ଭୁବନେଶ୍ୱର: ମାର୍କେଟ୍ ବିଲ୍ଡିଂ ପଛପାର୍ଶ୍ବରେ ଥିବା ପଟେଲ ବସ୍ତି ଓ ଆଖପାଖ ଅଞ୍ଚଳରେ ଉଠାଦୋକାନ ଉଚ୍ଛେଦ ବେଳେ ଆଜି ଉତ୍ତେଜନା ଦେଖାଦେଇଛି। ଉଚ୍ଛେଦ ବେଳେ ପାତରଅନ୍ତର ହେଉଥିବା ଅଭିଯୋଗ କରି ଉଠାଦୋକାନୀମାନେ ଜୋରଦାର ବିରୋଧ କରିଛନ୍ତି। ଏଥିପାଇଁ ଭୁବନେଶ୍ବର ମହାନଗର ନିଗମ ଏନ୍ଫୋର୍ସମେଣ୍ଟ୍ ଟିମ୍ ଓ ଉଠାଦୋକାନୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା। ପରେ ବିଧାୟକ ଅନନ୍ତ ନାରାୟଣ ଜେନା, ୪୦ ନମ୍ବର କର୍ପୋରେଟର୍ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଥଇଥାନ ନକରି ଉଚ୍ଛେଦ ବନ୍ଦ କରିବାକୁ କହିଥିଲେ। ସମସ୍ତଙ୍କ ପାଇଁ ନିୟମ ସମାନ ହେଉ ବୋଲି ମତ ରଖିଥିଲେ। ପରେ ଅଧାରୁ ଉଚ୍ଛେଦ ବନ୍ଦ କରି ଏନ୍ଫୋର୍ସମେଣ୍ଟ ଟିମ୍ ଫେରି ଆସିଛନ୍ତି।
ଆଜି ପୂର୍ବାହ୍ଣ ପ୍ରାୟ ୧୦ଟାରେ ଭୁବନେଶ୍ୱର ମହାନଗର ନିଗମର ଦକ୍ଷିଣ-ପୂର୍ବ ଜୋନାଲ୍ ଡେପୁଟି କମିସନର୍ଙ୍କ ନେତୃତ୍ବରେ ଏନ୍ଫୋର୍ସମେଣ୍ଟ୍ ଟିମ୍ ପଟେଲ୍ ବସ୍ତିରେ ଉଚ୍ଛେଦ ଆରମ୍ଭ କରିଥିଲେ। କିନ୍ତୁ ବାଟରେ ଜବରଦଖଲ ଜାଗାରେ ଚାଲିଥିବା ଏକ ହୋଟେଲକୁ ଉଚ୍ଛେଦ ନକରି ମଝିରୁ ଉଠାଦୋକାନ ଉଚ୍ଛେଦ କରିଥିଲେ। କାଠଦୋକାନ, ଜଳଖିଆ ଦୋକାନ ଆଦି ଭାଙ୍ଗିଥିଲେ। କାହିଁକି ହୋଟେଲକୁ ଭଙ୍ଗାଯାଉନି ବୋଲି ଯୁକ୍ତି କରିବା ସହ ଏଭଳି ପାତରଅନ୍ତର ନୀତି ବନ୍ଦ କରିବାକୁ ଦାବି କରିଥିଲେ। ବିଜେପି ନେତ୍ରୀଙ୍କ ଏହି ହୋଟେଲ ହୋଇଥିବାରୁ ଭଙ୍ଗାଯାଉନଥିବା ଅଭିଯୋଗ କରିଥିଲେ। ଉଚ୍ଛେଦ ପାଇଁ ଜେସିବିକୁ ବାଟ ଛାଡ଼ି ନଥିଲେ। ଉତ୍ତେଜନା ବଢ଼ିବାରୁ ବିଧାୟକ ଶ୍ରୀ ଜେନାଙ୍କ ସହ ସ୍ଥାନୀୟ କର୍ପୋରେଟର୍ ଓ ଅନ୍ୟମାନେ ପହଞ୍ଚି ଆଲୋଚନା କରିଥିଲେ। ନିଖିଳ ଓଡ଼ିଶା ରାସ୍ତାପାର୍ଶ୍ୱ ଉଠାଦୋକାନୀ ମହାସଂଘ ସଭାପତି ପ୍ରତାପ କୁମାର ସାହୁ, ଉପସଭାପତି ସୂର୍ଯ୍ୟମଣି ସାହୁ, ନିରଞ୍ଜନ ପାଣ୍ଡେ, ଦୀପକ କୁମାର ମହାପାତ୍ର, ହିମାଂଶୁ ବଳିୟାରସିଂହ, ହିମାଂଶୁ ସାହୁ, ମଞ୍ଜୁଲତା ନାୟକ ପ୍ରମୁଖ ପହଞ୍ଚି ଉଠାଦୋକାନୀଙ୍କୁ ଉଚ୍ଛେଦ ନ କରିବା ପାଇଁ ବିଏମ୍ସି ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ। ଏଣୁ ଅଧିକାରୀମାନେ ପଟେଲ ବସ୍ତିକୁ ଥଇଥାନ ନ କରିବା ପର୍ଯ୍ୟନ୍ତ ଉଚ୍ଛେଦ କରାଯିବ ନାହିଁ ବୋଲି ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ବିଧାୟକ ଓ ଅନ୍ୟମାନେ ଘଟଣାସ୍ଥଳରୁ ଚାଲିଯିବା ପରେ ପୁଣି ଉଚ୍ଛେଦ ଆରମ୍ଭ କରି ଦେଇଥିଲେ। ଏଣୁ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ଶହଶହ ଉଠାଦୋକାନୀ ଜେସିବି ଆଗରେ ଛିଡ଼ା ହୋଇ ପ୍ରତିବାଦ କରିଥିଲେ। ଫଳରେ ବିଏମ୍ସି ଅଧିକାରୀ, ଏନ୍ଫୋର୍ସମେଣ୍ଟ ଟିମ୍କୁ ଫେରିବାକୁ ପଡ଼ିଥିଲା। ମହାସଂଘର ସଭାପତି ଶ୍ରୀ ସାହୁ କହିଛନ୍ତି, ଯଦି ଭୁବନେଶ୍ୱର ମହାନଗର ନିଗମ ଉଠାଦୋକାନ ଉଚ୍ଛେଦରୁ କ୍ଷାନ୍ତ ନ ରହନ୍ତି, ତେବେ ଆଗାମୀ ଦିନରେ ଉଠାଦୋକାନୀ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରିବେ। ଏଥିପାଇଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଲେ, ବିଏମ୍ସିର ଅଧିକାରୀମାନେ ଦାୟୀ ରହିବେ।
ମାର୍କେଟ ବିଲ୍ଡିଂ ପଛପାର୍ଶ୍ବ: ଉଚ୍ଛେଦ ବେଳେ ଉତ୍ତେଜନା
ମାର୍କେଟ୍ ବିଲ୍ଡିଂ ପଛପାର୍ଶ୍ବରେ ଥିବା ପଟେଲ ବସ୍ତି ଓ ଆଖପାଖ ଅଞ୍ଚଳରେ ଉଠାଦୋକାନ ଉଚ୍ଛେଦ ବେଳେ ଆଜି ଉତ୍ତେଜନା ଦେଖାଦେଇଛି। ଉଚ୍ଛେଦ ବେଳେ ପାତରଅନ୍ତର ହେଉଥିବା ଅଭିଯୋଗ କରି ଉଠାଦୋକାନୀମାନେ ଜୋରଦାର ବିରୋଧ କରିଛନ୍ତି।
/sambad/media/media_files/2025/08/09/untitled-1-2025-08-09-06-08-55.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)