ଖଣ୍ଡଗିରି: ମା’ ତାରିଣୀଙ୍କୁ ନଡ଼ିଆ ଯାଚିଲେ ମାନସିକ ପୂରଣ ହୁଏ ବୋଲି ସାଧାରଣରେ ବିଶ୍ବାସ ରହିଛି। ପ୍ରତିଦିନ ହଜାର ହଜାର ଲୋକ ନିଜର ମାନସିକ ପୂରଣ ପାଇଁ ଘଟଗାଁର ମା’ଙ୍କ ମନ୍ଦିରକୁ ଭକ୍ତିର ସହ ନଡ଼ିଆ ପଠାଇଥାନ୍ତି। ଏହି ନଡ଼ିଆ ସହିତ ଯୋଡ଼ି ହୋଇଥାଏ ମା’ଙ୍କ ପ୍ରତି ଶ୍ରଦ୍ଧାଳୁଙ୍କ ଭକ୍ତି ଓ ଆବେଗ। ତେବେ ମା’ଙ୍କ ପାଖରେ ଏହି ମାନସିକ ନଡ଼ିଆ ପହଞ୍ଚିପାରୁନି। ପରିବହନ କ୍ଷେତ୍ରରେ ସମଗ୍ର ରାଜ୍ୟକୁ ଯୋଡ଼ିପାରିଥିବା ବରମୁଣ୍ଡା ବସ୍ଷ୍ଟାଣ୍ଡ ଏହି ମାନସିକ ନଡ଼ିଆର ଶେଷଠିକଣା ପାଲଟିଛି। ବିଏସ୍ଏବିଟି ନିକଟ ବସ୍ ରହଣିସ୍ଥଳରେ କୁଢ଼କୁଢ଼ ପଚାନଡ଼ିଆ ପଡ଼ିରହିଛି। ମାଛି ଭଣଭଣ ହୋଇ ଦୁର୍ଗନ୍ଧରେ ପରିବେଶ ଫାଟିପଡ଼ୁଛି। ଯେଉଁ ନଡ଼ିଆକୁ ଲୋକେ ଭକ୍ତି, ଶ୍ରଦ୍ଧା ଓ ସମର୍ପଣର ସହିତ ରାଜ୍ୟର କୋଣ ଅନୁକୋଣରୁ ପଠାଉଛନ୍ତି, ସେହି ନଡ଼ିଆର ଏତାଦୃଶ ଅବସ୍ଥା ଦେଖି ଭକ୍ତମହଲରେ ଅସନ୍ତୋଷ ପ୍ରକାଶ ପାଇଛି।
ସୂଚନାଯୋଗ୍ୟ ଯେ ପ୍ରତିଦିନ ବସ୍ ଯୋଗେ ହଜାର ହଜାର ସଂଖ୍ୟାରେ ମାନସିକ ନଡ଼ିଆ ଭୁବନେଶ୍ବରକୁ ଆସୁଛି। ଏହି ନଡ଼ିଆକୁ ପଠାଇବା ସମୟରେ ଭକ୍ତମାନେ ସାଲୁକନାରେ ନଡ଼ିଆ, ଧୂପକାଠି, ପ୍ରଣାମୀ ଆଦି ବାନ୍ଧିକରି ପଠାଇଥାନ୍ତି। ତେବେ ବସ୍ଷ୍ଟାଣ୍ଡରେ ପଡ଼ିଥିବା ନଡ଼ିଆରୁ ଦକ୍ଷିଣା ଓ ଧୂପକାଠି ଗାଏବ ହୋଇଯାଉଛି। ପୂର୍ବରୁ ବସ୍ଷ୍ଟାଣ୍ଡରେ ନଡ଼ିଆ ରଖିବା ପାଇଁ ସ୍ବତନ୍ତ୍ର ହୁଣ୍ଡି ଥିଲା। ସେଠାରୁ ନିୟମିତ ଭାବେ ମା’ ତାରିଣୀ ପୀଠକୁ ନଡ଼ିଆ ଯାଉଥିଲା। ବର୍ତ୍ତମାନ ଏଥିରେ ବ୍ୟତିକ୍ରମ ପରିଲକ୍ଷିତ ହୋଇଛି। ମାତ୍ରାଧିକ ନଡ଼ିଆ ଆସୁଥିବାରୁ କିଛି ନଡ଼ିଆ ବାହାର କରାଯାଉଛି ବୋଲି ଜଣେ ବସ୍ କର୍ମଚାରୀ କହିଛନ୍ତି। ତେବେ ଏହି ନଡ଼ିଆକୁ ବାହାର କରିବା ପରେ ଏହାକୁ ଅବସ୍ଥା କ’ଣ ହେଉଛି, ସେଥିପ୍ରତି କାହାର ଦୃଷ୍ଟି