ରାବଣ ପୋଡ଼ିରେ ସରିଲା ବେଣୁପୁର ରାମଲୀଳା

ବାଲିଅନ୍ତା ବଜାର: ୨୧ ଦିନ ଧରି ଚାଲିଥିବା ବେଣୁପୁର ରାମଲୀଳା ମହାନାଟକ ଗତରାତିରେ ଉଦ୍‌ଯାପିତ ହୋଇଯାଇଛି। ରାଜଧାନୀ ଉପକଣ୍ଠରେ ବେଶ୍ ପ୍ରସିଦ୍ଧି ଲାଭ କରିଥିବା ୪୫ ବର୍ଷର ଏହି ଅନୁଷ୍ଠାନ ଗତକାଲି ରାତିରେ ରାବଣ ପୋଡ଼ି କାର୍ଯ୍ୟକ୍ରମ ଜରିଆରେ ଚଳିତ ବର୍ଷର ରାମ ନାଟକ ସାରିଛି। ମଞ୍ଚରେ ଅନୁଷ୍ଠାନର କଳାକାରମାନେ ରାବଣ ବଧ ପ୍ରଦର୍ଶନ କରୁଥିବା ବେଳେ ପଡ଼ିଆରେ ଜଳିଥିଲା ରାବଣର ବିଶାଳ ପ୍ରତିମୂର୍ତ୍ତି। ଏହି ସମୟରେ ଚାଲିଥିଲା ଆତସବାଜି କାର୍ଯ୍ୟକ୍ରମ। ପ୍ରାୟ ୧୦ ହଜାରରୁ ଅଧିକ ଦର୍ଶକ କାର୍ଯ୍ୟକ୍ରମ ଦେଖିଥିଲେ। ଚଳିତ ବର୍ଷ ରାବଣ ପୋଡ଼ି ବେଶ୍ ଆକର୍ଷଣୀୟ ହୋଇଥିଲା। ୮୦ ଫୁଟ୍‌ ଉଚ୍ଚତା ବିଶିଷ୍ଟ ରାବଣର ପ୍ରତିମୂର୍ତ୍ତି ସାଙ୍ଗକୁ କନ୍ଦରପୁର ଓ ଭିଙ୍ଗାରପୁର ଆସିଥିବା ବିଭିନ୍ନ ପ୍ରକାରର ବାଣ ଦର୍ଶକମାନଙ୍କୁ ବିମୋହିତ କରିଥିଲା। ନିର୍ଦ୍ଧାରିତ ସମୟ ଅନୁସା‌ରେ ମଞ୍ଚରେ ରାମଙ୍କ ଧନୁରୁ ବାହାରି ତୀର ରାବଣଙ୍କ ପ୍ରତିମୂର୍ତ୍ତିକୁ ଭେଦ କରିଥିଲା। ସଙ୍ଗେସଙ୍ଗେ ରାବଣ ପ୍ରତିମୂର୍ତ୍ତି ଜଳିଥିଲା ଏବଂ ଯାତ୍ରା ପଡ଼ିଆ ଅତାସବାଜିରେ ଝଲସିଉଠିଥିଲା। ଯାତ୍ରା ପଡ଼ିଆର ଆକାଶରେ ଝଲମଲ କରିଉଠିଥିଲା ରଙ୍ଗବେରଙ୍ଗର ଆକାଶମଲ୍ଲୀ ବାଣ। ପ୍ରାୟ ଘଣ୍ଟାଏ କାଳ ଆତସବାଜି କାର୍ଯ୍ୟକ୍ରମ ଚାଲିଥିଲା। ସୂଚନାଯୋଗ୍ୟ ଯେ ବେଣୁପୁର ଶ୍ରୀଶ୍ରୀ ନୀଳକଣ୍ଠେଶ୍ୱର ଦେବ ରାମଲୀଳା ପ୍ରଚାର ସମିତି ୧୯୮୦ ମସିହାରୁ ଏହି ରାମ ନାଟକ କରିଆସୁଛି।

ପ୍ରତିବର୍ଷ ଭଳି ଚଳିତ ବର୍ଷ ରାମ ନବମୀଠାରୁ ୨୧ ଦିନ ଧରି ରାମାୟଣର ବିଭିନ୍ନ କାଣ୍ଡ ନାଟକ ଭାବେ ପ୍ରଦର୍ଶିତ ହୋଇଥିଲା। ପ୍ରାୟ ୭୫ କଳାକାର ଏଥିରେ ଅଭିନୟ କରୁଛନ୍ତି। କଳାକାରମାନେ ୨୧ ଦିନ ଧରି ପରିବାରରୁ ଦୂରେଇ ରହିବା ସହ ଦିନକୁ ମାତ୍ର ଥରେ ଅନ୍ନପ୍ରସାଦ ଗ୍ରହଣ କରିଥା’ନ୍ତି। ଅନୁଷ୍ଠାନର ସଭାପତି ରାଧାକାନ୍ତ ଶ୍ରୀଚନ୍ଦନ, ସମ୍ପାଦକ ବଦ୍ରି ନାରାୟଣ ଜେନା, କୋଷାଧ୍ୟକ୍ଷ ଭବାନୀ ଦାସ ପରିଚାଳନ କରୁଥିବା ବେଳେ ମୋହନ ପାତ୍ର, ବସନ୍ତ ଜେନା, ଗଦାଧର ଜେନା, ସୁରେଶ ଜେନା, ପ୍ରମୋଦ ଜେନା, ଦେବୀପ୍ରସାଦ ସାହୁ, ଉମେଶ ପାତ୍ର, ସଦାନନ୍ଦ ଖୁଣ୍ଟିଆ, ଦୀନକୃଷ୍ଣ ମଙ୍ଗରାଜ, ପ୍ରଭାତ ଜେନା, ସୁଧାଂଶୁ ଜେନା ଓ ବ୍ୟୋମକେଶ ଲେଙ୍କା ପ୍ରମୁଖ ଦାୟିତ୍ବ ନିର୍ବାହ କରିଥିଲେ।

ସମ୍ବନ୍ଧିତ ଖବର