ଚନ୍ଦ୍ରଶେଖରପୁର: ଡ୍ରେନ୍ ଭିତରେ ଜମିଛି ମଇଳା ପାଣି। ଦୁଇ ପାର୍ଶ୍ବରେ କଂକ୍ରିଟ କାନ୍ଥ। ମୁକୁଳା ଥିବା ବାକି ଦୁଇ ପାର୍ଶ୍ବରେ ବାଉଁଶ ବାଡ଼ ପକାଇ ବାଟ ବନ୍ଦ କରି ଦିଆଯାଇଛି। ମଝିରେ ଛାଡ଼ି ଦିଆଯାଇଛି ଘୁଷୁରି। ବାଉଁଶ ବାଡ଼ ଡେଇଁ ସେମାନେ ଆଉ ବାହାରକୁ ଆସି ପାରୁନାହାନ୍ତି। ପଙ୍କ ଭିତରେ ସେମାନେ ଖାଦ୍ୟ ଖୋଜି ଆନନ୍ଦରେ ଅଛନ୍ତି। ବର୍ଷ ବର୍ଷ ଧରି ଏଭଳି ନଳା ଭିତରେ ଚାଲିଛି ଘୁଷୁରି ଚାଷ। କେଉଁ ଉପାନ୍ତ କିମ୍ବା ଅପନ୍ତରା ରାଇଜ ନୁହେଁ, ବରଂ ଖୋଦ୍ ଭୁବନେଶ୍ବର ମଞ୍ଚେଶ୍ବର ଦାସରଜା ସାହିରେ ପୂର୍ତ୍ତ ବିଭାଗ ନଳାରେ ଏଭଳି ଦୃଶ୍ୟ ସମସ୍ତଙ୍କୁ କେବଳ ଚକିତ କରିନାହିଁ ବରଂ ସେଠାରେ ବସବାସ କରୁଥିବା ଶହ ଶହ ବାସିନ୍ଦାଙ୍କ ସ୍ବାଥ୍ୟ ପ୍ରତି ବିପଦ ସୃଷ୍ଟି କରିଛି। ବଡ଼କଥା ହେଉଛି ଏହି ବିଚିତ୍ର ସ୍ଥିତିକୁ ନେଇ ବିଏମ୍ସି ବେଖବର ରହିଛି। ଏଭଳି ଅନୁମେୟ ହେଉଛି କି ପୂର୍ତ୍ତ ବିଭାଗ ଏଠାରେ ଘୁଷୁରି ଚାଷ ପାଇଁ ଡ୍ରେନ ନାଁରେ କୋଟି କୋଟି ଟଙ୍କା ବ୍ୟୟ କରିଛି।
ଚନ୍ଦ୍ରଶେଖରପୁର ଓ ମଞ୍ଚେଶ୍ବର ଅଞ୍ଚଳର ବର୍ଜ୍ୟଜଳ ନିଷ୍କାସନ ପାଇଁ ପୂର୍ତ୍ତ ବିଭାଗ କୋଟି କୋଟି ଟଙ୍କା ବ୍ୟୟରେ ଏଠାରେ ଡ୍ରେନ୍ ନିର୍ମାଣ କରିଥିଲା। କିନ୍ତୁ ଏହାକୁ ପୂର୍ଣ୍ଣ କରିନଥିଲା। ଅର୍ତାତ୍ ଗୋଟିଏ ମୁହଁ ମୁକୁଳା ପଡ଼ିଥିଲା। ଫଳରେ ଏହା ଘୁଷୁରି ଚାଷୀଙ୍କୁ ସୁହାଇଥିଲା। ଜଣେ ଚାଷୀ ଏହାକୁ ବାଡ଼ ଘେରାଇ ଘୁଷୁରୀ ଚାଷ ଆରମ୍ଭ କରିଥିଲେ। ଏବେ ପ୍ରାୟ ଦୁଇ ଶହରୁ ଅଧିକ ଘୁଷୁରି ଏଠାରେ ରହୁଛନ୍ତି। ଏଣେ ବାଡ଼ ପଡ଼ିଥିବାରୁ ବର୍ଜ୍ୟଜଳ ନିଷ୍କାସନରେ ସମସ୍ୟା