ବରମୁଣ୍ଡା ବସଷ୍ଟାଣ୍ଡ ନବୀକରଣ ପ୍ରସଙ୍ଗ : ଏକାସଙ୍ଗେ ଉଚ୍ଛେଦ ହେବନି ସବୁ ଦୋକାନ

ଭୁବନେଶ୍ୱର : ଆଜି ପୂର୍ବାହ୍ନ ୧୧ଟାରେ ବିଡିଏ କନ୍‌ଫରେନ୍ସ ହଲ୍‌ରେ ବରମୁଣ୍ଡା ବସଷ୍ଟାଣ୍ଡର ଗୋପବନ୍ଧୁ କ୍ଷୁଦ୍ର ବ୍ୟବସାୟୀ ସଂଘ ଓ ବିଡିଏ ଉପାଧ୍ୟକ୍ଷଙ୍କୁ ନେଇ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବସ୍‌ ମାଲିକ ସଂଘ ଯୋଗ ଦେବାର ଥିଲେ ମଧ୍ୟ ସ୍ବାସ୍ଥ୍ୟଗତ ସମସ୍ୟା କାରଣରୁ ସମ୍ପାଦକ ଯୋଗ ଦେଇପାରିନଥିଲେ। ବସଷ୍ଟାଣ୍ଡରୁ ଏକା ସଙ୍ଗେ ସବୁ ଦୋକାନକୁ ଉଚ୍ଛେଦ କରାଯିବ ନାହିଁ ବୋଲି ବିଡିଏ ଉପାଧ୍ୟକ୍ଷ ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି। ଭାଗ ଭାଗ କରି ପର୍ଯ୍ୟାୟକ୍ରମେ ବସଷ୍ଟାଣ୍ଡର ଉନ୍ନତୀକରଣ କାର୍ଯ୍ୟ କରାଯିବ। ପ୍ରଥମେ ବସଷ୍ଟାଣ୍ଡର ଯେଉଁ ପାର୍ଶ୍ବ କାମ ସରିବ ସେଠାକୁ ଅପରପାର୍ଶ୍ବର ଉଚ୍ଛେଦ ହେବାକୁ ଥିବା ଦୋକାନକୁ ସ୍ଥାନାନ୍ତରଣ କରାଯିବ ବୋଲି ସଂଘର ସଂପାଦକ ରାମ ରଣସିଂହ କହିଛନ୍ତି। ଏହିପରି ଧୀରେ ଧୀରେ କାମ ସମ୍ପୂର୍ଣ୍ଣ ହେବା ଭିତରେ ସଂଘର ସମସ୍ତ ପଞ୍ଜୀକୃତ ଦୋକାନୀମାନଙ୍କୁ ଦୋକାନ ଘର ଦିଆଯିବ ଓ ବିଡିଏ କିସ୍ତି କିସ୍ତିରେ ଦୋକାନୀଙ୍କଠାରୁ ଟଙ୍କା ଆଦାୟ କରିବ ବୋଲି ସେ କହିଛନ୍ତି। ଅକ୍ଟୋବର ୧୫ ତାରିଖରେ ଖଣ୍ଡଗିରି ଆଗକୁ ଏକ ଘରୋଇ ସ୍କୁଲ୍ ପାଖକୁ ବସଷ୍ଟାଣ୍ଡକୁ କିଛି ବର୍ଷ ପାଇଁ ସ୍ଥାନାନ୍ତରଣ କରିବାକୁ ଶୁଣାଯାଉଛି ବୋଲି ବସ୍ ମାଲିକ ସଂଘର ମୁଖପାତ୍ର ଦେବାଶିଷ ନାୟକ କହିଛନ୍ତି। ତେବେ ଯାତ୍ରୀମାନଙ୍କ ଖାଇବା, ପିଇବା, ବିଶ୍ରାମ ଓ ଶୌଚାଳୟ ବ୍ୟବସ୍ଥା ହୋଇଥିବା ସ୍ଥାନକୁ ବସଷ୍ଟାଣ୍ଡ ସ୍ଥାନାନ୍ତରଣ କରାଗଲେ ସଂଘର କୌଣସି ସମସ୍ୟା ନାହିଁ ବୋଲି ସେ କହିଛନ୍ତି। ଏହା ସହିତ ଷ୍ଟାଣ୍ଡକୁ ଯାତ୍ରୀ ଯିବା ଆସିବା ପାଇଁ ଯାତାୟାତର ସୁବିଧା ଓ ସବୁ ବସ୍ ରହିବା ପାଇଁ ବ୍ୟବସ୍ଥା ହୋଇଥିବା ଦରକାର ବୋଲି ଶ୍ରୀ ନାୟକ କହିଛନ୍ତି। ଆଗାମୀ ବୈଠକରେ ଏ ବାବଦରେ ସବୁ ପ୍ରକାରର ଆଲୋଚନା କରାଯିବ ବୋଲି ସେ କହିଛନ୍ତି। ତେବେ ଆଜିର ବୈଠକ ପରେ ଦୋକାନ ଉଚ୍ଛେଦକୁ ନେଇ ଲାଗି ରହିଥିବା ବିବାଦର ଏକପ୍ରକାର ସମାଧାନ ହୋଇଯାଇଛି ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର