ବାଲିପାଟଣା: ପାନ ଚାଷୀ ମୁଣ୍ଡରେ ଚଡ଼କ

ବାତ୍ୟାରେ ଭାଙ୍ଗିଗଲା ୪ ହଜାର ବରଜ, ‌ସରକାରୀ ସହାୟତା ସମୁଦ୍ରକୁ ଶଙ୍ଖେ, ବଜାରରେ ପାନଦର ଆକାଶ ଛୁଆଁ

ବାଲିପାଟଣା : ଗତ ୩ ତାରିଖରେ ହୋଇଥିବା ବାତ୍ୟା ‘ଫନି’ ବାଲିପାଟଣା ବ୍ଲକର ପାନ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି। ବ୍ଲକରେ ଥିବା ପ୍ରାୟ ୪ ହଜାର ବରଜ ବାତ୍ୟାରେ ଭାଙ୍ଗି ଯାଇଥିବା ବେଳେ ଅବଶିଷ୍ଟ ବରଜରେ ଥିବା ପାନପତ୍ର ଏବେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ପୋଡ଼ି ଯାଉଛି। ଫଳରେ ଚାଷୀ କମ୍‌ ଦରରେ ପାନପତ୍ରଗୁଡ଼ିକୁ ବିକିବାକୁ ବାଧ୍ୟ ହେଉଛି।

ବ୍ଲକର ମଝିହରା, ତୁରନ୍ତିରା, ନରିଶୋ, ଦେଉଳିଧରପୁର, ଗୁଆପୁର, ମାର୍ଥାପୁର ଆଦି ପଞ୍ଚାୟତର ହଜାର ହଜାର ଚାଷୀ ପାନବରଜରୁ ନିଜ ପରିବାରର ଗୁଜୁରାଣ ମେଣ୍ଟାଇଥାନ୍ତି। ସେମାନଙ୍କ ଦ୍ୱାରା ଉତ୍ପାଦିତ ଏହି ପାନ ଓଡ଼ିଶାର ବିଭିନ୍ନ ସ୍ଥାନ ସମେତ ଦିଲ୍ଲୀ, ମୁମ୍ବାଇ, ବିହାରର ସତନା, କାନପୁର, ଆହ୍ଲାବାଦ, କୋଲକାତା ଆଦି ସ୍ଥାନକୁ ରପ୍ତାନୀ ହୋଇଥାଏ। କିନ୍ତୁ ‘ଫନି’ ପରଠାରୁ ଏଥିରେ ରୋକ୍‌ ଲାଗି ଯାଇଛି। ସୂଚନା ଅନୁଯାୟୀ, ହଜାରେ ବଡ଼ପାନ (ଦୁଇ ଫାଳିଆ)କୁ ୧୦୦୦/୧୨୦୦ଟଙ୍କା, ମଧ୍ୟମ ଆକୃତିର ପାନକୁ ୭୦୦ରୁ ୮୦୦ ଟଙ୍କା ଏବଂ ରାଶି ପାନ ୨୫୦/୩୦୦ ଟଙ୍କା ମଧ୍ୟରେ ବିକ୍ରି ହୋଇଥାଏ। କିନ୍ତୁ ଏବେ ଏହି ଦର ହ୍ରାସ ପାଇଛି। ପାନଗୁଡ଼ିକ ନଷ୍ଟ ହୋଇ ଯାଉଥିବାରୁ ଚାଷୀ ଏହାକୁ ଅତି କମ୍‌ ଦରରେ ବ୍ୟବସାୟୀମାନଙ୍କୁ ବିକ୍ରି କରି ଦେଉଥିବା ଜଣାଯାଇଛି। କିନ୍ତୁ ବଜାରରେ ପାନର ଅଭାବ ଦର୍ଶାଇ ବ୍ୟବସାୟୀମାନେ ଉଚ୍ଚ ଦରରେ ପାନ ବିକ୍ରି କରୁଥିବା ଜଣାଯାଇଛି। ବଜାରରେ ଏବେ ପାନଦର ଆକାଶଛୁଆଁ। ପାନ କଡ଼ା ୬୦ରୁ ୮୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ୧୦୦ ପାନକୁ ଦେଢ଼ଶହ ଟଙ୍କାରୁ ଅଧିକରେ ବିକ୍ରି କରାଯାଉଛି।

ଧାନହରାର ଜଣେ ପାନଚାଷୀ ପ୍ରସନ୍ନ ମଲ୍ଲିକଙ୍କ କହିବା ଅନୁଯାୟୀ, ବାତ୍ୟାରେ ତାଙ୍କର ୩ଟି ବରଜ ମାଟିରେ ମିଶି ଯାଇଛି। ଫଳରେ ୧୨ ସଦସ୍ୟ ବିଶିଷ୍ଟ ପରିବାରର ଭରଣପୋଷଣ କେମିତି କରିବେ, ତାଙ୍କୁ କିଛି ବୁଦ୍ଧିବାଟ ଦିଶୁ ନାହିଁ। ତାଙ୍କର ଏକମାତ୍ର ରୋଜଗାରର ପନ୍ଥା ଏହି ପାନବରଜ ଥିଲା। ସରକାରଙ୍କ ତରଫରୁ ବରଜ ବାବଦକୁ ୧୫ ହଜାର ଟଙ୍କା ସହାୟତା ପାଇଁ ସ୍ଥିର ହୋଇଥିଲେ ହେଁ ତାହା ସମୁଦ୍ରକୁ ଶଙ୍ଖେ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର