ଖଣ୍ଡଗିରି: ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ (ଓୟୁଏଟି) ଅଧୀନସ୍ଥ କୃଷି ଇଞ୍ଜିନିୟରିଂ କଲେଜରେ ୨୧ ଦିନିଆ ଶୀତକାଳୀନ ଶିବିର ଉଦ୍ଘାଟିତ ହୋଇଛି। ଉତ୍ସବରେ ଓୟୁଏଟିର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ ମୁଖ୍ୟ ଅତିଥି, ଜଳ ପରିଚାଳନା ସଂସ୍ଥାନର ନିର୍ଦ୍ଦେଶକ ଅର୍ଜମାଦତ୍ତ ଷଡ଼ଙ୍ଗୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।
ପ୍ରଫେସର୍ ରାଉଳ କହିଥିଲେ, କୃଷି କ୍ଷେତ୍ରରେ ପ୍ରାକୃତିକ ସମ୍ପଦର ସଂରକ୍ଷଣ ସହ ତାହାର ସୁବିନିଯୋଗ କରି କୃଷି ଉତ୍ପାଦନର ବୃଦ୍ଧି କରାନଗଲେ ଆଗାମୀ ଦିନରେ ଦେଶରେ ଖାଦ୍ୟ ସମସ୍ୟା ଉତ୍କଟ ହେବ। ଏଥିପାଇଁ ଉପଗ୍ରହ ସମ୍ବଳିତ ବୈଷୟିକ ଜ୍ଞାନ ସହ ନୂଆନୂଆ ମଡେଲ ପ୍ରୟୋଗ କରିବାର ଆବଶ୍ୟକତା ରହିଛି ବୋଲି ସେ ମତ ରଖିଥିଲେ। ସମ୍ମାନିତ ଅତିଥି ଶ୍ରୀ ଷଡ଼ଙ୍ଗୀ କୃଷି ଉତ୍ପାଦନ ପାଇଁ ଜଳର ଆବଶ୍ୟକତା ଓ ଏହାର ସୁବିନିଯୋଗ କିପରି କରି ହେବ, ସେ ସମ୍ପର୍କରେ ନିଜର ଅଭିଭାଷଣ ରଖିଥିଲେ। କାର୍ଯ୍ୟକ୍ରମରେ କୃଷି ଇଞ୍ଜିନିୟରିଂ କଲେଜର ଡିନ୍ ପ୍ରଫେସର୍ ସଂଜୟ ଦାଶ ଓ ବିଭାଗୀୟ ମୁଖ୍ୟ ପ୍ରଫେସର୍ ଜଗଦୀଶ ଚନ୍ଦ୍ର ପାଲ ଯୋଗ ଦେଇଥିଲେ। ପ୍ରକଳ୍ପ ଡାଇରେକ୍ଟର୍ ଭରତ ଚନ୍ଦ୍ର ସାହୁ ଧନ୍ୟବାଦ ଦେଇଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଗବେଷଣା ଅଧ୍ୟକ୍ଷ ପ୍ରଫେସର୍ ସଂଗ୍ରାମ କେଶରୀ ସ୍ବାଇଁ, ସମ୍ପ୍ରସାରଣ ଅଧ୍ୟକ୍ଷ ପ୍ରଫେସର ପ୍ରସନ୍ନଜିତ ମିଶ୍ର, ପ୍ରଫେସର୍ ଦେବରାଜ ବେହେରା, କୃଷି କଲେଜ ଡିନ୍ ପ୍ରଫେସର୍ ହୃଷୀକେଶ ପାତ୍ର, ଭେଟେରେନାରି କଲେଜର ଡିନ୍ ପ୍ରଫେସର୍ ସୁଶେନ କୁମାର ପଣ୍ଡା, ଯୋଜନା ନିର୍ଦ୍ଦେଶକ ପ୍ରଫେସର୍ ଦୟାନିଧି ମିଶ୍ର ଏବଂ ମୃତ୍ତିକା ବିଭାଗର ପ୍ରଫେସର୍ କ୍ଷିତେନ୍ଦ୍ର ନାରାୟଣ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।