ସେକ୍ସ ରାକେଟ୍‌ ସମ୍ପୃକ୍ତି ସନ୍ଦେହରେ ବଙ୍ଗୀୟ ଯୁବତୀ ଅଟକ

ପୁରୁଣା ଭୁବନେଶ୍ୱର : ସେକ୍ସ କାରବାରରେ ସମ୍ପୃକ୍ତି ଥିବା ସନ୍ଦେହରେ ଆଜି ବଡ଼ଗଡ଼ ଥାନା ପୁଲିସ ଜଣେ ବଙ୍ଗୀୟ ଯୁବତୀକୁ ଅଟକ ରଖିଛି। ସେ ତା’ର ଠିକଣା ବାବଦରେ କୌଣସି ସନ୍ତୋଷଜନକ ତଥ୍ୟ ନ ଦେବାରୁ ପୁଲିସ ତାକୁ ସୁଧାର ଗୃହକୁ ପଠାଇ ଦେଇଛି। ଯୁବତୀଜଣକ କଳ୍ପନା ଛକରେ ସନ୍ଦେହଜନକ ଅବସ୍ଥାରେ ବୁଲୁଥିବା ବେଳେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ସୃଷ୍ଟି ହେବାରୁ ପୁଲିସ ତାଙ୍କୁ ସେଠାରୁ ଉଦ୍ଧାର କରି ସୁଧାର ଗୃହକୁ ପଠାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଆଜି ସନ୍ଧ୍ୟାରେ କଳ୍ପନା ଛକ ନିକଟସ୍ଥ ଏକ ମଲ୍‌ରୁ ମା‌ର୍କେଟିଂ ସାରି ଏହି ବଙ୍ଗୀୟ ଯୁବତୀଜଣକ କଳ୍ପନା ଛକରେ ଗାଡ଼ିକୁ ଅପେକ୍ଷା କରିଥିଲେ। ତାଙ୍କ ହାବଭାବରୁ ସ୍ଥାନୀୟ ଲୋକଙ୍କ ଭିତରେ ସନ୍ଦେହ ସୃଷ୍ଟି ହୋଇଥିଲା। ସେତିକିବେଳେ ସେ ଫୋନ୍‌ରେ କଥା ହୋଇଥିଲେ। ସେ ବଙ୍ଗଳା ଭାଷାରେ କଥା ହୋଇଥିଲେ। କିନ୍ତୁ ସେ ଗ୍ରାହକ ଯୋଗାଡ଼ ପାଇଁ ଫୋନ୍‌ରେ କଥା ହେଉଥିଲେ ବୋଲି ଗୁଜବ ପ୍ରଚାର ହୋଇଗଲା। ଫଳରେ କିଛି ଲୋକ ତାଙ୍କୁ ଘେରିଗଲେ ଓ ଏଣୁତେଣୁ ପଚରାଉଚରା କଲେ। ଘଟଣା ସମ୍ପର୍କରେ ସେମାନେ ପୁଲିସ କଣ୍ଟ୍ରୋଲ ରୁମ୍‌ ଓ ବଡ଼ଗଡ଼ ଥାନାକୁ ଖବର ଦେଇଥିଲେ। ଯୁବତୀଜଣକ ମଧ୍ୟ ଡରି ନଯାଇ ଲୋକଙ୍କୁ ମୁକାବିଲା କରିଥିଲେ। ଫଳରେ ସେଠାରେ ଉତ୍ତେଜନା ଦେଖାଯାଇଥିଲା। ଘଟଣାସ୍ଥଳରେ ବଡ଼ଗଡ଼ ଥାନା ପୁଲିସ ପହଞ୍ଚି ପରିସ୍ଥିତିକୁ ଆୟତ୍ତ କରିଥିଲା ଓ ପରେ ଯୁବତୀଙ୍କୁ ଥାନାକୁ ନେଇଥିଲା।

ସମ୍ବନ୍ଧିତ ଖବର