ଭୁବନେଶ୍ବର: ଦୀର୍ଘ ଦିନ ପରେ କ୍ରିକେଟ୍ ଜଗତର ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନ ଟି-ଟ୍ବେଣ୍ଟି ବିଶ୍ବକପ୍ରେ ମୁହାଁମୁହିଁ ହୋଇଥିଲେ। ତେଣୁ କ୍ରିକେଟ୍ପ୍ରେମୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖାଯାଇଥିଲା। ତେବେ ସବୁଠାରୁ ଅଧିକ ଉତ୍ସାହୀ ଥିଲା ବେଟିଂ ଦୁନିଆ। ଏହି ମ୍ୟାଚ୍କୁ ନେଇ ବୁକିମାନଙ୍କ ଭାଉ ଶୀର୍ଷ ଛୁଇଁଥିଲା। ଅନ୍ଲାଇନ୍ ଓ ଅଫ୍ଲାଇନ୍ ସବୁଠି ବାଜି ଲାଗିଥିଲା। ବିଶ୍ବକପ୍ ଇତିହାସରେ ପାକିସ୍ତାନ ବିରୋଧରେ ଭାରତର ରେକର୍ଡ ଭଲ ଥିବାରୁ ସ୍ବାଭାବିକ ଭାବେ ଭାରତ ଉପରେ ଅଧିକ ଲୋକ ଟଙ୍କା ଲଗାଇଥିଲେ। ପ୍ରତି ଶହେ ଟଙ୍କାରେ ଭାରତ ଉପରେ ୪୪ ଟଙ୍କା ଅତିରିକ୍ତ ଲାଭ ଦେବାକୁ ସ୍ଥିର ହୋଇଥିଲା। ଅନ୍ୟପକ୍ଷରେ ପାକିସ୍ତାନ ପାଇଁ କମ୍ ଲୋକ ଅର୍ଥ ଲଗାଇଥିବାରୁ ଶହେ ଟଙ୍କାରେ ଅତିରିକ୍ତ ୧୭୫ଟଙ୍କା ରହିଥିଲା। ଅନ୍ଲାଇନ୍ର ସଂସ୍ଥା ବେଟ୍ ୩୬୫ ଏହି ମୂଲ୍ୟ ନିର୍ଦ୍ଧାରଣ କରିଥିଲା।
ସେହିଭଳି ଅଫ୍ଲାଇନ୍ରେ ବ୍ରହ୍ମପୁରରୁ ବସି ବୁକି ଭାରତ ପାଇଁ ୧୦୦ରେ ୪୦ ଟଙ୍କା ସ୍ଥିର କରିଥିବା ବେଳେ ପାକିସ୍ତାନ ପାଇଁ ୮୫ ଟଙ୍କା ପର୍ଯ୍ୟନ୍ତ ରେଟ୍ ରଖିଥିଲା। ଏକାଧିକ ହୋଟେଲ୍ରୁ ଆରମ୍ଭ କରି ବିଭିନ୍ନ ବାର୍ରେ ବସି ବୁକିମାନେ ଏହି ବେଟିଂ ନେଟ୍ଵର୍କ ଚଳାଇଥିଲେ। ପୁଲିସ ନଜରରୁ ବର୍ତ୍ତିବା ପାଇଁ ଜୁଆଡ଼ିମାନେ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମକୁ ବ୍ୟବହାର କରୁଥିଲେ। ବାବର ଆଜମ୍ଙ୍କ ଉପରେ ସର୍ବାଧିକ ଟଙ୍କା ଲାଗିଥିବା ବେଳେ ବୋଲିଂରେ ଯଶପ୍ରୀତ୍ ବୁମ୍ରାଙ୍କ ଉପରେ ଅଧିକ ଟଙ୍କା ଲାଗିଥିଲା। ଓପନିଂ ପାର୍ଟନରସିପ୍ରେ କେଏଲ୍ ରାହୁଲ ଓ ରୋହିତ ଶର୍ମାଙ୍କ ଉପରେ ଅଧିକ ଆସ୍ଥା ପ୍ରକଟ କରାଯାଇଥିଲା। ପାଵାର୍ ହିଟିଂ କ୍ଷେତ୍ରରେ ରିଷଭ ପନ୍ଥ ଓ ଲୋକେଶ ରାହୁଲଙ୍କୁ ସର୍ବାଧିକ ପସନ୍ଦ କରାଯାଇଥିଲା।
ମଉଳିଗଲା ମନ
ଭୁବନେଶ୍ବର: ଆରମ୍ଭରୁ ଉତ୍ସାହ ମଉଳିଗଲା। ଦୀର୍ଘ ବର୍ଷ ପରେ ପାକିସ୍ତାନ ସହ ମ୍ୟାଚ୍ ଥିଲା। ପୂର୍ବ ଭଳି ବିଶ୍ବକପ୍ରେ ଭାରତ ପୁଣି ପାକିସ୍ତାନକୁ ହରାଇବ ବୋଲି ବିଶ୍ବାସ କରାଯାଉଥିଲା। ସମ୍ପ୍ରତି ଭାରତର ଫର୍ମ ବି ବେଶ୍ ଭଲ ରହିଛି। କିନ୍ତୁ ଫଳ ହେଲା ଆଶ୍ଚର୍ଯ୍ୟଜନକ ଭାବେ ଓଲଟା। ଏହି ଟି-ଟ୍ବେଣ୍ଟି ବିଶ୍ବକପ୍ ପ୍ରତିଯୋଗିତାର ପ୍ରଥମ ମ୍ୟାଚ୍ରେ ଭାରତର ଲଜ୍ଜାଜନକ ପରାଜୟ କୋଟିକୋଟି ଭାରତୀୟ କ୍ରିକେଟ୍ପ୍ରେମୀଙ୍କ ହୃଦୟ ଭାଙ୍ଗି ଦେଲା। ଭାରତର ପରାଜୟ ଯେତିକି ବାଧିଲା ନାହିଁ ପାକିସ୍ତାନର ୧୦ ୱିକେଟ୍ରେ ବିଜୟ ସବୁ ଦୁଃଖକୁ ବଳିଗଲା। ଭାରତ ବିରୋଧରେ ଇତିହାସ ରଚିଲା ପାକିସ୍ତାନ। ପୂର୍ବର ସମସ୍ତ ବିଶ୍ବକପ୍ ପ୍ରତିଯୋଗିତାରେ ପରାଜୟର ଗ୍ଲାନିକୁ ପାକିସ୍ତାନ ଏହି ୧୦ ୱିକେଟ୍ ବିଜୟୀ ମ୍ୟାଚ୍ ବଳରେ ପଛକୁ ପକାଇଦେଲା। ଭାରତର ବ୍ୟାଟିଂ ଲାଇନ୍ ବିଶ୍ବରେ ବେଶ୍ ଦୃଢ଼। ବୋଲିଂ ଲାଇନ୍ ମଧ୍ୟ କିଛି କମ୍ ନୁହେଁ। ମାତ୍ର ପ୍ରଥମରୁ ଭାରତର ବ୍ୟାଟ୍ସମ୍ୟାନ୍ମାନେ ପାକ୍ ବୋଲିଂର ମୁକାବିଲା କରିପାରିଲେ ନାହିଁ। କୋହଲିଙ୍କୁ ଛାଡ଼ିଦେଲେ ଅନ୍ୟ ସମସ୍ତେ ହାତ ଟେକିଦେଲା ଭଳି ଲାଗିଲା। ସେହିଭଳି ବୋଲିଂ ବିଭାଗ ବି ବଡ଼ ଅସହାୟ ହୋଇପଡ଼ିଥିଲା। ବୁମ୍ରା, ଭୁବନେଶ୍ବର, ସାମି କାହାକୁ ପାକ୍ ଓପନିଂ ବ୍ୟାଟ୍ସମ୍ୟାନ୍ ଦ୍ବୟ ଖାତିର କଲେ ନାହିଁ। ବଡ଼ ସହଜରେ ଦୁଇ ଜଣଯାକ ଶେଷ ପର୍ଯ୍ୟନ୍ତ ଖେଳି ବିଜୟୀ ହେଲେ। ଉଭୟ ବୋଲିଂ ଓ ବ୍ୟାଟିଂରେ ପାକ୍ ଖେଳାଳୀମାନେ ଭାରତଠାରୁ ଉନ୍ନତମାନର କ୍ରୀଡ଼ା ପ୍ରଦର୍ଶନ କଲେ। ବିଶ୍ବ କ୍ରିକେଟ୍ରେ ନାମକରା ଭାରତୀୟ କ୍ରିକେଟର୍ମାନେ ଆଜି ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ଆଗରେ ଫିକା ପଡ଼ିଗଲେ।