ଭୁବନେଶ୍ୱର: ‘ସଂଭାବନା’ ପକ୍ଷରୁ ଆରମ୍ଭ ହୋଇଥିବା ଶ୍ରେଷ୍ଠ ଓଡ଼ିଆଣୀ ପ୍ରତିଯୋଗିତା ଉଦ୍‌ଯାପନୀ ଉତ୍ସବର ଦ୍ୱିତୀୟ ସଂଧ୍ୟା ମିଠା ପାନର ମହକରେ ଭରିଯାଇଛି। ଅନୁଷ୍ଠାନର ଅଧ୍ୟକ୍ଷ ଶରତ ଚନ୍ଦ୍ର ଭଦ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଦ୍ୱିତୀୟ ସଂଧ୍ୟାରେ ମୁଖ୍ୟ ଅତିଥି ଭାବେ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଞ୍ଜନ ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ସିପିଆଇର ଜାତୀୟ ସଂପାଦକ ରାମକୃଷ୍ଣ ପଣ୍ଡା, ୨୦୧୨ର ଶ୍ରେଷ୍ଠ ଓଡ଼ିଆଣୀ ନିବେଦିତା ମଲ୍ଲିକ, ୨୦୦୯ର ନିରୁପମା ଦାଶ, ୨୦୧୩ର ବିଜୟଲକ୍ଷ୍ମୀ ସା, ୨୦୧୮ର ଚନ୍ଦ୍ରପ୍ରଭା ଦାସ ଓ ଅନୁଷ୍ଠାନର ପରିଚାଳନା ଟ୍ରଷ୍ଟି ଦେବ ପ୍ରସାଦ ପରିଜା ପ୍ରମୁଖ ଯୋଗ ଦେଇଥିଲେ। ଉତ୍ସବ ସ୍ଥଳରେ ଓଡ଼ିଆଣୀମାନଙ୍କ ଦ୍ୱାରା ପ୍ରସ୍ତୁତ ମିଠାପାନ ରଜ ଉତ୍ସବକୁ ମନେପକାଇ ଦେଇଥିଲା। 

Advertisment

ଟ୍ରଷ୍ଟି ସ୍ମୃତି ମହାନ୍ତିଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ପ୍ରତିଯୋଗିତାର ବିଚାରକ ଭାବେ ସାମ୍ବାଦିକ ବିଜୟ କୁମାର ମହାନ୍ତି, ସାହିତ୍ୟିକ ରକ୍ଷକ ନାୟକ ଓ ଅମିୟ ବିକ୍ରମ ଭୁୟାଁ ପ୍ରମୁଖ ଯୋଗ ଦେଇଥିଲେ। ସେହିପରି ଦଳଗତ ଆଲୋଚନାରେ ନିରୂପମା ମହାପାତ୍ର, ସଂଘମିତ୍ରା ମହାପାତ୍ର ଓ ଅଧ୍ୟାପକ ଅମ୍ବରୀଶ ଶତପଥୀ ଏବଂ ଶିଶୁ କିଶୋରଙ୍କ ସୁଗମ ସଂଗୀତ ପ୍ରତିଯୋଗିତାରେ ବିଶିଷ୍ଟ ସଂଗୀତ ଶିଳ୍ପୀ ତଥା ଅଧ୍ୟାପକ ନିମାକାନ୍ତ ରାଉତରାୟ ଓ ହରପ୍ରିୟା ସ୍ୱାଇଁ ଯୋଗ ଦେଇଥିଲେ। ଏହି ଅବସରରେ ଶିଳ୍ପୀମାନେ ଓଡ଼ିଶୀ ନୃତ୍ୟ ପରିବେଷଣ କରିବା ସହ ଓଡ଼ିଆ ଲଘୁ ସଂଗୀତ ମଧ୍ୟ ପରିବେଷିତ ହୋଇଥିଲା। କାର୍ଯ୍ୟକ୍ରମକୁ ଟ୍ରଷ୍ଟି ସ୍ମୃତି ମହାନ୍ତି, ସଦସ୍ୟ ରାଜଶ୍ରୀ ଶତପଥି, ପ୍ରଫୁଲ୍ଲ ଦେ, ଅଭିରାମ ସାହୁ ପ୍ରମୁଖ ପରିଚାଳନା କରିଥିଲେ। ରବିବାର ଓଡ଼ିଆଣୀଙ୍କ ମଧ୍ୟରେ ପାରମ୍ପରିକ ସଂଗୀତ ଓ ଦଳଗତ ଆଲୋଚନା ପ୍ରତିଯୋଗିତା ଅନୁଷ୍ଠିତ ହେବ ବୋଲି ସୂଚନା ଦିଆଯାଇଛି।