ଭୁବନେଶ୍ୱର: ‘ସଂଭାବନା’ ପକ୍ଷରୁ ଅଷ୍ଟାଦଶ ବର୍ଷରେ ପହଞ୍ଚିଥିବା ‘ଓଡ଼ିଆ ମହୋତ୍ସବ’ର ମୁଖ୍ୟ ଆକର୍ଷଣ ‘ଶ୍ରେଷ୍ଠ ଓଡ଼ିଆଣୀ ପ୍ରତିଯୋଗିତା’ ଆଜି ଆରମ୍ଭ ହୋଇଛି। ଏହି ଅବସରରେ ଓଡ଼ିଆଣୀମାନଙ୍କ ମଧ୍ୟରେ ପୁରାଣ ପାଠ, ହୁଳହୁଳି ଓ ଶଙ୍ଖଫୁଙ୍କା ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ଏଥିସହ ହସ୍ତାକ୍ଷର, ଚିତ୍ରାଙ୍କନ, ଶ୍ରୁତଲିଖନ ଓ ସାଧାରଣ ଜ୍ଞାନ ପ୍ରତିଯୋଗିତାରୁ ‘ଶିଶୁ-କିଶୋର ଓଡ଼ିଆ ସ୍ୱାଭିମାନ ପ୍ରତିଯୋଗିତା’ର ମଧ୍ୟ ଶୁଭାରମ୍ଭ ହୋଇଛି।
ଏକାମ୍ର ହାଟର ମୁକ୍ତାକାଶ ମଞ୍ଚରେ ଓଡ଼ିଆଣୀମାନେ ଜଣକ ପରେ ଜଣେ ଆସି ଶାରଳା ଦାସଙ୍କ ମହାଭାରତ, ଜଗନ୍ନାଥ ଦାସଙ୍କ ଭାଗବତ ଓ ବଳରାମ ଦାସଙ୍କ ଲକ୍ଷ୍ମୀ ପୁରାଣ ଆଦି ବିଭିନ୍ନ ଓଡ଼ିଆ ପୁରାଣ ପାଠ କରିଥିଲେ।

Advertisment

ହୁଳହୁଳି ସହ ଶଙ୍ଖନାଦରେ ପ୍ରକମ୍ପିତ ହୋଇଥିଲା ଏକାମ୍ର ହାଟର ପରିବେଶ। ଉଦ୍‌ଘାଟକ ଭାବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ପ୍ରମୁଖ ଅତିଥି ଭାବେ ବିଧାୟକ ଅନନ୍ତ ନାରାୟଣ ଜେନା, ସମ୍ମାନିତ ଅତିଥି ଭାବେ ଟିମ୍ ଆଡମାର୍କର ଅଧ୍ୟକ୍ଷ ନିଶିକାନ୍ତ ମିଶ୍ର ଓ ୨୦୨୨ର ଶ୍ରେଷ୍ଠ ଓଡ଼ିଆଣୀ ବେବିରାଣୀ ଦାସ ମଧ୍ୟ ମଞ୍ଚରେ ଉପସ୍ଥିତ ଥିଲେ। ସଂଭାବନାର ଅଧ୍ୟକ୍ଷ ଶରତ ଚନ୍ଦ୍ର ଭଦ୍ର ଅଧ୍ୟକ୍ଷତା କରିଥିଲେ। ସଂଭାବନାର ପରିଚାଳନା ଟ୍ରଷ୍ଟି ଦେବପ୍ରସାଦ ପରିଜା ପ୍ରାରମ୍ଭିକ ସୂଚନା ଦେଇଥିଲେ। କଣ୍ଠଶିଳ୍ପୀ ଛନ୍ଦା ମିଶ୍ର, ସିଦ୍ଧାନ୍ତ ଶତପଥୀ ଓ ଅର୍ଣ୍ଣବ ପଣ୍ଡା ସଙ୍ଗୀତ ପରିବେଷଣ କରିଥିଲେ। ସେହିପରି ଶ୍ରଦ୍ଧା ସୁମନ ରଥଙ୍କ ପ୍ରସ୍ତୁତ ଓଡ଼ିଶୀ ଥିଲା ସଂଧ୍ୟାର ଅନ୍ୟ ଏକ ଆକର୍ଷଣ। ସଂଭାବନାର ଟ୍ରଷ୍ଟି ସ୍ମୃତି ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପୁରାଣ ଆବୃତି ପ୍ରତିଯୋଗିତାର ବିଚାରକ ଭାବେ ଉପସ୍ଥିତ ଥିଲେ ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ, ଲଡ଼ୁ କିଶୋର ପଢ଼ିହାରୀ ଓ ମନୋଜ କୁମାର ଶତପଥୀ।