ହୋଇଛି। ଏଠାରୁ ବର୍ଜ୍ୟଜଳ ଯାଇ ଏଣେ ତେଣେ ଭାସୁଛି। ନିକଟରେ ଥିବା କିଛି କୂଅରେ ନିକଟରେ ଜମି ରହୁଥିବାରୁ କୂଅ ପାଣି ମଧ୍ୟ ପ୍ରଭାବିତ ହୋଇଛି। ଏହି କୂଅ ପାଣି ପାନୀୟଜଳ ଭାବରେ ବ୍ୟବହାର ହେଉଥିବାରୁ ପିଇବା ପାଣି ଦୁର୍ଗନ୍ଧ ହେଉଛି।
ଏଭଳି ଦୀର୍ଘ ଦିନ ଚାଲିବା ପରେ ପାଖରେ ଥିବା ପାତ୍ର ବସ୍ତି ଓ ଧିରିକୁଟି ବସ୍ତିର ଲୋକମାନେ ବିଧାୟକ ସୁଶାନ୍ତ ରାଉତଙ୍କୁ ଲିଖିତ ଅଭିଯୋଗ କରିଥିଲେ। ବିଧାୟକ ଉତ୍ତର ଜୋନ୍ ଜେଡ୍ଡିସିଙ୍କୁ ଏହି ସମସ୍ୟା ନେଇ ଅବଗତ କରାଇଥିଲେ। ବିଏମସିର ଏକ ଟିମ୍ ଗତକାଲି ଦାସରଜା ପାତ୍ରସାହି ଓ ଧିରିକୁଟି ସାହି ଯାଇ ସ୍ଥିତି ଅନୁଧ୍ୟାନ କରିଥିଲା। କିନ୍ତୁ ଡ୍ରେନ୍ ଭିତରେ ଘୁଷୁରି ଚାଷ ଉପରେ ଟିମ୍ର ନଜର ପଡ଼ିନଥିଲା। ସ୍ଥାନୀୟ ଲୋକେ ଅଭିଯୋଗ କରିଥିଲେ କି, ନଳା ପାଣି ଯାହା ବିଷାକ୍ତ ଥିଲା, ଘୁଷୁରୀ ରହିବା ପରେ ଏହି ପାଣି ଆହୁରି କଦର୍ଯ୍ୟ ହୋଇଯାଇଛି। ସାରା ଅଞ୍ଚଳ ଦୁର୍ଗନ୍ଧ ହେଉଥିବା ବେଳେ ପାଣି ବ୍ୟବହାର ଫଳରେ ନାନା ରୋଗ ଦେଖାଦେଇଛି। ଅଳିଆ ଗଦା ଟିଟିଏସ୍ରୁ ମଧ୍ୟ ମଇଳା ପାଣି ଭୂତଳ ଜଳକୁ ପ୍ରଭାବିତ କରିଥିବା ସେମାନେ ଅଭିଯୋଗ କରିଛନ୍ତି।
ସୂଚନାଯୋଗ୍ୟ, ପୂର୍ତ୍ତ ବିଭାଗ ନଳା ସବୁ ଏବେ ବିଏମ୍ସି ଅଧୀନକୁ ଆସିଛି। ଏହି ନଳା ପୂର୍ତ୍ତ ବିଭାଗ ତିଆରି କରିଥିଲେ ମଧ୍ୟ ଏହା ଏବେ ବିଏମ୍ସି ପରିଚାଳନା କରୁଛି। କିନ୍ତୁ ନଳା ଭିତରେ ଏଭଳି ଘୁଷୁରି ଚାଷ ବାବଦରେ ବିଏମ୍ସି ଅବଗତ ନାହିଁ। ଏହାକୁ ଯାଞ୍ଚ କରାଯିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଏମ୍ସି ପକ୍ଷରୁ କୁହାଯାଇଛି।