ମାର୍ଚ୍ଚ ସୁଦ୍ଧା ବରମୁଣ୍ଡା ଅନ୍ତଃରାଜ୍ୟ ବସ୍‌ ଟର୍ମିନାଲ୍‌

୫-ଟି ସଚିବଙ୍କ ସମୀକ୍ଷା

ଭୁବନେଶ୍ବର: ବରମୁଣ୍ଡାରେ ନିର୍ମାଣାଧୀନ ଅନ୍ତଃରାଜ୍ୟ ବସ୍‌ ଟର୍ମିନାଲ୍‌(ଆଇଏସ୍‌ବିଟି) କାର୍ଯ୍ୟ ଆସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧା ଶେଷ ହେବ। ଆଜି ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭିକେ ପାଣ୍ଡିଆନ ବରମୁଣ୍ଡା ପରିଦର୍ଶନ କରି ବିଡିଏକୁ ଏହି ନିର୍ଦ୍ଦେଶ ଦେଇଛନ୍ତି। ଆଜି ଅପରାହ୍‌ଣରେ ବିଡିଏ ଉପାଧ୍ୟକ୍ଷ ସଞ୍ଜୟ ସିଂହଙ୍କ ସହ ସେ କାର୍ଯ୍ୟର ଅଗ୍ରଗତିର ସମୀକ୍ଷା କରିଛନ୍ତି। ଡିପୋ କାମ ଶେଷ ହୋଇଥିବା ବେଳେ କାର୍ଯ୍ୟର ଅଗ୍ରଗତି ସନ୍ତୋଷଜନକ ରହିଥିବା ସମୀକ୍ଷା ବେଳେ ଜଣାପଡ଼ିଛି। ଷ୍ଟାଣ୍ଡ ନିର୍ମାଣ ହୋଇନଥିବାରୁ ଯାତ୍ରୀମାନେ ହଇରାଣ ହେଉଛନ୍ତି। ଏଣୁ ଯାତ୍ରୀଙ୍କ ସୁବିଧା ପାଇଁ ଧାର୍ଯ୍ୟ ଅବଧିରେ ଯେଭଳି ଶେଷ ହେବ, ସେନେଇ ଅଧିକାରୀମାନେ ତତ୍ପର ରହିବାକୁ ସେ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ୧୮୦ କୋଟି ଟଙ୍କା ବ୍ୟୟରେ ୧୧.୪୮ ଏକର ଜାଗାରେ ଏହି ଆଇଏସ୍‌ବିଟି ନିର୍ମାଣ ହେଉଛି। ବିଡିଏ ଏହି ପ୍ରକଳ୍ପର ନିର୍ମାଣ କରୁଛି। ଏଥିରେ ୬ଟି ବ୍ଲକ୍‌ ରହିଛି। ପ୍ରଥମ ୪ଟି ବ୍ଲକ୍‌ ସମ୍ପୂର୍ଣ୍ଣ ହୋଇଥିବା ବେଳେ ଅନ୍ୟ ୨ଟି ବ୍ଲକ୍‌ ନିର୍ମାଣାଧୀନ ରହିଛି। ଏଥିରେ ୩୫ଟି ବସ୍‌ ବେ’ ବ୍ୟବସ୍ଥା ଥିବା ବେଳେ ୧୯୦ ପାର୍କିଂ ସ୍ପେସ୍‌ ରହିଛି। ଏହାଛଡ଼ା ୨୫୦ ଚାରି ଚକିଆ ଓ ୧୭୫ ଦୁଇଚକିଆ ଯାନ ରହିବା ଭଳି ପାର୍କିଂ ସ୍ଥାନ ରହିଛି। ତା’ ଛଡ଼ା ଏଟିଏମ୍‌ ଫୁଡ୍‌ କୋର୍ଟ, ରେସ୍ତୋରାଁ, ବାଣିଜ୍ୟିକସ୍ଥଳ ପ୍ରଭୃତି ନିର୍ମାଣାଧୀନ ରହିଛି। ୨୦୧୭ମସିହାରେ ଏହି ବସ୍‌ଷ୍ଟାଣ୍ଡ ନିର୍ମାଣ ଯୋଜନା ହୋଇଥିଲା। ୨୦୧୮ରେ ମୁଖ୍ୟମନ୍ତ୍ରୀ ବିଧିବଦ୍ଧ ଭାବରେ ଏହି ବଡ଼ ପ୍ରକଳ୍ପର ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର