ଭୁବନେଶ୍ବର: ଭୁବନେଶ୍ବର ଏମ୍ସରେ ଚିକିତ୍ସିତ ହେବା ପାଇଁ ପଶ୍ଚିମବଙ୍ଗ ମେଦିନୀପୁରରୁ ଆସିଥିଲେ ୫୦ ବର୍ଷୀୟ ମହିଳା ମୁସଲିମା ବିବି। ସାଙ୍ଗରେ ଥିଲେ ସ୍ବାମୀ ସେକ୍ ଇସ୍ମାଇଲ। କିନ୍ତୁ ବିସ୍ମୟଜନକ ଭାବେ ମୁସଲିମା ଏମ୍ସ ପରିସରରୁ ନିଖୋଜ ହୋଇଯାଇଛନ୍ତି। ସ୍ବାମୀ ଇସ୍ମାଇଲ୍ ଖୋଜିଖୋଜି ହତାଶ ହେବା ପରେ ଘରକୁ ଫେରିଯାଇଥିଲେ। ଏବେ ପୁଅ ଆସି ରାଜଧାନୀର ଗଳିକନ୍ଦିରେ ଘୂରି ବୁଲୁଛି। ମା’କୁ ପାଇବା ପାଇଁ ସବୁ ପ୍ରକାର ଉଦ୍ୟମ କରିବା ପରେ ଶେଷରେ ପୁଲିସ କମିସନର୍ଙ୍କ ଦ୍ବାରସ୍ଥ ହୋଇଛନ୍ତି। ୧୨ ଦିନ ବିତିବା ପରେ ମା’, କି ଅବସ୍ଥାରେ ଥିବେ, ସେହି ଚିନ୍ତାରେ ପୁଅ ଭୋକଶୋଷ ଭୁଲି ଖୋଜି ଚାଲିଛି।
ଏପ୍ରିଲ୍ ୨୨ ତାରିଖ ଦିନ ମୁସଲିମା ଭୁବନେଶ୍ବର ଆସିଥିଲେ। ରକ୍ତଚାପ, ମଧୁମେହ ଓ ଲାଗିରହୁଥିବା ଜ୍ବରର ଚିକିତ୍ସା ପାଇଁ ସ୍ବାମୀ ଇସ୍ମାଇଲ୍ ତାଙ୍କୁ ସାଙ୍ଗରେ ଆଣିଥିଲେ। ୨୩ ତାରିଖ ସକାଳୁ ଓପିଡି ଟିକଟ ପାଇଁ ଲାଇନ୍ରେ ଠିଆ ହୋଇଥିଲେ। ଇସ୍ମାଇଲ୍ ପୁରୁଷଙ୍କ ଧାଡ଼ିରେ ଓ ମୁସଲିମା ମହିଳାଙ୍କ ଲାଇନ୍ରେ ଥିଲେ। କିଛି ସମୟ ପରେ ଇସ୍ମାଇଲ୍ ଦେଖିଲେ ଯେ ମୁସଲିମା ଲାଇନ୍ରେ ନାହାନ୍ତି। ତେଣୁ ସେ ଟିକଟ ଆଣିବେ କ’ଣ, ସ୍ତ୍ରୀଙ୍କୁ ଖୋଜିଲେ। ବହୁ ଖୋଜାଖୋଜି କରିବା ପରେ ମୁସଲିମାଙ୍କୁ ନ ପାଇ ସେ ଏମ୍ସ କର୍ତ୍ତୃପକ୍ଷଙ୍କୁ ଜଣାଇଲେ। ସିସିଟିଭିରୁ ଜଣାଗଲା ଯେ ମୁସଲିମା ଏକାକୀ ଏମ୍ସର ମୁଖ୍ୟ ଫାଟକ ଦେଇ ଚାଲି ଯାଉଛନ୍ତି। ତେଣୁ ସ୍ବାମୀ ଇସ୍ମାଇଲ୍ ଏମ୍ସ ବାହାରେ ବୁଲିବୁଲି ଖୋଜିବାରେ ଲାଗିଲେ। ଶେଷରେ ହତାଶ ହୋଇ ସେ ଘରକୁ ଫେରିଗଲେ। ଏବେ ପୁଅ ପହଞ୍ଚିଛି ଭୁବନେଶ୍ବରରେ। ହାତରେ ମା’ଙ୍କ ଫଟୋ ଧରି ସେ ଗଳିକନ୍ଦି ବୁଲୁଛନ୍ତି। ଖଣ୍ଡଗିରି ଥାନାରେ ଜଣାଇଛନ୍ତି ଏବଂ ପୁଲିସ ନିଖୋଜ ମାମଲା ରୁଜୁ କରିଛି। ଆଜି କିଛି ସ୍ବେଚ୍ଛାସେବୀଙ୍କ ସହଯୋଗରେ ସେ ପୁଲିସ କମିସନର୍ଙ୍କୁ ଭେଟିଛନ୍ତି ଏବଂ ମା’କୁ ପାଇବାରେ ପୁଲିସର ସହଯୋଗ ଲୋଡ଼ିଛନ୍ତି। ପୁଲିସ କମିସନର୍ ତାଙ୍କୁ ଆଶ୍ବାସନା ଦେବା ସହ ଏହି ମାମଲାର ତାଙ୍କୁ ପୁଲିସ ସହଯୋଗ କରିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।