୭୦୦ ହିନ୍ଦୁ ମନ୍ଦିର, ଜୈନ ଓ ବୌଦ୍ଧ ପୀଠ ସହ ପାହାଡ଼, ଜଙ୍ଗଲ ଓ ନଦୀ ଘେରା ଐତିହ୍ୟସମ୍ପନ୍ନ ଓ ଶହ ଶହ ବର୍ଷର କୀର୍ତିରାଜିକୁ ନେଇ ରାଜଧାନୀ ଭୁବନେଶ୍ବରର ପରିଚୟ। କିଛି ଇତିହାସକୁ ନେଇ ନିଜେ ରାଜଧାନୀ ଗଢ଼ି ହୋଇଛି ତ’ ପୁଣି କିଛି ଇତିହାସ, ରାଜଧାନୀ ତିଆରିଛି। ଏହାର ପ୍ରତିଟି ଛକ, କଲୋନି, ମଠ, ମନ୍ଦିର, ଏପରିକି ବୁଢ଼ା ଗଛ ପଛରେ ରହିଛି କିଛି ଇତିହାସ, କଥା ଓ କାହାଣୀ। କେବେ ଏସବୁ ଭୁବନେଶ୍ବରକୁ ନେଇ ପରିଚିତ ହୁଅନ୍ତି ତ’ କେବେ ଅଜଣା ଆଗନ୍ତୁକ ପାଇଁ ସ୍ମୃତି ଚିହ୍ନ ହୋଇ ରହିଯାଆନ୍ତି। ଭୁବନେଶ୍ବରର ଏମିତି କିଛି ପ୍ରମୁଖ ସ୍ଥାନକୁ ନେଇ ଆମର ଏହି ସ୍ବତନ୍ତ୍ର ପ୍ରସ୍ତୁତି।
ଉପସ୍ଥାପନା: ସସ୍ମିତା ସାହୁ, ଫଟୋ: ଅସିତ ଶତପଥୀ
୧୯୮୨ ମସିହା କଥା। ଆଇଆର୍ସି ଭିଲେଜ ବୋଲି ଏକ ଅଞ୍ଚଳ ନଥିଲା ସେ ସମୟରେ। ନୂଆପଲ୍ଲୀ ମଉଜାର ଜଙ୍ଗଲ ଅଞ୍ଚଳ ଥିଲା ଏହି ସ୍ଥାନ। ବଡ଼ବଡ଼ ଗଛ ସହ ଜଙ୍ଗଲୀ ଜନ୍ତୁଙ୍କ ଆଶ୍ରୟସ୍ଥଳ ଥିଲା। ରାଜ୍ୟ ସରକାରଙ୍କ ଉଦ୍ୟମରେ ନୂଆ କରି କିଛି କିଛି ସରକାରୀ କ୍ବାଟର୍ସ ତିଆରି ହୋଇଥିଲା ମାତ୍ର। ସେହି ସମୟରେ କିଛି ସମୟ ପାଇଁ ଏହି ଅଞ୍ଚଳ ହଠାତ୍ ଭାରତର ବଡ଼ ବଡ଼ ଇଂଜିନିୟର୍ସମାନଙ୍କ ଠିକଣା ପାଲଟି ଯାଇଥିଲା। ଏହି ଐତିହାସିକ ମୂହୂର୍ତ୍ତକୁ ସବୁ ଦିନ ପାଇଁ ମନେ ରଖିବାକୁ ସ୍ଥାନର ନାମ ହୋଇଯାଇଥିଲା ‘ଆଇଆର୍ସି ଭିଲେଜ୍’।
ରାଜଧାନୀ ଛାତି ଉପରେ ଏକ ସମ୍ଭ୍ରାନ୍ତ ଅଞ୍ଚଳ ହେଉଛି ଆଇଆର୍ସି ଭିଲେଜ୍। ଏହି ଅଞ୍ଚଳର ନାଁ ଯେମିତି ଏଠିକାର ଲୋକଙ୍କ ଠାଣି ଠିକ୍ ସେମିତି। ଅତ୍ୟନ୍ତ ସୁନ୍ଦର ଓ ଚିକ୍ଚିକ୍ ଏହି ଅଞ୍ଚଳରେ ରୁହନ୍ତି ରାଜଧାନୀର ଅନେକ ନାମୀଦାମୀ ଲୋକ। ତେବେ ଆଇଆର୍ସି