ଶ୍ରୀନୃତ୍ୟୋତ୍ସବ ଆରମ୍ଭ, ‘ଓଡ଼ିଶୀର ପ୍ରଚାର ପ୍ରସାର ଜାତୀୟ କର୍ତ୍ତବ୍ୟ’

ଭୁବନେଶ୍ୱର: ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆ ଜାତିର ପ୍ରଥମ ପରିଚୟ। ଯେଉଁ କଥାକୁ ନେଇ ଏ ଜାତି ଓଡ଼ିଶା ବାହାରେ ପରିଚିତ ହୋଇଛି, ତାହା ହେଉଛି ପ୍ରସିଦ୍ଧ ‘ଓଡ଼ିଶୀ ନୃତ୍ୟ’। ତେଣୁ ଓଡ଼ିଶୀ ନୃତ୍ୟକଳାକୁ ବଞ୍ଚାଇ ରଖିବା ସହ ତାହାକୁ ଦେଶବିଦେଶରେ ପ୍ରଚାର ପ୍ରସାର କରାଇବା ହେଉଛି ଏକ ଜାତୀୟ କର୍ତ୍ତବ୍ୟ। ଆଜି ଭଞ୍ଜକଳା ମଣ୍ଡପରେ ଶ୍ରୀ ଡ୍ୟାନ୍ସ ଏକାଡେମି ପକ୍ଷରୁ ଆରମ୍ଭ ହୋଇଥିବା ‘ଶ୍ରୀନୃତ୍ୟୋତ୍ସବ’ ତଥା ୫ମ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ ଏହା କହିଛନ୍ତି।

ଅନୁଷ୍ଠାନର ସଭାପତି ପ୍ରଫୁଲ୍ଲ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଅବସରରେ ସେ ଆହୁରି କହିଲେ ଯେ ଗୋଟିଏ ଜାତିକୁ ମାରିବାକୁ ହେଲେ ତା’ର ଶିକ୍ଷାନୁଷ୍ଠାନଗୁଡ଼ିକୁ ଦୁର୍ବଳ କରିଦିଅ ବୋଲି କୁହାଯାଏ। କାରଣ ଶିକ୍ଷାନୁଷ୍ଠାନଗୁଡ଼ିକ ଗୋଟିଏ ଜାତିର ପ୍ରାଣକେନ୍ଦ୍ର। ଏବେ ଓଡ଼ିଶାରେ ଏଭଳି କିଛି ଅନୁଭବ ହେଉଛି। ଏହି ଘଡ଼ିସନ୍ଧି ସମୟରେ ଓଡ଼ିଶୀ ନୃତ୍ୟଶିଳ୍ପୀ ନମିତା ରାୟ ଶ୍ରୀ ଡ୍ୟାନ୍ସ ଏକାଡେମି ଭଳି ଏକ ଶିକ୍ଷାନୁଷ୍ଠାନ ଗଢ଼ି ଜାତୀୟ କର୍ତ୍ତବ୍ୟ ସଂପାଦନ କରିଛନ୍ତି ବୋଲି ସେ କହିଥିଲେ। କାର୍ଯ୍ୟକ୍ରମର ସମ୍ମାନିତ ଅତିଥି ‘ଇମ୍ଫା’ର ବରିଷ୍ଠ ମହାପ୍ରବନ୍ଧକ କିଶୋର ମୋହନ ମହାନ୍ତି, ଓଡ଼ିଶୀ ନୃତ୍ୟଶିଳ୍ପୀ ଚପଳା ମିଶ୍ର ଓ ସ୍ନେହପ୍ରଭା ସାମନ୍ତରାୟ ପ୍ରମୁଖ ଉପସ୍ଥିତ ରହି କଳାକାରମାନଙ୍କୁ ଉତ୍ସାହିତ କରିଥିଲେ।

ନୃତ୍ୟାଭିନୟର ପ୍ରଥମ ପର୍ଯ୍ୟାୟରେ କଳାକାରମାନେ ନମିତା ରାୟଙ୍କ ନୃତ୍ୟ ନିର୍ଦ୍ଦେଶନାରେ ଦଳଗତ ନୃତ୍ୟ ‘ୟୋଗକ୍ଷମମ୍ ବହାତ୍ମ୍ୟହମ୍’ ପରିବେଷଣ କରିଥିଲେ। ରାୟପୁରର ପୂର୍ଣ୍ଣଶ୍ରୀ ରାଉତ ଗୀତଗୋବିନ୍ଦର ‘ସଖୀ ହେ କେଶି ମଦନମୁଦ୍ରାରମ୍’, କୋଲକାତାର ଶତାବ୍ଦୀ ମଲ୍ଲିକ ଓ ଭୁବନେଶ୍ୱରର ଶ୍ରଦ୍ଧାଞ୍ଜଳି ରାଉଳଙ୍କ ଯୁଗଳ ନୃତ୍ୟ ‘ଜୟ ଭଗବତୀ ଦେବୀ ନମୋ ବରଦେ’, ଗୁରୁ ବ୍ରଜକିଶୋର ମଲ୍ଲିକଙ୍କ ନୃତ୍ୟବିଳାସ ଅନୁଷ୍ଠାନ ଅଭିନୟ ‘ଝୁଲଣ ଉତ୍ସବ’ ଏବଂ ଆୟୋଜକ ସଂସ୍ଥାର ଦଳଗତ ନୃତ୍ୟ ‘ଅଷ୍ଟଶମ୍ଭୁ’ ପରିବେଷଣରେ ଦର୍ଶକମାନେ ବିମୋହିତ ହୋଇଥିଲେ। ବିଶ୍ବଜିତ ବଳିଆରସିଂ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଆସନ୍ତାକାଲି ସଂଧ୍ୟାରେ ଏହି ଉତ୍ସବ ଉଦ୍‌ଯାପିତ ହେବ।

ସମ୍ବନ୍ଧିତ ଖବର