ଖଣ୍ଡଗିରି: ବରମୁଣ୍ଡାରେ ଅତ୍ୟାଧୁନିକ ବସ୍ଷ୍ଟାଣ୍ଡ ବାବାସାହେବ ଭୀମରାଓ ଆମ୍ବେଦକର ବସ୍ ଟର୍ମିନାଲ୍(ବିଏସ୍ଏବିଟି) ନିର୍ମାଣ ସମୟରେ ଉଚ୍ଛେଦ ହୋଇଥିବା ବ୍ୟବସାୟୀଙ୍କ ଭାଗ୍ୟ ଫିଟିବାକୁ ଯାଉଛି। ଦୀର୍ଘ ଦେଢ଼ ବର୍ଷ ପରେ ବିଡିଏ-ବ୍ୟବସାୟୀଙ୍କ ମଧ୍ୟରେ ଚାଲିଥିବା ବିବାଦର ଅନ୍ତ ଘଟିଛି। ଆସନ୍ତା ୧୮ ତାରିଖରେ ଲଟେରି ଜରିଆରେ ୧୧୨ଟି ଦୋକାନ ଘର ଆବଣ୍ଟନ କରାଯିବ। କେ-୭ କଲ୍ୟାଣମଣ୍ଡପରେ ଲଟେରି କରିବାକୁ ବିଡିଏ ସମସ୍ତ ବ୍ୟବସାୟୀଙ୍କୁ ସୂଚନା ଦେଇଛି। ଉଚ୍ଛେଦ ହୋଇଥିବା ୧୨୨ ଜଣ ଦୋକାନୀଙ୍କ ମଧ୍ୟରୁ ୧୧୨ ଜଣ ଦୋକାନ ଘର ପାଇଁ ଆବେଦନ କରିଥିବାରୁ ସେମାନଙ୍କୁ ଏହି ଘର ବଣ୍ଟା ଯାଉଥିବା ବିଡିଏ କହିଛି। ଏହି ବସ୍ଷ୍ଟାଣ୍ଡ ପରିସରରେ ୧୨୪ଟି ଦୋକାନ ଘର ଅଛି। ପରବର୍ତ୍ତୀ ପର୍ଯ୍ୟାୟରେ ଅନ୍ୟ ୧୨ଟି ଦୋକାନ ଘର ବଣ୍ଟାଯିବ। ଆବଣ୍ଟନର ଗୋଟିଏ ମାସ ମଧ୍ୟରେ ବ୍ୟବସାୟୀ ବିଡିଏ ସହ ଚୁକ୍ତି ସ୍ବାକ୍ଷର କରି ଦୋକାନ ଘର ଖୋଲିବେ। ଯଦି ମାସକ ମଧ୍ୟରେ ଦୋକାନ ଘର ନ ଖୋଲନ୍ତି, ତେବେ ଆବଣ୍ଟନ ବାତିଲ କରାଯିବା ସର୍ତ୍ତ ରହିଛି।
ଦୋକାନ ଘର ଖୋଲିବାକୁ ନେଇ ଯାତ୍ରୀମାନେ ମଧ୍ୟ ଖୁସି ବ୍ୟକ୍ତ କରିଛନ୍ତି। ପୂର୍ବରୁ ଏହି ବସ୍ଷ୍ଟାଣ୍ଡ ପରିସରରେ ଯାତ୍ରୀମାନେ ଚା’ ଜଳଖିଆ ଉଚିତ ମୂଲ୍ୟରେ ପାଇ ପାରୁ ନଥିଲେ। ଅକ୍ଟୋବର ମାସରୁ ଏଠାରେ ଚା’ ଜଳଖିଆଠାରୁ ଆରମ୍ଭ କରି ଘରକରଣା, ଷ୍ଟେସନାରି ଓ ଅନ୍ୟାନ୍ୟ ନିତ୍ୟବ୍ୟବବହାର୍ଯ୍ୟ ସାମଗ୍ରୀ ଉପଲବ୍ଧ ହେବ ବୋଲି ଆଶା କରାଯାଉଛି। ପୁରୁଣା ବସ୍ଷ୍ଟାଣ୍ଡ ଓଏସ୍ଆର୍ଟିସି ଅଧୀନରେ ରହିଥିଲା। ବିଡିଏ ନୂଆ ବସ୍ଷ୍ଟାଣ୍ଡ ନିର୍ମାଣ କରିବା ପରେ ଏହି ବ୍ୟବସାୟୀମାନଙ୍କୁ ଥଇଥାନ କରିବାକୁ ପ୍ରତିଶ୍ରୁତି ଦେଇଥିଲା। ବିଡିଏ ନିଜେ ଚୁକ୍ତିନାମା ନ କରି ଠିକା ସଂସ୍ଥା ଜରିଆରେ ଚୁକ୍ତିନାମା କରି ଦୋକାନ ଘର ଆବଣ୍ଟନ କରିବାକୁ ସୂଚନା ଦେବାରୁ ବିବାଦ ଉପୁଜିଥିଲା। ଠିକା ସଂସ୍ଥାଠାରୁ ଦୋକାନ ନେବୁ ନାହିଁ ବୋଲି ବ୍ୟବସାୟୀମାନେ ସଫା ମନା କରିଦେଇଥିଲେ। ଫଳରେ ଦୀର୍ଘ ଦେଢ଼ବର୍ଷ କାଳ ଏଠାରେ ଦୋକାନ ଆବଣ୍ଟିତ ହୋଇ ପାରୁନଥିଲା। ମାସିକ ଭଡ଼ା ଆଧାରରେ ବ୍ୟବସାୟୀ ଦୋକାନ ନେବେ। ବିଏସ୍ଏବିଟିର ତଳ ମହଲାରେ ୧୨୪ଟି ଓ ପ୍ରଥମ ମହଲାରେ ୮ଟି ଦୋକାନଘର ରହିଛି। ପ୍ରଥମେ ଉଚ୍ଛେଦ ହୋଇଥିବା ବ୍ୟବସାୟୀଙ୍କୁ ଥଇଥାନ କରିବା ପରେ ଅନ୍ୟ ଦୋକାନଗୁଡ଼ିକ ବାଣ୍ଟି ଦିଆଯିବ। ଦୋକାନଗୁଡ଼ିକର ଆକାର ଅନୁଯାୟୀ ବର୍ଗଫୁଟ୍ ପିଛା ୪୪ ଟଙ୍କା ୪୦ ପଇସା ଭଡ଼ା ଧାର୍ଯ୍ୟ ହୋଇଛି।