ରାଜଧାନୀରେ ସବ୍‌ପ୍ଲଟ୍‌ କିଣୁଥିଲେ ସାବଧାନ : ରୋକ୍‌ ଲଗାଇଛି ବିଡିଏ, ମାନୁନି ରାଜସ୍ବ ବିଭାଗ

ସବ୍‌ପ୍ଲଟ୍‌ କିଣାବିକା ପାଇଁ ବିଡିଏର ଏନ୍‌ଓସି ଦରକାର
ଲେ-ଆଉଟ୍‌ ପ୍ଲାନ୍‌ ଅନୁମୋଦନ ହୋଇନଥିଲେ ବିକ୍ରି ହୋଇପାରିବନି

ଭୁବନେଶ୍ବର : ଆପଣ ରାଜଧାନୀରେ ଜମି କିଣୁଛନ୍ତି କି? ଯଦି ଜମି କିଣୁଛନ୍ତି ଏବଂ ଏହା ଯଦି ଗୋଟିଏ ବଡ଼ ଜମିର ଛୋଟ ଅଂଶ ତେବେ ଜମିର ରେକର୍ଡପତ୍ର ଯାଞ୍ଚ କରିବା ସହ ଏହାର ଲେ-ଆଉଟ୍‌ ପ୍ଲାନ୍ ଅନୁମୋଦନ ହୋଇଛି କି ନାହିଁ ଦେଖନ୍ତୁ। ଲେ-ଆଉଟ୍‌ ପ୍ଲାନ୍‌ ଅନୁମୋଦନ ହୋଇନଥିଲେ, ୩୦ଫୁଟ୍‌ରୁ କମ୍‌ ରାସ୍ତା ହୋଇଥିଲେ ଜମି କିଣନ୍ତୁନି। କାରଣ ଏଭଳି ଜମି କିଣିଲେ ବି ଘର ନିର୍ମାଣ ପାଇଁ ବିଡିଏ କି ବିଏମ୍‌ସି କେହି ପ୍ଲାନ୍‌ ଅନୁମୋଦନ କରିବେନି। ଏଠାରେ ଯେଉଁ ଘର ନିର୍ମାଣ ହେବ ତାହା ବେଆଇନ ନିର୍ମାଣ ବୋଲି ଗଣାଯିବ। ସର୍ବକ୍ଷମା ଯୋଜନାରେ ବି ଏହାକୁ କ୍ଷମା ମିଳିବନି।

ଏହି ନିୟମ ଅଗଷ୍ଟ ୨୫, ୨୦୧୫ରୁ କଡ଼ାକଡ଼ି ଲାଗୁ ହେଲାଣି। ହେଲେ ଅଧିକାଂଶ ଲୋକ ମାନୁନାହାନ୍ତି। ଏପରିକି ୩୦.୦୫.୨୦୧୭ ପରଠାରୁ ଯେଉଁମାନେ ରେଗୁଲାରାଇଜ୍ ହୋଇନଥିବା ରାସ୍ତା ସଂଲଗ୍ନ ଜମି କିଣୁଛନ୍ତି; ସେମାନଙ୍କର ଘର ପ୍ଲାନ୍ ଅନୁମୋଦନ ହେଉନି। ଏତେ ସବୁ ନିୟମ ଥିଲେ ବି ସବ୍‌ରେଜିଷ୍ଟ୍ରି କାର୍ଯ୍ୟାଳୟ ଜମିକୁ କେତେ ଫୁଟ୍‌ର ରାସ୍ତା ଅଛି, ରାସ୍ତା ଅଛି କି ନାହିଁ, କିଛି ଦେଖୁନି। ସବୁ ଜମି କିଣାବିକା ହୋଇଯାଉଛି। ବିଡିଏ ଓ ଓରେରା କର୍ତ୍ତୃପକ୍ଷ ଏ ନେଇ ରାଜସ୍ବ ବିଭାଗକୁ ଚିଠି ଲେଖିଥିଲେ ହେଁ କିଛି ପ୍ରଭାବ ପଡ଼ୁନି। ଏପରିକି ବହୁ ଲୋକ ବିଡିଏର ଉପରୋକ୍ତ ନିୟମ ସମ୍ପର୍କରେ ଅବଗତ ଥିଲେ ହେଁ ସବ୍‌ରେଜିଷ୍ଟ୍ରି ଅଫିସରେ ଜମି କିଣାବିକା ହେଉଥିବାରