ବିଶ୍ବାସଘାତକ ଚାକର!: ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ଘରୁ ନେଇଗଲା ୩୦ ଲକ୍ଷ

ଭୁବନେଶ୍ବର: ବହୁ ଚର୍ଚ୍ଚିତ ଚିଟ୍‌ଫଣ୍ଡ ମାମଲାର ଅନ୍ୟତମ ଅଭିଯୁକ୍ତ ଶୁଭଙ୍କର ନାୟକଙ୍କ ଘରୁ ୩୦ ଲକ୍ଷ ଟଙ୍କା ଚୋରି ହୋଇଯାଇଛି ବୋଲି ଅଭିଯୋଗ ହୋଇଛି। ଏନେଇ ଶୁଭଙ୍କରଙ୍କ ମା ସୁଧା ନାୟକ ଖାରବେଳନଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ତାଙ୍କ ଘରର ଚାକର ଆଲୋକ ବେହେରା ଆଲ୍‌ମିରା ଭାଙ୍ଗି ୩୦ ଲକ୍ଷ ଟଙ୍କା ନେଇ ଯାଇଥିବା ସେ ଏତଲାରେ ଉଲ୍ଲେଖ କରିଛନ୍ତି। ପୁଲିସ ଅଭିଯୋଗ ପାଇବା ପରେ ଆଲୋକକୁ ଠାବ କରିବାକୁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।

ଶ୍ରୀମତୀ ନାୟକଙ୍କ ଏତଲା ଅନୁଯାୟୀ ସେ ଖାରବେଳନଗରସ୍ଥିତ ଚନ୍ଦ୍ରମା ହାଉସିଂ କମ୍ପ୍ଲେକ୍ସରେ ରହୁଛନ୍ତି। ୭ ତାରିଖ ଅପରାହ୍ନ ସାଢ଼େ ୧୨ଟା ବେଳେ ସେ ଏକ ଜରୁରୀ କାମରେ ବଜାରକୁ ଯାଇଥିଲେ। ଚାକର ଆଲୋକ ବେହେରା ଘରେ ଏକାକୀ ଥିଲା। ସେ ବଜାରରୁ ଫେରିବା ବେଳକୁ ଘରର କବାଟ ମୁକୁଳା ପଡ଼ିଥିବା ଦେଖି ଆଲୋକକୁ ଡାକିଥିଲେ। ମାତ୍ର ସେ ସେତେବେଳକୁ ଘରେ ନଥିଲା। ସୁଧା ଘର ଭିତରକୁ ଯାଇ ଦେଖିଲା ବେଳକୁ ଆଲ୍‌ମିରା ବି ଖୋଲାଥିଲା। ଚାବି ତାଙ୍କ ପାଖରେ ଥିଲେ ବି ଆଲ୍‌ମିରା ଡୋର୍ ଭଙ୍ଗା ହୋଇ ଯାଇଥିଲା। ପରେ ସେ ଦେଖିଲେ ଯେ ଏକ ଜମି କିଣିବାକୁ ରଖିଥିବା ୩୦ଲକ୍ଷ ଟଙ୍କା ଚୋରି ହୋଇଯାଇଛି। ସିସି କ୍ୟାମେରା ଯାଞ୍ଚ କରିବାରୁ ଜଣାପଡ଼ିଲା ଯେ ଆଲୋକ ଏକ ଧଳା ବ୍ୟାଗ୍ ନେଇ ବାହାରକୁ ଯାଉଛି। ଜମି କିଣିବା ପାଇଁ ଆଲ୍‌ମିରାରେ ଟଙ୍କା ରହିଥିବା ବାବଦରେ ଆଲୋକକୁ ଜଣାଥିଲା। ତେଣୁ ମଉକା ଦେଖି ସେ ଏହି କାଣ୍ଡ କରିଛି ବୋଲି ସୁଧା ଏତଲା‌ରେ ଦର୍ଶାଇଛନ୍ତି।

ସମ୍ବନ୍ଧିତ ଖବର