେଟରଙ୍କ ଆବର୍ଜନା ପାଇଁ ଏଜେନ୍ସିଙ୍କୁ ଟଙ୍କା ଦେଉଛି। କର୍ମଚାରୀମାନେ ଏଜେନ୍ସି ଠାରୁ ହାତଗୁଞ୍ଜା ନେଉଛନ୍ତି। ଏମାନଙ୍କ ପାଇଁ ବିଏମ୍‌ସି ଖର୍ଚ୍ଚାନ୍ତ ହେଉଛି। ବର୍ଷ ବର୍ଷ ଧରି ଏଭଳି ଚାଲିଥିଲେ ମଧ୍ୟ ବିଏମ୍‌ସି କାହିଁକି ଏମାନଙ୍କର ହିସାବ ରଖୁନାହିଁ କିମ୍ବା ସର୍ଭେ ଜରିଆରେ ଏମାନଙ୍କୁ ଚିହ୍ନଟ କରିବାକୁ ଚିନ୍ତା କରୁନାହିଁ ସେ ନେଇ ପ୍ରଶ୍ନ ଉଠିଛି।

ଏନେଇ ବିଏମ୍‌ସି ଡେପୁଟି କମିସନର (ପରିମଳ)ଶୁଭେନ୍ଦୁ ସାହୁ କହିଛନ୍ତି, ଏଭଳି ସର୍ଭେ ଉତ୍ତର ଜୋନ୍‌ରେ ଆରମ୍ଭ ହୋଇଛି। ଖୁବ୍‌ଶୀଘ୍ର ଏହା ସମଗ୍ର ଭୁବନେଶ୍ବରରେ ହୋଇ ତଥ୍ୟ ସଂଗ୍ରହ କରାଯିବ। ବଲ୍କ ଜେନେରେଟରଙ୍କ ସମେତ ଅନ୍ୟ ସାଧାରଣ ଲୋକଙ୍କ ଘରୁ ମଧ୍ୟ ତଥ୍ୟ ଅଣାଯିବ। ଏଥିରୁ କେତେ ଗାଡ଼ି ଆବଶ୍ୟକ ହେବ ତାହା ଜଣାପଡ଼ିବା ପରେ ଯୋଗାଇ ଦିଆଯିବ। ଏଣୁ ଆଉ ଆବର୍ଜନା ତଳେ ପଡ଼ିବ ନାହିଁ। ପୂର୍ବରୁ ବିଏମ୍‌ସିକୁ ଡଷ୍ଟବିନ୍‌ ମୁକ୍ତ କରାଯାଇଛି। ପ୍ରତ୍ୟେକ ଲୋକଙ୍କୁ ଓଦା ଶୁଖିଲା ପୃଥକ ପୃଥକ୍‌ କରି ଦେବାକୁ କୁହାଯାଇଛି। ଏବେ ବ୍ୟବସାୟୀଙ୍କ ଉପରେ ଫୋକସ୍‌ କରାଯାଇଛି। ଯେହେତୁ ସେମାନେ ରାସ୍ତା ଉପରେ ଆବର୍ଜନା ପକାଇ ଦେଉଛନ୍ତି ତେଣୁ ସେମାନଙ୍କ ଠାରୁ ଦିନକୁ ଦୁଇଥର ଆବର୍ଜନା ସଂଗ୍ରହ ହେଉଛି। ସର୍ଭେ ସରିବା ପରେ ପ୍ରତି ଘରୁ ଦୁଇଥର ଆବର୍ଜନା ସଂଗ୍ରହ କରାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର