ସିଲ୍‌ ହେଲା ବସେରା କମ୍ପ୍ଲେକ୍ସ

ବେଆଇନ୍ ନିର୍ମାଣ ପାଇଁ କେନ୍ଦ୍ରୀୟ ଉଚ୍ଛେଦ ଟିମ୍‌ର କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର: ସିଜୁଆସ୍ଥିତ ଭୁବନେଶ୍ବର ଏମ୍‌ସ ନିକଟରେ ବେଆଇନ ଭାବେ ନିର୍ମାଣ ହେଉଥିବା ଏକ ଆପାର୍ଟମେଣ୍ଟ କମ୍ପ୍ଲେକ୍ସକୁ ଆଜି ବିଡିଏ, ବିଏମ୍‌ସି ଓ କମିସନରେଟ୍ ପୁଲିସର କେନ୍ଦ୍ରୀୟ ଉଚ୍ଛେଦକାରୀ ପରିଚାଳନା କମିଟି ସିଲ୍‌ କରିଛି। ଓଡିଏ କୋର୍ଟର ନିର୍ଦ୍ଦେଶ ଅନୁଯାୟୀ ଏହି ଆପାର୍ଟମେଣ୍ଟ କମ୍ପ୍ଲେକ୍ସକୁ ସିଲ୍ କରାଯାଇଥିବା କୁହାଯାଇଛି। ବିଡିଏର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ବସେରା ଡିଜାଇନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ପକ୍ଷରୁ ସିଜୁଆରେ ଆପାର୍ଟମେଣ୍ଟ ନିର୍ମାଣ ପାଇଁ ବିଡିଏରୁ ୨୦୧୩ ମସିହାରେ ସଂସ୍ଥାର ପରିଚାଳନା ‌ନିର୍ଦ୍ଦେଶକ ପ୍ଲାନ୍ ନେଇଥିଲେ। କିନ୍ତୁ ଏହାପରେ ସେ ପ୍ଲଟ୍‌ ନଂ ୭୨/୫୨୩, ୭୩/୫୩୪, ୭୩/୫୪୫, ୭୨/୫୪୮ ଏବଂ ୭୧/୫୪୦ରେ ବେଆଇନ ଭାବେ ଆପାର୍ଟମେଣ୍ଟ ନିର୍ମାଣ କରିଥିଲେ। ଯେତିକି ଅଞ୍ଚଳରେ ଆପାର୍ଟମେଣ୍ଟ ନିର୍ମାଣ ପାଇଁ ପ୍ଲାନ୍ ପାଇଥିଲେ ତାହାଠାରୁ ଅଧିକ ଅଞ୍ଚଳରେ ବେଆଇନ ଭାବେ ନିର୍ମାଣ କରିଥିଲେ। ଏହାପରେ ବସେରା ଡିଜାଇନ୍ ପ୍ରାଇଭେଟ୍‌ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ ମନୋଜ କୁମାର ପଟ୍ଟନାୟକଙ୍କ ବିରୋଧରେ ଅଗଷ୍ଟ ୧୯, ୨୦୧୫ରେ ଓଡିଏ କୋର୍ଟରେ ୟୁପିଏ -୨୨୪/୨୦୧୫ ମାମଲା ରୁଜୁ ହୋଇଥିଲା। ଶ୍ରୀ ପଟ୍ଟନାୟକଙ୍କୁ ଓଡିଏ କୋର୍ଟରେ ହାଜର ହେବାକୁ ନୋଟିସ୍‌ ହୋଇଥିଲେ ହେଁ ସେ ହାଜର ହୋଇ ନଥିଲେ। ପ୍ରକଳ୍ପ ସତ୍ତ୍ବାଧିକାରୀଙ୍କଠାରୁ କୌଣସି ଉତ୍ତର ନମିଳିବାରୁ ଓଡିଏ ଆକ୍ଟ ୧୯୮୨ର ଧାରା ୯୨ ଏବଂ ଉପଧାରା ୨ ଅନୁଯାୟୀ କେନ୍ଦ୍ରୀୟ ଉଚ୍ଛେଦକାରୀ ମିଳିତ ଟିମ୍ ଏହି ଆପାର୍ଟମେଣ୍ଟକୁ ସିଲ୍‌ କରିଲା। ବିଡିଏର ଉଚ୍ଛେଦକାରୀ ଟିମ୍‌ ପକ୍ଷରୁ ପ୍ରଥମ କରି ଏହିପରି ସଂପୂର୍ଣ୍ଣ ପ୍ରକଳ୍ପ ସିଲ୍‌ କରାଗଲା। ଏହି ଆପାର୍ଟମେଣ୍ଟ କମ୍ପ୍ଲେକ୍ସ ସିଲ୍‌ ସମୟରେ କମିସନରେଟ୍ ପୁଲିସର ଏସିପି-୩ ପ୍ରାଣକୃଷ୍ଣ ରାଉତ, ବିଡିଏର ଏନଫୋର୍ସମେଣ୍ଟ ଅଧିକାରୀ-୨ ପ୍ରମୋଦ କୁମାର ପାତ୍ର, ବିଡିଏର ଲିଆସନିଙ୍ଗ୍ ଅଧିକାରୀ ଶୁଭ୍ରାଂଶୁ ଶେଖର ମହାନ୍ତି, ଖଣ୍ଡଗିରି ଥାନା ଏଏସ୍‌ଆଇ ପୂର୍ଣ୍ଣଚନ୍ଦ୍ର ଦଳେଇ, ଏକ ପ୍ଲାଟୁନ୍ ଏପିଆର୍‌ ପୁରୁଷ ପୋ‌ଲିସ୍‌ ଫୋର୍ସ, ଏକ ପ୍ଲାଟୁନ୍ ମହିଳା ପୁଲିସ ଫୋର୍ସ, ବିଏମ୍‌ସି ଓ ବିଡିଏର ୪ଟି ଫୋର୍ସ, ବିଏମ୍‌ସି ଓ ବିଡିଏର ଜମି ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। କେନ୍ଦ୍ରୀୟ ଉଚ୍ଛେଦକାରୀ ଟିମ୍‌ର ସୂଚନା ଅନୁଯା‌ୟୀ, ବସେରା ‌କମ୍ପ୍ଲେକ୍ସରେ ଏବେ ୩ଟି ବ୍ଲକ୍ ଏସ୍‌+୨ର ନିର୍ମାଣ ହୋଇଛି। ସବୁ ବ୍ଲକ୍‌ରେ ଆମେ ପ୍ରକଳ୍ପକୁ ସିଲ୍‌ କରାଗଲା ବୋଲି ନୋଟିସ୍‌ ଲଗାଇଛୁ। ଏହାସହ ପ୍ରକଳ୍ପର ମୁଖ୍ୟ ଫାଟକକୁ ଜଉମୁଦ ଦେଇ ସିଲ୍‌ କରିଛୁ। ଏବେ ଏଠାରେ କୌଣସି ନିର୍ମାଣ କାର୍ଯ୍ୟ ହୋଇପାରିବନି। ଯଦି ସଂସ୍ଥା ପକ୍ଷରୁ କୌଣସି କାମ ହୁଏ ତେବେ ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ।

ସମ୍ବନ୍ଧିତ ଖବର