ଚନ୍ଦ୍ରଶେଖରପୁର: ରାତିରେ ଖଣ୍ଡଗିରି-ଚନ୍ଦକା ରାସ୍ତାରେ ଯାଉଛନ୍ତି କି? ଯଦି ହଁ। ତେବେ ସାବଧାନ...। ରାସ୍ତାରେ ବୁଲୁଛି ଦନ୍ତା ହାତୀ। ଖୁଲମ୍ଖୁଲା ରାସ୍ତାରେ ବୁଲୁଛି। ଘଉଡ଼ାଇବାକୁ କେହି ନାହାନ୍ତି। ତାକୁ ଜଙ୍ଗଲ ଭିତରେ ଛାଡ଼ିବା ଦିଗରେ ବନ ବିଭାଗ ପଦକ୍ଷେପ ନେଉନାହିଁ। ପରିଣାମ ସ୍ବରୂପ ଏବେ ଲୋକଙ୍କ ମଧ୍ୟରେ କୋକୁଆ ଭୟ ଖେଳି ଯାଇଛି। ସନ୍ଧ୍ୟା ହେବା କ୍ଷଣି ହାତୀଟି ଏହି ରାସ୍ତାରେ ଚଳାଚଳ କରୁଥିବାରୁ କେତେବେଳେ କେଉଁ ଆଡ଼େ ଚାଲିଯିବ ତାହାକୁ ନେଇ ଗାଡ଼ି ଚାଳକ ବି ଭୟରେ ଯିବା ଆସିବା କରୁଛନ୍ତି। ହାତୀଟି ରାତିରେ ଭରତପୁର ଜଙ୍ଗଲରୁ ପଦାକୁ ବାହାରି ଯାଉଥିବା ବେଳେ ଭୋର୍ ହେବା କ୍ଷଣି ପୁଣି ଜଙ୍ଗଲକୁ ଲେଉଟୁଛି।
ଦିନେ କି ଦୁଇ ଦିନ ନୁହେଁ, ଗତ ଦୁଇ ମାସ ହେଲା ଭରତପୁର ଜଙ୍ଗଲରୁ ବାହାରୁଥିବା ଗୋଟିଏ ହାତୀ ଅନ୍ଧାରୁଆ ଓ ତା’ର ଆଖପାଖ ଗ୍ରାମାଞ୍ଚଳରେ ପଶି ଉତ୍ପାତ କରିଚାଲିଛି। ହାତୀକୁ ଘଉଡ଼ାଇବା ଲାଗି ଲୋକେ ହାତରେ ଟର୍ଚ୍ଚ, ମଶାଲ୍, ଟାୟାର ଓ ନିଆଁହୁଳା ଧରି ବାହାରୁଛନ୍ତି। ବିଭିନ୍ନ ଉପାୟ ଅବଲମ୍ବନ କରୁଛନ୍ତି। ତା’ ପରେ ବି ହାତୀଟି ସ୍ଥାନୀୟ ଅଞ୍ଚଳର ଧାନ ବିଲ, କଦଳି ବଗିଚା ଓ ଲୋକଙ୍କ ପନିପରିବା ନଷ୍ଟ କରି ଚାଲିଛି। ଗତକାଲି ହାତୀଟି ଧାନ ବିଲରେ ପଶି ଫସଲ ନଷ୍ଟ କରିଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି। ଏମିତିକି ହାତୀଟି ଫସଲ ନଷ୍ଟ କରିବାର ଦୃଶ୍ୟ ଲୋକେ କ୍ୟାମେରାରେ କଏଦ କରି ବନ ବିଭାଗକୁ ହସ୍ତାନ୍ତର କରିଥିଲେ ମଧ୍ୟ ତାକୁ ଘଉଡ଼ାଇବା ଦିଗରେ ବନ କର୍ମଚାରୀମାନେ କୌଣସି ପଦକ୍ଷେପ ନେଇନଥିବା ଅଭିଯୋଗ ହୋଇଛି।
ତେବେ ଆଶ୍ବସ୍ତିର ବିଷୟ ହେଉଛି ଯେ ହାତୀଟି ଏପର୍ଯ୍ୟନ୍ତ କାହାର କିଛି କ୍ଷତି କରି ନାହିଁ। ରାତିରେ ରାସ୍ତାରେ ବୁଲୁଥିବାରୁ ବାଟରେ ଯାଉଥିବା ଗାଡ଼ି ଚାଳକମାନେ ଭୟଭୀତ ହୋଇପଡ଼ୁଛନ୍ତି। ହେଲେ ଏପର୍ଯ୍ୟନ୍ତ ସେ କାହାରିକୁ ଆକ୍ରମଣ କରିନାହିଁ। ହାତୀକୁ ଦେଖି ରାସ୍ତାର ଉଭୟ ପାର୍ଶ୍ବରେ କାର୍, ବାଇକ୍, ଟ୍ରକ୍ ଆଦି ଗାଡ଼ି ଲମ୍ବା ଧାଡ଼ିରେ ଛିଡ଼ା ହୋଇ ରହୁଛନ୍ତି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ ରାତି ହେଲେ ହାତୀଟି ଭରତପୁର ଜଙ୍ଗଲରୁ ବାହାରି ଖଣ୍ଡଗିରି-ଚନ୍ଦକା ରାସ୍ତାରେ ଦେଢ଼ କିମି ପର୍ଯ୍ୟନ୍ତ ଚାଲୁଛି। ଏହାପରେ ଅପରପାର୍ଶ୍ବ ଜଙ୍ଗଲକୁ ପଳାଇଯାଉଛି। ଏହି ସମୟରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହେଉଛି। ଗତକାଲି ଏହି ହାତୀଟି ଅନ୍ଧାରୁଆ ଗ୍ରାମବାସୀଙ୍କ ଜମିରେ ପଶି କଟା ହୋଇ ପଡ଼ିଥିବା ଧାନ ନଷ୍ଟ କରିଛି। ଭୋର୍ ସମୟରେ ଭରତପୁର ଜଙ୍ଗଲକୁ ଫେରିବା ସମୟରେ ଜଙ୍ଗଲ ପାଚେରି ଭାଙ୍ଗିଛି। ସୁରକ୍ଷା ଦୃଷ୍ଟିରୁ ବନ ବିଭାଗ ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/49498498hhhhhfshfhsfshfhf.jpg)