ବରମୁଣ୍ଡା ବିଡିଏ ମାର୍କେଟ୍ କମ୍ପ୍ଲେକ୍ସ ଭୂତକୋଠି, ଜୁଆଡ଼ି ଓ ଅସାମାଜିକଙ୍କ ଆଡ଼ା ଜମୁଛି

ବାଧକ ସାଜିଛନ୍ତି ଜବରଦଖଲକାରୀ ଓ ଅମାନିଆ ବସ୍‌ ମାଲିକ

ଭୁବନେଶ୍ବର: ବରମୁଣ୍ଡା ବସ୍‌ଷ୍ଟାଣ୍ଡ ରାଜଧାନୀର ଏକ ପ୍ରମୁଖ ସ୍ଥାନ। ମାଷ୍ଟରକ୍ୟାଣ୍ଟିନ୍, ଜୟଦେବବିହାର, ବାଣୀବିହାର ଭଳି ଏଠାରେ ମଧ୍ୟ ଲୋକଙ୍କ ଗହଳି ସର୍ବଦା ପରିଲକ୍ଷିତ ହୁଏ। ଏଠାକୁ ରାଜ୍ୟର ବିଭିନ୍ନ ସ୍ଥାନରୁ ଲୋକଙ୍କ ଯିବାଆସିବା ଲାଗି ରହୁଥିବାବେଳେ ସେମାନଙ୍କୁ ସର୍ବନିମ୍ନ ମୌଳିକ ସୁବିଧା ଯୋଗାଇ ଦେବା ତଥା ସ୍ଥାନୀୟ ଲୋକଙ୍କ ପାଇଁ ବ୍ୟାବସାୟିକ ସୁଯୋଗ ସୃଷ୍ଟି କରିବାକୁ ଯାଇ ପ୍ରାୟ ୨୨ ବର୍ଷ ପୂର୍ବେ ଏଠାରେ ଏକ ମାର୍କେଟ୍ କମ୍ପ୍ଲେକ୍ସ ତିଆରି ହୋଇଥିଲା। ୧୪୦ଟି ଦୋକାନ ଓ ୭ଟି ଅଫିସକୁ ମିଶାଇ ପ୍ରାୟ ୨ଏକରରୁ ଅଧିକ ଜାଗାରେ ଏହି ମାର୍କେଟ୍ କମ୍ପ୍ଲେକ୍ସ ଛିଡ଼ା ହୋଇଛି। ହେଲେ କମ୍ପ୍ଲେକ୍ସ୍‌ର ଅବସ୍ଥା ଦେଖିଲେ ଏହା କେଉଁ ଇଂରେଜ ଅମଳରୁ ନିର୍ମିତ ହୋଇଥିବା ଘର ଭଳି ପ୍ରତୀତ ହେଉଛି। କମ୍ପ୍ଲେକ୍ସ ସଂପୂର୍ଣ୍ଣ ଭାଙ୍ଗିରୁଜି ଜରାଜୀର୍ଣ୍ଣ ହୋଇଯାଇଥିବାବେଳେ ଅପରିଷ୍କାର ଘର ସାଙ୍ଗକୁ ମାଳମାଳ ମଦ ବୋତଲ ଗଡ଼ୁଛି। କମ୍ପ୍ଲେକ୍ସର କେଉଁଠି କାନ୍ଥ ଫାଟି ଗଛ ଉଠିଛି ତ କେଉଁଠି ଭଙ୍ଗା ବସ୍ ପଡ଼ି ଖତ ଖାଉଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଯେଉଁ ବସଷ୍ଟାଣ୍ଡକୁ କେନ୍ଦ୍ର କରି ଏହି ମାର୍କେଟ୍ କମ୍ପ୍ଲେକ୍ସ ତିଆରି ହୋଇଥିଲା, ସେହି ଅମାନିଆ ବସ୍ ମାଲିକଙ୍କ ମନମୁଖି ଭାବନା ପାଇଁ ଆଜି ଏଠାରେ ବ୍ୟବସାୟୀ କମ୍ ନିଶାଡ଼ି ଅଧିକ ଦେଖିବାକୁ ମିଳୁଛନ୍ତି।

ବାଧକ ସାଜିଛନ୍ତି ଜବରଦଖଲକାରୀ ଓ ଅମାନିଆ ବସ୍‌ ମାଲିକ
ମାର୍କେଟ୍ କମ୍ପ୍ଲେକ୍ସ ଚତୁଃପାର୍ଶ୍ବରେ ଜବରଦଖଲକାରୀ ଯେତିକି ଜାଗା କବ୍‌ଜା ହୋଇଛି, କମ୍ପ୍ଲେକ୍ସ ଭିତରେ ମଧ୍ୟ ସେତିକି ଜାଗା କବ୍‌ଜା କରାଯାଇଛି। କମ୍ପ୍ଲେକ୍ସରେ ଦୋକାନ କିଣିଥିବା ଲୋକେ ଆଗକୁ ଦଶଫୁଟ୍ ବଢ଼େଇ ଜାଗା ମାଡ଼ି ବସିଛନ୍ତି। ଆଉ କିଛି ଦୋକାନୀ କମ୍ପ୍ଲେକ୍ସ ଭିତରେ ଥିବା ପାଦଚଲା ରାସ୍ତାକୁ ମଧ୍ୟ ଅକ୍ତିଆର କରି ଷ୍ଟିଲ୍ ବାଡ଼ ତିଆରି କରି ଘେରାଉ କରି ରଖିଛନ୍ତି। କମ୍ପ୍ଲେକ୍ସ୍‌ର ଜଣେ ବ୍ୟବସାୟୀଙ୍କ କହିବା କଥା ହେଉଛି, ସେ ପ୍ରାୟ ୨୦ ବର୍ଷ ହେବ ଏଠାରେ ଦୋକାନ ଘର କିଣି ରାସନ୍ ଦୋକାନ ଖୋଲିଥିଲେ। ହେଲେ ଦୋକାନ ଖୋଲିବା ବେଳକୁ ବସ୍‌ଷ୍ଟାଣ୍ଡ୍‌ର ଅମାନିଆ ବସ୍ ମାଲିକ ବେଆଇନ୍ ଭାବେ ଦୋକାନ ସମ୍ମୁଖରେ ଗାଡ଼ି ପାର୍କିଂ କଲେ। ସେମାନଙ୍କୁ ବିରୋଧ କରିବାରୁ ସେମାନେ ଧମକାଇ ଜବରଦସ୍ତ ବସ୍ ପାର୍କିଂ କରୁଛନ୍ତି। ସେହିଭଳି ଆଉ କିଛି ସ୍ଥାନୀୟ ମୁଷ୍ଟିମେୟ ଲୋକ ମଧ୍ୟ ଦୋକାନ ସମ୍ମୁଖରେ ହୋଟେଲ୍ କରିଛନ୍ତି। ଦୋକାନ ସମ୍ମୁଖରେ ଯଦି ବସ୍ ପାର୍କିଂ ଓ ହୋଟେଲ୍ ରହିବ ଲୋକେ ଜାଣିବେ କେମିତି ଏଠାରେ ଦୋକାନ ଅଛି? ଏ ନେଇ ଅନେକ ଥର ବିଡିଏରେ ଅଭିଯୋଗ କରିବା ପରେ ମଧ୍ୟ କିଛି ସୁଫଳ ମିଳିଲା ନାହିଁ ବୋଲି ବ୍ୟବସାୟୀ ଜଣକ କହିଛନ୍ତି।

ଏହା ପରେ ସେ ବାଧ୍ୟ ହୋଇ ଦୋକାନ ବନ୍ଦ କରି ଗୋଦାମ ଘର କରିଥିବା କହିଛନ୍ତି। ତେବେ ମାର୍କେଟର କେବଳ ଜଣେ ବ୍ୟବସାୟୀ ନୁହନ୍ତି; ବହୁ ବ୍ୟବସାୟୀ ଏଭଳି ସମସ୍ୟାର ସମ୍ମୁଖୀନ ହୋଇ ଗୋଦାମ ଘର କରିଛନ୍ତି। ବିଡିଏର ନିୟମ ଅନୁଯାୟୀ ଦୋକାନ ଘର ବିକ୍ରି କରିବା ସମୟରେ ସର୍ତ୍ତରେ ସ୍ପଷ୍ଟ ଭାବେ ଉଲ୍ଲେଖ ଅଛି ଯେ ଦୋକାନ ଘରଗୁଡ଼ିକ କେବଳ ଦୋକାନ କରିବା ପାଇଁ ଉଦ୍ଦିଷ୍ଟ। ଅନ୍ୟ କୌଣସି କାର୍ଯ୍ୟରେ ବ୍ୟବହୃତ ହୋଇପାରିବ ନାହିଁ। ମାତ୍ର ଜବରଦଖଲ ସମସ୍ୟା ଓ ବେଆଇନ୍ ପାର୍କିଂ ସମସ୍ୟାର ସମାଧାନ ହୋଇ ନଥିବାରୁ କେବଳ କମ୍ପ୍ଲେକ୍ସ ଚାରି ପାଖ ନୁହେଁ, ଏହା ପରିସରରେ ମଧ୍ୟ ଜବରଦଖଲ ହୋଇଛି

