ରିମାଣ୍ଡରେ ଆସି ସତ ଉଗାରୁଛନ୍ତି ସଞ୍ଜୟ, ଶ୍ରୀକାନ୍ତ : ମୁଣ୍ଡ କାଟିବା ପରେ ମଦ ପିଇଥିଲେ

ହତ୍ୟାସ୍ଥଳକୁ ନେଇ କ୍ରାଇମ୍ ସିନ୍ ରିକ୍ରିଏଟ୍‌ କଲା ପୁଲିସ

ଭୁବନେଶ୍ବର : ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ଗିରଫ ଦୁଇ ଅଭିଯୁକ୍ତ ଅଙ୍ଗଦ ଦାସ ଓରଫ୍‌ ସଞ୍ଜୟ ଏବଂ ଶ୍ରୀକାନ୍ତ ତିନିଦିନିଆ ରିମାଣ୍ଡରେ ଆସିଛନ୍ତି। ଶନିବାର ଦିନ ଉଭୟ ଚନ୍ଦକା ଥାନା ପୁଲିସ ଆଗରେ ଘଟାଇଥିବା ହତ୍ୟାକାଣ୍ଡର ସମଗ୍ର ଦୃଶ୍ୟ ପୁନର୍ବାର ଉପସ୍ଥାପନ କରାଇଛନ୍ତି। ପୁଲିସ ଅଭିଯୁକ୍ତଙ୍କୁ ଘଟଣାସ୍ଥଳ ସମେତ ସେମାନେ ରହୁଥିବା ଫୁଲେଶ୍ବରୀ ବସ୍ତିକୁ ନେଇ ସେଦିନ ରାତିରେ କଣ କଣ ଘଟିଥିଲା ସେ ବାବଦରେ ଅବଗତ ହୋଇଛି। ବସ୍ତିରେ ରହୁଥିବା ମୁଖ୍ୟ ଅଭିଯୁକ୍ତ ସଞ୍ଜୟର ଘରୁ ପୁଲିସ ମୃତ ମହିଳାଙ୍କ ଆସିବାବପତ୍ର ସମେତ ହତ୍ୟାକାଣ୍ଡରେ ବ୍ୟବହୃତ ଓଢ଼ଣି ଚନ୍ଦକ‌ା ଜଙ୍ଗଲ‌ରେ ସେମାନେ ମଦ ପିଇ ଫିଙ୍ଗି ଦେଇଥିବା ଖାଲି ବୋତଲ ଜବତ କରିଛି। ସାଇଣ୍ଟିକ୍‌ ଟିମ୍‌ ବୋତଲ ଉପରୁ ଅଭଯୁକ୍ତମାନଙ୍କର ଫିଙ୍ଗରପ୍ରିଣ୍ଟ ସଂଗ୍ରହ କରିଛି। ରିମାଣ୍ଡର ଆଉ ଦୁଇଦିନ ବାକି ରହିଛି। ଏହି ଦୁଇଦିନରେ ଉଭୟ ଅଭିଯୁକ୍ତଙ୍କୁ ପୁଲିସ ନିଜ ନିଜ ଘରକୁ ନେଇ ସେଠାରୁ ଅଧିକ ପ୍ରମାଣ ଯୋଗାଡ଼ କରିବାକୁ ଉଦ୍ୟମ କରିବାକୁ ଯୋଜନା ଥିବା ଜଣାପଡ଼ିଛି।

ହତ୍ୟ‌ା ପରେ ଭିନ୍ନ ରୂପ ଦେବାକୁ ଯୋଜନା କରିଥି‌ଲେ
ପୁଷ୍ପଲତାଙ୍କ ତଣ୍ଟିକୁ ଓଢ଼ଣିରେ ଶ୍ବାସରୁଦ୍ଧ କରି ସଞ୍ଜୟ ହତ୍ୟା କରିବା ପରେ ତାକୁ ବୁଦ୍ଧି ବାଟ ଦିଶିନଥିଲା। କଣ କରିବ ଭାବି ସାଙ୍ଗ ଶ୍ରୀକାନ୍ତକୁ ଡାକିଥିଲା। ଉଭୟ ଏକାଠି ବସି ଯୋଜନା କରିଥିଲେ। ଚିନ୍ତା କରିଥିଲେ ଫ୍ୟାନ୍‌ରେ ଶବକୁ ଝୁଲାଇ ଦେବେ। ଭିତରପଟୁ କବାଟ ବନ୍ଦ କରି ଆଜ୍‌ବେଷ୍ଟସ ଭାଙ୍ଗି ବାହାରକୁ ବାହାରିଯିବେ। ଉଭୟଙ୍କ ସହମତିରେ ଏହି ଯୋଜନା ନିଶ୍ଚିତ ହୋଇଥିଲା। ଆଜ୍‌ବେଷ୍ଟସ ମଧ୍ୟ ଭଙ୍ଗା ହୋଇଯାଇଥିଲା। ହେଲେ କିଛି ସମୟ ପରେ ସେମାନେ ଚିନ୍ତା କରିଥିଲେ କି ବାହାରକୁ ବାହାରିବା ବେଳେ ଯଦି କିଏ ଦେଖି ନେଲା ତେ‌ବେ ଧରାପଡ଼ିବେ। ଏଣୁ‌ ଏହି ଯୋଜନା କାଟ୍‌ ଖାଇଥିଲା। ଆଜି ସଞ୍ଜୟ ପୁଲିସ ସହ ଫୁଲେଶ୍ବରୀ ବସ୍ତିରେ ଥିବା ନିଜ ଘରକୁ ଯାଇ ନିଜର କାର୍‌ନାମା ସମ୍ବନ୍ଧରେ ଅବଗତ କରାଇବା ପରେ ସମ୍ପୃକ୍ତ ଭଙ୍ଗା ଆଜ୍‌ବେଷ୍ଟସ ଖଣ୍ଡକୁ ଜବତ କରିଛି ଚନ୍ଦକା ପୁଲିସ। ଏହା ପରେ ସେମାନେ ରାସ୍ତାରେ ଶବ ପକାଇ ଗାଡ଼ି ଚଢ଼ାଇ ଦେଇ ପଳାଇବାକୁ ଯୋଜନା କରିଥିଲେ। ଫଳରେ ଏହା ଦୁର୍ଘଟଣାର ରୂପ ନେଇଥା’ନ୍ତା। କିନ୍ତୁ ବ୍ୟବଚ୍ଛେଦରେ ହତ୍ୟା ପରେ ଦୁର୍ଘଟଣା ବୋଲି ଜଣାପଡ଼ିଯିବା ଆଶଙ୍କା ଥିବାରୁ ଏହି ଯୋଜନା ମଧ୍ୟ ବାତିଲ ହୋଇଥିଲା। ଶେଷରେ ଦୁହେଁ ଜଙ୍ଗଲ ଭିତରେ ଶବର ମୁଣ୍ଡ କାଟି ଫିଙ୍ଗି ଦେବା ପାଇଁ ନିଷ୍ପତ୍ତି ନେଇଥିଲେ।

ସାକ୍ଷୀ ଖୋଜି ପୁଲିସ ନାକେଦମ୍
ବିଭିନ୍ନ ଜିନିଷ ଜବତ କଲା‌ବେଳ ପୁଲିସକୁ ସାକ୍ଷୀଙ୍କର ଆବଶ୍ୟକ ପଡ଼ିଥାଏ। ଆଜି ଘଟଣାସ୍ଥଳରେ ପୁଲିସ ମଦ ବୋତଲ ଜବତ କଲା ବେଳେ ସାକ୍ଷୀ ଖୋଜିଥିଲା। ଆଜିର ଏହି ‘ସିନ୍‌ ରିକ୍ରିଏସନ’କୁ ଦେଖିବା ପାଇଁ ପୂର୍ବଭଳି ଲୋକ ଗଦା ହୋଇଥିଲେ। ଏଣୁ ସାକ୍ଷୀ ଖୋଜିବାରେ ସମସ୍ୟା ହେବ ନାହିଁ ବୋଲି ପୁଲିସ ଭାବିଥିଲା। ହେଲେ ଯେତେବେଳେ ପୁଲିସ ସାକ୍ଷୀ ଖୋଜିଲା ସେତେବେଳେକୁ ଜାଗା ଫାଙ୍କା ହୋଇଗଲା। କେହି ଧରାଛୁଆଁ ଦେଲେନି। ଅବଶ୍ୟ ବହୁ ଖୋଜାଖୋଜି ପରେ ଦୁଇଜଣ ଯୁବକ ଯାହା ଯାହା ଦେଖିଲେ କହିବା ପାଇଁ ରାଜି ହୋଇଥିଲେ। ସେମାନଙ୍କୁ ପୁଲିସ ସାକ୍ଷୀ ଭାବରେ ନେଇଥିଲା।

