ବହୁରୂପୀ ବଙ୍ଗୀୟ ଠକ ରାକେଶ ଜାମିନ୍‌ ମାମଲା : ଚାର୍ଜସିଟ୍‌ ଦାଖଲ ଅବହେଳାର ଆଉ ଏକ ନମୁନା

ଭୁବନେଶ୍ୱର : ପୁଣି ପଦାକୁ ଆସିଛି ଚାର୍ଜସିଟ୍‌ ଦାଖଲ ଅବହେଳାର ଆଉ ଏକ ନମୁନା। କମିସନରେଟ୍‌ ପୁଲିସର ଏଭଳି ଉଦାସୀନତା ପାଇଁ ଜଣେ କୁଖ୍ୟାତ ବହୁରୂପୀ ବଙ୍ଗୀୟ ଠକକୁ ମିଳିଛି ଜାମିନ୍‌। ବ୍ୟବସାୟ ବାହାନାରେ ରାଜଧାନୀର ଦୁଇ ବ୍ୟବସାୟୀଙ୍କୁ ଲକ୍ଷ ଲକ୍ଷ ଟଙ୍କାର ଚୁନ ଲଗାଇଥିବା ବଙ୍ଗୀୟ ଠକକୁ ଜାମିନ୍‌ ମିଳିଛି। ଉପରେ ଟଙ୍କା ଓ ଭିତରେ କାଗଜ ବିଡ଼ା ରଖି ବଡ଼ ଚତୁରତାର ସହ ଠକିଥିବା ଧୂର୍ତ୍ତ ପୁଲିସ ତଦନ୍ତର ଅବହେଳା ଉହାଡ଼ରେ ଖସିଯିବାରେ ସକ୍ଷମ ହୋଇଛି।

