ଭୁବନେଶ୍ୱର: ଏକାମ୍ର ହାଟରେ ଚାଲିଥିବା ସଂଭାବନା ଶ୍ରେଷ୍ଠ ଓଡ଼ିଆଣୀ ପ୍ରତିଯୋଗିତା ଶେ‌ଷ ହୋଇଛି। ଆଜି ଉଦ୍‌ଯାପନୀ ସଂଧ୍ୟାରେ ଅତିଥି ଭାବେ ମନ୍ତ୍ରୀ ସମୀର ରଞ୍ଜନ ଦାସ, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ସାହିତ୍ୟିକ ଦାଶ ବେନହୁର, ମହିଳା ଓ ଶିଶୁ କଲ୍ୟାଣ ବିଭାଗର ଅତିରିକ୍ତ ଶାସନ ସଚିବ ମନସ୍ୱିନୀ ସାହୁ, ସମାଜସେବୀ ରୋଜାଲିନ୍‌ ପାଟ୍ଟଶାଣୀ, ଦୈନିକ ‘ଦିନଲିପି’ର ସଂପାଦିକା ଅନ୍ନପୂର୍ଣ୍ଣା ଦାଶ ଏବଂ ୨୦୨୨ର ଶ୍ରେଷ୍ଠ ଓଡ଼ିଆଣୀ ବେବିରାଣୀ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

Advertisment

ସଂଭାବନାର ଅଧ୍ୟକ୍ଷ ଶରତ ଚନ୍ଦ୍ର ଭଦ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସଂପାଦକ ଦେବ ପ୍ରସାଦ ପରିଜା ପ୍ରାରମ୍ଭିକ ସୂଚନା ଦେଇଥିଲେ। ସଂଭାବନାର ଟ୍ରଷ୍ଟି ସ୍ମୃତି ମହାନ୍ତିଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ଉତ୍ସବରେ ବିଭିନ୍ନ ନୃତ୍ୟ ପରିବେଷଣ ହେବା ସହ କଣ୍ଠଶିଳ୍ପୀ ଛନ୍ଦା ମିଶ୍ର, ସିଦ୍ଧାନ୍ତ ଶତପଥୀ, ଅର୍ଣ୍ଣବ ପଣ୍ଡା ପ୍ରମୁଖ ମନଛୁଆଁ ଓଡ଼ିଆ ଗୀତ ପରିବେଷଣ କରିଥିଲେ। ସଦସ୍ୟା ଛନ୍ଦା ମିଶ୍ର, ରାଜଶ୍ରୀ ଶତପଥୀ, ପ୍ରଫୁଲ୍ଲ ଦେ, ଗୁରୁ ପ୍ରସାଦ ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ଅବସରରେ ପଣା ପରିବେଷଣ ଅନ୍ୟତମ ଆକର୍ଷଣ ଥିଲା।

ବିଭିନ୍ନ ବର୍ଷର ଶ୍ରେଷ୍ଠ ଓଡ଼ିଆଣୀ ବାସନ୍ତୀ ପଟ୍ଟନାୟକ, ସୁଶିଳା ରଥ, ନିରୁପମା ଦାଶ, ସୁଜାତା ମହାନ୍ତି, ନିବେଦିତା ମଲ୍ଲିକ, ବିଜୟଲକ୍ଷ୍ମୀ ସା, ଲୋରିସ୍ନା ବିଶ୍ୱାଳ, ସ୍ୱୟଂପ୍ରଭା ସାହୁ, ସୌଦାମିନୀ ସାମଲ, ମଧୁସ୍ମିତା ଦାସ, ଚନ୍ଦ୍ରପ୍ରଭା ଦାସ, ମୀନା ପାଣିଗ୍ରାହୀ, ରଶ୍ମି ସାହୁ ଓ ବେବିରାଣୀ ଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଚଳିତ ବର୍ଷର ଶ୍ରେଷ୍ଠ ଓଡ଼ିଆଣୀ ପ୍ରତିଯୋଗିତାର ଫଳାଫଳ ଘୋଷଣା ଓ ସମ୍ବର୍ଦ୍ଧନା ଉତ୍ସବ ମଧୁ ଜୟନ୍ତୀର ଅବ୍ୟବହିତ ପୂର୍ବରୁ ଏପ୍ରିଲ୍‌ ୨୭ରେ ଜୟଦେବ ଭବନ ପ୍ରେକ୍ଷାଳୟଠାରେ ଅନୁଷ୍ଠିତ ହେବ ବୋଲି ସୂଚନା ଦିଆଯାଇଛି। ଓଡ଼ିଆଣୀ ବେଶଭୂଷା ଦକ୍ଷତା ପ୍ରତିଯୋଗିତାର ବିଚାରକ ଭାବେ ଚିତ୍ରଶିଳ୍ପୀ ଗଜେନ୍ଦ୍ର ପାଢ଼ୀ, ଅମ୍ବୁଜ ଶତପଥୀ ଓ ପ୍ରଫେସର ସନ୍ତୋଷ ତ୍ରିପାଠୀ ଯୋଗଦେଇଥିଲେ। ଏହି ଅବସରରେ ଏକାମ୍ର ହାଟସ୍ଥିତ ହୋଟେଲ ସୌକିନରେ ‘ସଂଭାବନା ସଂପର୍କ କେନ୍ଦ୍ର’କୁ ଉଦ୍‌ଘାଟନ କରାଯାଇଥିଲା। ହୋଟେଲ୍‌ର ସତ୍ତ୍ୱାଧିକାରିଣୀ ସଂଗୀତା ପଟ୍ଟନାୟକ ସଂଯୋଜିକା ରହିବେ ଏବଂ ଏହି କେନ୍ଦ୍ର ସଂଭାବନାର ବିଭିନ୍ନ କାର୍ଯ୍ୟକ୍ରମର ସୂଚନା ଓ ଯୋଗାଯୋଗ କେନ୍ଦ୍ର ଭାବେ କାମ କରିବ ବୋଲି କୁହାଯାଇଛି।