ଭିଲେଜ୍ ଭଳି ନାମକରଣକୁ ନେଇ ଅନେକ ସମୟରେ ଭୁବନେଶ୍ବରିଆ ଓ ଏଠାକୁ ଆସୁଥିବା ଆଗନ୍ତୁକମାନଙ୍କ ମଧ୍ୟରେ ପ୍ରଶ୍ନ ଉଠୁଥିବା ବେଳେ ଆଜି ଏହାର କାହାଣୀ ଆମେ ଆପଣଙ୍କ ପାଖକୁ ନେଇ ଆସିଛୁ। ପ୍ରକୃତରେ ଇଣ୍ଡିଆନ୍ ରୋଡ୍ସ୍ କଂଗ୍ରେସ (ଆଇଆର୍ସି)କୁ ନେଇ ଏହି ଅଞ୍ଚଳର ନାମ ଆଇଆର୍ସି ଭିଲେଜ ହୋଇଛି। ୧୯୮୨ ମସିହା ଡିସେମ୍ବର ମାସରେ ରାଜଧାନୀରେ ଅନୁଷ୍ଠିତ ହୋଇଥିଲା ‘ଇଣ୍ଡିଆନ୍ ରୋଡ୍ସ୍ କଂଗ୍ରେସ’ର ୪୩ତମ ବାର୍ଷିକ ଅଧିବେଶନ। ଯଦିଓ ଏହା ପୂର୍ବରୁ ୧୯୫୪ ମସିହା ଫେବ୍ରୁଆରି ମାସରେ ରାଜଧାନୀ ଭୁବନେଶ୍ବରରେ ଆଇଆର୍ସିର ୧୮ତମ ଅଧିବେଶନ ଅନୁଷ୍ଠିତ ହୋଇଥିଲା, ୧୯୮୨ ମସିହାର ଅଧିବେଶନ ଗୁରୁତ୍ବପୂର୍ଣ୍ଣ ଥିଲା।
ପୂର୍ତ୍ତ ବିଭାଗର ପୂର୍ବତନ ସଚିବ ନଳିନୀ ପ୍ରଧାନ କହିଛନ୍ତି, ୧୯୮୨ ମସିହାରେ ଯେତେବେଳେ ଏହି ଅଧିବେଶନର ଆୟୋଜନ ହୋଇଥିଲା ପାଖାପାଖି ଏକ ହଜାର ଅତିଥି ଭୁବନେଶ୍ବକୁ ଆସିଥିଲେ। ଏତେ ସଂଖ୍ୟକ ଅତିଥିଙ୍କ ରହିବା ପାଇଁ ସେତେବେଳେ ରାଜଧାନୀରେ ପର୍ଯ୍ୟାପ୍ତ ହୋଟେଲ୍ର ବ୍ୟବସ୍ଥା ନଥିଲା। ନୂଆପଲ୍ଲୀରୁ ଜୟଦେବ ବିହାର ମଧ୍ୟରେ ଥିବା ଜଙ୍ଗଲିଆ ଅଞ୍ଚଳରେ ସେତେବେଳେ କିଛି ନୂଆ ନୂଆ ସରକାରୀ କ୍ବାର୍ଟର୍ସ ତିଆରି ହୋଇଥିଲା। ଏଣୁ ଏହିଠାରେ ହିଁ ଅତିଥିମାନଙ୍କୁ ରଖିବାର ଯୋଜନା କରାଗଲା। ନୂଆପଲ୍ଲୀ ଥାନା ପାଖରୁ ଜୟଦେବ ବିହାର ଶେଷ ପର୍ଯ୍ୟନ୍ତ ଯେତିକି ସରକାରୀ ଘର ଥିଲା ସେସବୁକୁ ଅତିଥି ଅଭ୍ୟର୍ଥନା ପାଇଁ ପ୍ରସ୍ତୁତ କରାଗଲା। ନୂଆ ନୂଆ ଖଟ ଓ ବିଭିନ୍ନ ଆସବାପତ୍ର ପକାଇ ଅତିଥିମାନେ ରହିବା ପାଇଁ ଅସ୍ଥାୟୀ ବ୍ୟବସ୍ଥା କରାଯାଇଥିଲା।
ଆଇଆର୍ସିର ଅତିଥିମାନେ ଏତେ ଥିଲେ ଯେ, ପାଖାପାଖି ସେମାନେ ୭ ଦିନ ସେହି ଅଞ୍ଚଳର ପ୍ରାୟ ୨୫୦ ଘରେ ରହିଥିଲେ। ଏତେ ସଂଖ୍ୟକ ଇଞ୍ଜିନିୟର୍ ଏକାସଙ୍ଗେ ଏତେ ବଡ଼ ଅଞ୍ଚଳରେ ରହିବା ଫଳରେ ଏହା ଆଇଆର୍ସିର ଏକ ବସତି ବା ଗାଁ ଭଳି ପ୍ରତୀତ ହେଲା। ଏହା ପରଠାରୁ ଆଇଆର୍ସିର ସେଇ ଅତିଥିମାନଙ୍କୁ ସମର୍ପଣ କରି ଏହି ଅଞ୍ଚଳକୁ ‘ଆଇଆର୍ସି ଭିଲେଜ୍’ ବୋଲି କୁହାଗଲା। ଭାରତର ପୂର୍ବତନ ଉପରାଷ୍ଟ୍ରପତି ବି.ଡି. ଜାଟ୍ଟି ଏହି ଭିଲେଜ୍ର ଉଦ୍ଘାଟନ କରିଥିଲେ। ୧୯୮୨ ପୂର୍ବରୁ ଏହି ଅଞ୍ଚଳର କୌଣସି ନାମକରଣ ହୋଇନଥିବା ବେଳେ ଏହା କେବଳ ଏକ ଜଙ୍ଗଲିଆ ଅଞ୍ଚଳ ହୋଇ ରହିଥିଲା। ‘ଆଇଆର୍ସି ଭିଲେଜ୍’ର ନାମକରଣ ପରେ ଧୀରେଧୀରେ ଏହି ଅଞ୍ଚଳରେ ବିଭିନ୍ନ ଲୋକ ଜାଗା କିଣି ଘର କରି ରହିବା ଆରମ୍ଭ କଲେ। ଦୋକାନ ବଜାର ଖୋଲିଲା, ବହୁ ଅନୁଷ୍ଠାନ ଧୀରେଧୀରେ ବିକଶିତ ହେଲା। ସ୍କୁଲ, ସ୍ବାସ୍ଥ୍ୟ କେନ୍ଦ୍ର ଆଦି ସୁବିଧା ବି ଉପଲବ୍ଧ ହେଲା। ଏବେ ଏହି ଅଞ୍ଚଳର ରାଜଧାନୀର ଏକ ପ୍ରମୁଖ ଅଞ୍ଚଳ ଭାବେ ମୁଣ୍ଡ ଟେକିଛି।
ନୂଆପଲ୍ଲୀ କମ୍ୟୁନିଟି କେୟାର ଆସୋସିଏସନ୍ର କାର୍ଯ୍ୟକାରୀ କମିଟି ସଦସ୍ୟ ବାଣୀବ୍ରତ ତ୍ରିପାଠୀ କୁହନ୍ତି, ଏନ୍-୧ରୁ ଏନ୍-୬ ଯାଏଁ ଆଇଆର୍ସି ଭିଲେଜ୍ ବ୍ୟାପ୍ତ। ଏଠାରେ ପାଖାପାଖି ୧୫,୦୦୦ ଲୋକ ରହୁଥିବା ବେଳେ ୨୪୦୦ରୁ ଅଧିକ ସରକାରୀ ପ୍ଲଟ୍ ରହିଛି। ଏଥିସହ ୮୦ରୁ ୯୦ଟି ସରକାରୀ ଫ୍ଲାଟ୍ ସହ ଗୋଟିଏ ସରକାରୀ ହସ୍ପିଟାଲ୍, ୨ଟି ବଡ଼ ବଡ଼ ଘରୋଇ ହସ୍ପିଟାଲ୍, ୪ଟି ନର୍ସିଂ ହୋମ୍, ୬ଟି ବିଦ୍ୟାଳୟ ଆଦି ରହିଛି। ଇନ୍ଦ୍ରଧନୁ ମାର୍କେଟ ଗ୍ରାହକମାନଙ୍କ ନିତିଦିନିଆ କିଣାକିଣିର ଠିକଣା ପାଲଟିଛି। ଏଥିସହ ସହର ଉପରେ ଏହା ଏକ ସମ୍ଭ୍ରାନ୍ତ ଶ୍ରେଣୀୟ ଅଞ୍ଚଳ ଭାବେ ନିଜ ଭାବମୂର୍ତି ବଜାୟ ରଖିଛି।