ଭାବିଥିଲେ ଧରା ପଡ଼ିବେନି
ହତ୍ୟା କରିବା ପରେ ଉଭୟ ଦଶପଲ୍ଲା ଚାଲି ଯାଇ ସେଠାରେ ବେପାର ଆରମ୍ଭ କରିଥିଲେ। ଅଙ୍ଗଦ ଗାଡ଼ି ଚଳାଉଥିଲା, ଶ୍ରୀକାନ୍ତ ହେଲ୍‌ପର ସାଜିଥିଲା। ପ୍ରତ୍ୟେକ ଦିନ ଟିଭି ଓ ଖବରକାଗଜରୁ ସେମାନେ ଏହି ମାମଲାର ଅଗ୍ରଗତି ସମ୍ବନ୍ଧରେ ଅନୁସନ୍ଧାନ କରୁଥିଲେ। ପୁଲିସ ଅନ୍ଧାରରେ ବାଡ଼ି ବୁଲାଉଚି ଜାଣି ସୋମନେ ମନେ ମନେ ଖୁସି ଥିଲେ। ଭାବିଥିଲେ ଯେ ଧରାପଡ଼ିବେନି। ପୂର୍ବରୁ ଏଭଳି ଅନେକ ମାମଲା ଦବି ଯାଇଥିବାରୁ କିଛି ଦିନ ପରେ ଦବି ଯିବ ବୋଲି ଧରି ନେଇଥିଲେ। ହେଲେ ସେମାନଙ୍କ ଆଶା ମଉଳି ଯାଇଥିଲା।

ହତ୍ୟା ପରେ କରିଥିଲେ ଚିକେନ୍ ଭୋଜି
ପୁଷ୍ପଲତାଙ୍କୁ ହତ୍ୟା କରିବା ପରେ ସେମାନେ ସନ୍ଧ୍ୟାରେ ଆଇଗିଣିଆ ବଜାରରୁ ଚିକେନ୍‌, ଛୁରି ଓ ମଦ କିଣିଥିଲେ। ଛୁରିରେ ବେକ କାଟିବା ପାଇଁ ଯୋଜନା ଥିଲା। ତେବେ ଏହା ପୂର୍ବରୁ ଚିକେନ୍‌ ରୋଷେଇ ଆରମ୍ଭ ହୋଇଥିଲା। ମଦ ନ ପିଇଲେ ବେକ କାଟି ହେବନି ଭାବି ଖାଇବା ପୂର୍ବରୁ ମଦ ପିଇବା ପାଇଁ ସଞ୍ଜୟ କହିଥିଲା। ହେଲେ ମଦ ପିଇଦେଲେ କଣ ଭୁଲଭାଲ୍ ହୋଇଯାଇ ପାରେ, ଏଣୁ କାମ ସରିବା ପରେ ମଦ ସହ ମସ୍ତି କରିବା ବୋଲି ପରାମର୍ଶ ଦେଇଥିଲା ଶ୍ରୀକାନ୍ତ। ବସ୍ତିରେ ସମସ୍ତେ ଶୋଇଯିବା ପରେ ରାତି ୧୨ଟା ପାଖାପାଖି ସେମାନେ ନିଜ ପିକ୍‌ଅପ୍‌ ଭ୍ୟାନ୍‌ରେ ପୁଷ୍ପଲତାଙ୍କ ଶବକୁ ଧରି ବାହାରିଥିଲେ। ପ୍ରଥମେ ଜାଗା ଖୋଜିଥିଲେ କେଉଁଠି ଫିଙ୍ଗିବେ। ସଞ୍ଜୟ ନିଜ ଗାଡ଼ିରେ ଦାସପୁର ଓ ଅନ୍ଧାରୁଆ ଅଞ୍ଚଳକୁ ଜାଳେଣି ଗ୍ୟାସ୍‌ ନେଇ ନିୟମିତ ଯିବା ଆସିବା କରେ। ଏହି ରାସ୍ତା ଜଙ୍ଗଲିଆ ହୋଇଥିବାରୁ ଶବ ପକାଇବା ପାଇଁ ଏହି ସ୍ଥାନକୁ ସେମାନେ ବାଛିଥିଲେ। ଘଟଣାସ୍ଥଳ ବାଛିବା ପରେ ସେଠାରେ ମୁଣ୍ଡ କାଟିଥିଲେ। ମୁଣ୍ଡ କାଟିବା ପରେ ଏକ ବ୍ୟାଗ୍‌ରେ ମୁଣ୍ଡ ପୂରାଇ ଶବକୁ ରାସ୍ତା କଡ଼ରେ ଫିଙ୍ଗି ଦେଇଥିଲେ। ଶବ ପାଖରେ ବୁଦାମୂଳେ ବସି ସେମାନେ ପ୍ରାୟ ଅଧଘଣ୍ଟା ଧରି ମଦ ପିଇଥିଲେ। ଏହାପରେ ମୁଣ୍ଡକୁ ଧରି ବାହାରି ଆସିଥିଲେ। ତେବେ ଏହି ମୁଣ୍ଡକୁ କେଉଁଠି ଫିଙ୍ଗିବେ ସେ ନେଇ ଦୀର୍ଘ ସମୟ ଧରି ଜାଗା ଖୋଜିଥିଲେ। ଶେଷରେ ସରସ୍ବତୀ ଶିଶୁ ମନ୍ଦିର ସାମ୍ନାରେ ଫିଙ୍ଗି ଦେଇଥିଲେ।

ସମ୍ବନ୍ଧିତ ଖବର