ପଡ଼ୁନି। ଭୁବନେଶ୍ବର ପହଞ୍ଚିବା ପରେ ବସ୍ ସଫା କରିବା ସମୟରେ ଏହି ନଡ଼ିଆଗୁଡ଼ିକୁ ବସ୍ରୁ ବାହାର କରିଦିଆଯାଉଛି। ବସ୍ ରହଣିସ୍ଥଳରେ ମାନସିକ ନଡ଼ିଆ ରଖିବା ଲାଗି ସମର୍ପିତ ସ୍ଥାନ ନାହିଁ। ଫଳରେ ଯିଏ ଯେଉଁଠି ପାରିଲେ ସେଠି ନଡ଼ିଆ ଥୋଇଦେଇ ଯାଉଛନ୍ତି। ୪ରୁ ୫ଟି ସ୍ଥାନରେ ମାନସିକ ନଡ଼ିଆ ଗଦାହୋଇ ରହିଛି। ପଚିସଢ଼ି ଗଲେ ଏହାକୁ ଗାଡ଼ି କରି ଫୋପଡ଼ା ଯାଉଛି। ଏହା ଧାର୍ମିକ ଭାବନାକୁ ଶକ୍ତଧକ୍କା ବୋଲି ଶ୍ରଦ୍ଧାଳୁମାନେ କହିଛନ୍ତି।
ବିଏସ୍ଏବିଟି ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ, ଟର୍ମିନାଲ୍ର ତଳମହଲାରେ ୨ରୁ ୩ହଜାର ପର୍ଯ୍ୟନ୍ତ ନଡ଼ିଆ ରଖିବା ପାଇଁ ସ୍ଥାନ ରହିଛି। ସେଠାରେ କିଛି ବସ୍ ନଡ଼ିଆ ରଖୁଛନ୍ତି ମଧ୍ୟ। ନିୟମିତ ବ୍ୟବଧାନରେ ନଡ଼ିଆ ଏଠାରୁ ମା’ଙ୍କ ଉଦ୍ଦେଶ୍ୟରେ ପଠାଯାଇଥାଏ। ମାତ୍ର ବସ୍ ରହଣିସ୍ଥଳରେ ବିଏସ୍ଏବିଟି ପକ୍ଷରୁ ଏପରି ନିର୍ଦ୍ଦିଷ୍ଟ ବ୍ୟବସ୍ଥା କରାଯାଇନାହିଁ ବୋଲି ସୂଚନା ମିଳିଛି। ଏ ସମ୍ପର୍କରେ ବସ୍ମାଲିକ ସଂଘ ସହିତ ଯୋଗାଯୋଗ କରାଯାଇଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ଗତ ୨ଦିନ ତଳେ କଟକ ନେତାଜୀ ବସ୍ ଟର୍ମିନାଲ୍ରେ ମାନସିକ ନଡ଼ିଆ ରଖିବା ପାଇଁ ଦୁଇଟି ସ୍ବତନ୍ତ୍ର ହୁଣ୍ଡିର ବ୍ୟବସ୍ଥା କରାଯାଇଛି। ବିଏସ୍ଏବିଟି ପରିସରରେ ମଧ୍ୟ ଏଭଳି ବ୍ୟବସ୍ଥା କରିବା ପାଇଁ ଦାବି ହୋଇଛି।
ବରମୁଣ୍ଡା ବସ୍ଷ୍ଟାଣ୍ଡ୍ ଶେଷ ଠିକଣା
ମା’ ତାରିଣୀଙ୍କୁ ନଡ଼ିଆ ଯାଚିଲେ ମାନସିକ ପୂରଣ ହୁଏ ବୋଲି ସାଧାରଣରେ ବିଶ୍ବାସ ରହିଛି। ପ୍ରତିଦିନ ହଜାର ହଜାର ଲୋକ ନିଜର ମାନସିକ ପୂରଣ ପାଇଁ ଘଟଗାଁର ମା’ଙ୍କ ମନ୍ଦିରକୁ ଭକ୍ତିର ସହ ନଡ଼ିଆ ପଠାଇଥାନ୍ତି। ଏହି ନଡ଼ିଆ...
/sambad/media/media_files/2025/06/20/ngergerger-2025-06-20-06-42-33.jpg)