୨୦୧୭ ନଭେମ୍ବର ୧୦ ତାରିଖ। ବାଳକାଟି ରଥିଜେମା ଅଞ୍ଚଳର ତମ୍ବା, ପିତ୍ତଳ ବ୍ୟବସାୟୀ ରମାକାନ୍ତ ସାହୁଙ୍କୁ ୟୁନିଟ୍ ୩ ଅଞ୍ଚଳର ସ୍କ୍ରାପ୍ ବେପାରୀ ପ୍ରଶାନ୍ତ କୁମାର ପଣ୍ଡା କମ୍ ଦାମରେ ବିପୁଳ ପରିମାଣର ତମ୍ବା ରଡ୍ ବିକ୍ରି କରିବା ଲାଗି କହିଥିଲା। ଏଥିପାଇଁ ହୋଟେଲ କଳିଙ୍ଗ ଅଶୋକାରେ ଡିଲ୍ ହୋଇଥିଲା। ରାକେଶ ଶର୍ମା ନାମକ ଜଣେ ବ୍ୟକ୍ତି ନିଜକୁ ପାରାଦୀପ ବନ୍ଦରର ନାଭାଲ୍ ଅଫିସର ଦର୍ଶାଇ ତମ୍ବା ରଡ୍ ବିକ୍ରି କରିବେ ବୋଲି କହିଥିଲା। ଡିଲ୍ ଅନୁସାରେ ନଭେମ୍ବର ୧୧ ତାରିଖରେ ରମାକାନ୍ତ ୯ ଲକ୍ଷ ଟଙ୍କାର ୨୦୦୦ ଟଙ୍କିଆ ନୋଟ୍‌ ନେଇ ପ୍ରଶାନ୍ତ ଓ କାର୍ତିକଙ୍କ ସହ ହୋଟେଲ କଳିଙ୍ଗ ଅଶୋକା‌ରେ ପହଞ୍ଚିଥିଲେ। ସେଠାରେ ତମ୍ବା ରଡ୍ ବିକ୍ରି କରିବାକୁ ଡିଲ୍ କରିଥିବା ରାକେଶ ଶର୍ମା ରମାକାନ୍ତଙ୍କଠାରୁ ୯ ଲକ୍ଷ ଟଙ୍କା ନେଇ ଏକ ଆଟାଚିରେ ରଖିଥିଲା। ଭୁବନେଶ୍ବର-ପୁରୀ ବାଇପାସ୍‌ରେ ତମ୍ବା ରଡ୍ ଟ୍ରକ୍ ଠିଆ ହୋଇଛି ଓ ସେଠାରେ ଟଙ୍କା ଦେଇ ମାଲ୍‌ ନେଇଯିବାକୁ ରାକେଶ ଶର୍ମା ରମାକାନ୍ତଙ୍କୁ କହିଥିଲା ଓ ପୁଣି ଟଙ୍କା ଭର୍ତ୍ତି ଆଟାଚିକୁ ତାଙ୍କୁ ବଢ଼ାଇ ଦେଇଥିଲା। ଆଟାଚି ଧରି ରମାକାନ୍ତ ବାଇପାସ୍ ରୋଡକୁ ଆସିବା ପରେ ଟ୍ରକ୍ ପାଇ ନଥିଲେ। ସନ୍ଦେହ ହେବାରୁ ଆଟାଚି ଖୋଲି ଦେଖିଲେ। ସେତେବେଳେ ତାଙ୍କ ହୋସ୍‌ ଉଡ଼ି ଯାଇଥିଲା। ନୋଟ୍ ବିଡ଼ା ବଦଳରେ କାଗଜ ବିଡ଼ା ଥିଲା। ତରବରରେ ସେମାନେ ହୋଟେଲ ଫେରିବା ବେଳକୁ ଧୂର୍ତ୍ତ ରାକେଶ ଫେରାର୍ ହୋଇଯାଇଥିଲା। ଏ ନେଇ ରମାକାନ୍ତ ବଡ଼ଗଡ଼ ଥାନାରେ ଅଭିଯୋଗ କରିବା ପରେ ପୁଲିସ ୨୦୧୭ ନଭେମ୍ବର ୧୯ ତାରିଖରେ ଆଇପିସି ଦଫା-୧୨୦(ବି), ୪୨୦, ୩୪ରେ ମାମଲା ରୁଜୁ କରିଥିଲା। କିନ୍ତୁ ଠକ ରାକେଶର ପତ୍ତା ମିଳି ନଥିଲା। ଅନ୍ୟ ଏକ ଘଟଣାରେ ଲକ୍ଷ୍ମୀସାଗର ଥାନା ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ ୫ ଲକ୍ଷ ଟଙ୍କା ଠକେଇ କରୁଥିବା ବେଳେ (୨୦୧୯ ସେପ୍ଟେମ୍ବର ୧୭ ତାରିଖ) ରାକେଶ ଶର୍ମା ପୁଲିସ ହାତରେ ଧରା ପଡ଼ିଥିଲା। ସେତେବେଳେ ଜଣାପଡ଼ିଲା ଯେ ଏହି କୁଖ୍ୟାତ ଠକ ହେଉଛି ପ୍ରଦୀପ ମାଇତି ଓ ଘର ପଶ୍ଚିମବଙ୍ଗର ହୁଗୁଳି ଥାନା ନନ୍ଦରପୁର। ନିଜକୁ ବିଭିନ୍ନ ରୂପରେ ପରିଚିତ କରାଇ ପାରୁଥିବା ବହୁରୂପୀ ପ୍ରଦୀପ ମାଇତି ଓରଫ୍ ରାକେଶ ଶର୍ମାକୁ ଲକ୍ଷ୍ମୀସାଗର ଥାନା ପୁଲିସ ଗିରଫ କରି ଜେଲ୍ ହାଜତକୁ ପଠାଇଥିଲା। ପରେ ବଡ଼ଗଡ଼ ଥାନା ପୁଲିସ ତାକୁ ରିମାଣ୍ଡରେ ଆଣିଥିଲା। ନିୟମାନୁସାରେ ମାମଲା ରୁଜୁ ହେବାର ୬୦ ଦିନ ଭିତରେ ଚାର୍ଜସିଟ୍ ଦାଖଲ କରିବା କଥା। ଅର୍ଥାତ୍ ୨୦୧୯ ନଭେମ୍ବର ୨୫ ତାରିଖ ସୁଦ୍ଧା ଚାର୍ଜସିଟ୍ ଦାଖଲ ହୋଇଯିବା କଥା। କିନ୍ତୁ ତଦନ୍ତକାରୀ ଅଧିକାରୀଙ୍କ ଅବହେଳାରୁ ଧାର୍ଯ୍ୟ ସମୟସୀମା ମଧ୍ୟରେ ଚାର୍ଜସିଟ୍ ଦାଖଲ ହୋଇପାରିଲା ନାହିଁ। ଫଳରେ ନଭେମ୍ବର ୨୬ ତାରିଖରେ ସିଆରପିସି ଧାରା -୧୬୭(୨) ଅନୁଯାୟୀ ଅଭିଯୁକ୍ତ ପ୍ରଦୀପ ମାଇତି ଓରଫ୍ ରାକେଶ ଶର୍ମାକୁ ଜାମିନ୍ ମିଳିଗଲା। ଏଡ଼େ ବଡ଼ ଠକ ପୁଲିସର ଅବହେଳାରୁ ଜେଲ୍‌ରୁ ମୁକୁଳି ଗଲା।

ଏବେ ସବୁଠୁ ବଡ଼ ପ୍ରଶ୍ନ ହେଉଛି କୁଖ୍ୟାତ ଆନ୍ତଃରାଜ୍ୟ ଠକ ପ୍ରତି ପୁଲିସ କାହିଁକି ଏତେ ବେପରୁଆ ମନୋଭାବ ଦେଖାଉଛି। ଚାର୍ଜସିଟ୍‌ ଦାଖଲରେ ଅବହେଳା କରିଥିବା ତଦନ୍ତ ଅଧିକାରୀଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ଏ ସବୁ ପ୍ରଶ୍ନ କମିସନରେଟ ପୁଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଆଇନଜୀବୀ ଚିତ୍ତରଞ୍ଜନ ଦାଶଙ୍କ କହିବା କଥା, ଏ ହେଉଛି କମିସନରେଟ ପୁଲିସର ବେପରୁଆ ମନୋଭାବ। କେବଳ ଏଇଥିପାଇଁ ଅପରାଧୀମାନେ ଜେଲରୁ ମୁକୁଳି ପୁଣି ଅପରାଧ ଘଟାଉଛନ୍ତି।

ସମ୍ବନ୍ଧିତ ଖବର