୨୨ ବର୍ଷରେ ୨୨ଟି ଦୋକାନ ବି ଖୋଲିପାରିନି

ବିଡିଏ ତଥ୍ୟ ମୁତାବକ ୧୯୯୯ରୁ ତିଆରି ହୋଇଥିବା ଏହି ୧୪୭ ଘର ବିଶିଷ୍ଟ କମ୍ପ୍ଲେକ୍ସର ସବୁ ଘର ବିକ୍ରି ହୋଇଯାଇଛି। ମାତ୍ର ଘର ବିକ୍ରି କରିବା ପରେ ଏଠାକାର ସ୍ଥିତି କଣ ଅଛି, ସେ ବିଷୟରେ କିଛି ଖବର ରଖିନାହିଁ। ୨୨ ବର୍ଷରେ ୨୨ଟି ଦୋକାନ ମଧ୍ୟ ଠିକ୍ ଭାବେ ଖୋଲିପାରିନଥିବା ଜଣେ ବ୍ୟବସାୟୀ କହିଛନ୍ତି। ଦୋକାନ ଏଠାରେ ଭଲ ନ ଚାଲିବାରୁ କିଛି ବ୍ୟବସାୟୀ ଏହାକୁ ଗୋଦାମ ଘର କରିଥିବାବେଳେ ଆଉ କିଛି ଦୋକାନ ବନ୍ଦ ପକାଇଛନ୍ତି। ଦୋକାନ ଖୋଲୁ ନ ଥିବାରୁ ମାର୍କେଟ୍ ବର୍ତ୍ତମାନ ଜୁଆଡ଼ି ଓ ଅସାମାଜିକଙ୍କ ଆଡ଼ା ପାଲଟିଛି। ଅସାମାଜିକ ତତ୍ତ୍ବମାନେ ବିଭିନ୍ନ ଆପରାଧିକ କାଣ୍ଡ ଭିଆଇବା ପରେ ଏଠାରେ ଲୁଚନ୍ତି ବୋଲି କହିଛନ୍ତି। ଏଠାରେ ବିଶେଷ ଲୋକଙ୍କ ଆତଯାତ ହେଉନଥିବାରୁ ଏହା ତାଙ୍କ ଜୁଆ ଖେଳ ଓ ନିଶା ସେବନ ପାଇଁ ଏକ ଭୂସ୍ବର୍ଗ ପାଲଟିଛି। ଅପରପକ୍ଷରେ କମ୍ପ୍ଲେକ୍ସକୁ ଲାଗି ଏକ ପିଣ୍ଡି କରାଯାଇ ଶିବଙ୍କ ମନ୍ଦିର ତିଆରି କରାଯାଇଛି। ଏଠାରେ ଶିବଙ୍କ ପୂଜା କମ୍ ଶିବ ଭକ୍ତଙ୍କ ଗଂଜେଇ ଅଧିକ ସେବନ ହୁଏ ବୋଲି ଜଣେ ଦୋକାନୀ ଅଭିଯୋଗ କରିଛନ୍ତି। ସେହିଭଳି କମ୍ପ୍ଲେକ୍ସ୍‌ରେ ଥିବା ୭ଟି ଅଫିସ୍ ସ୍ପେସ୍ କଥା ନ କହିବା ଭଲ। ଏହି ଅଫିସ୍ ସ୍ପେସକୁ ଏକ ଘରୋଇ ଇଂଜିନିୟରିଂ କଲେଜ କିଣି ପିଲାଙ୍କୁ ପାଠ ପଢ଼ାଉଥିଲା। ତେବେ ଗତ ୭ ବର୍ଷ ତଳେ ପଟିଆରେ ଜାଗା ନେଇ ନୂଆ ଘର ହେବା ପରେ କଲେଜ ମଧ୍ୟ ସେଠାକୁ ପଳାଇଲା। ତା’ ପରଠୁ ଅଫିସ୍ ସ୍ପେସ୍ ସବୁ ଭୂତକୋଠି ହୋଇଯାଇଛି।

ସମ୍ବନ୍ଧିତ ଖବର