ଭୁବନେଶ୍ୱର: ସିଭି ରମଣ ଗ୍ରୁପ୍ ଅଫ୍ ଇନ୍ଷ୍ଟିଚ୍ୟୁସନ୍ ଅଧୀନରେ ଥିବା ‘ରଂଜିତା’ ହୋଟେଲ ମ୍ୟାନେଜ୍ମେଣ୍ଟ କଲେଜ ଆନୁକୂଲ୍ୟରେ ବେକେଲିସିୟସ୍-୧୮ ଅନୁଷ୍ଠିତ ହୋଇଯାଇଛି। ଜମ୍ମୁ କାଶ୍ମୀର, ବିହାର, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ, ମହାରାଷ୍ଟ୍ର, କେରଳ, ଉତ୍ତରପ୍ରଦେଶ ଆଦି ରାଜ୍ୟର ବହୁ ନାମୀଦାମୀ ହୋଟେଲ୍ ମ୍ୟାନେଜ୍ମେଣ୍ଟ କଲେଜର ଛାତ୍ରଛାତ୍ରୀମାନେ ଏଥିରେ ଅଂଶ ଗ୍ରହଣ କରିଥିଲେ। କେକ୍ ଓ ଚକୋଲେଟ୍ ପ୍ରସ୍ତୁତ କରି ପ୍ରତିଯୋଗୀମାନେ ପ୍ରଦର୍ଶନ କରିଥିଲେ। ଭୁବନେଶ୍ୱରରୁ ହୋଟେଲ ମେ ଫେୟାର୍, ଏଚ୍ଏଚ୍ଆଇ, ସ୍ୱସ୍ତି ପ୍ରମିୟମ୍, ନିଉ ମାରିଅନ୍, ହୋଟେଲ ଏମ୍ପାୟର୍, ଏସ୍ଆର୍ ବେକେରୀ ପ୍ରମୁଖ ମଧ୍ୟ ପ୍ରତିଯୋଗିତାରେ ଭାଗ ନେଇଥିଲେ। ଏଥିରେ ଗ୍ଵାଲିୟର୍ ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ଭୁବନେଶ୍ୱର ଆଇଏଚ୍ଏମ୍ ଦ୍ୱିତୀୟ ସ୍ଥାନ ଦଖଲ କରିଥିଲା। ସ୍ୱସ୍ତି ପ୍ରିମିୟମ୍ କେକ୍ ପ୍ରସ୍ତୁତିରେ ଶ୍ରେଷ୍ଠ ବିବେଚିତ ହୋଇଥିଲା।
ବେକେଲିସିୟସ୍-୧୮ ପ୍ରତିଯୋଗିତାକୁ ଗୋଆର ପ୍ରସିଦ୍ଧ କେଫ୍ ‘ଦ ଲିଲା’ର ପରିଚାଳନା ନିର୍ଦେଶକ ପ୍ରତୀକ ରାୟ ଉଦ୍ଘାଟନ କରିଥିବାବେଳେ ପୁରସ୍କାର ବିତରଣୀ ଉତ୍ସବରେ ଓଡ଼ିଶ ସ୍କିଲ୍ ଡେଭେଲପ୍ମେଣ୍ଟ ଅଥରିଟି ନିର୍ଦେଶକ ତଥା ସିଇଓ ରାଜେଶ ପାଟିଲ୍ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ। ସିଭି ରମଣ ଗ୍ରୁପ୍ ଅନ୍ ଇନ୍ଷ୍ଟିଚ୍ୟୁସନ୍ର ଅଧ୍ୟକ୍ଷ ଇଂ ସଂଜୀବ କୁମାର ରାଉତ ଅତିଥିଭାବେ ଯୋଗ ଦେଇ ଇନୋଭେଟିଭ୍ ପ୍ରଡକ୍ଟ ପ୍ରସ୍ତୁତି ଉପରେ ଗୁରୁତ୍ୱ ଦେଇଥିଲେ। ସେହିଭଳି ଶୁଭମ୍ ଇଣ୍ଡଷ୍ଟ୍ରିର ପରିଚାଳନା ନିର୍ଦେଶକ ମାନସ ପଣ୍ଡା ଅତିଥିଭାବେ ଯୋଗ ଦେଇ ନୂଆ ନୂଆ ଉତ୍ପାଦ ପ୍ରସ୍ତୁତି ପାଇଁ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ। ଶେଷରେ ଆୟୋଜକ ଅନୁଷ୍ଠାନର ଅଧ୍ୟକ୍ଷ ସୁଶାନ୍ତ ଚଇନି ଧନ୍ୟବାଦ ଅର୍ପଣ କରିଥିଲେ।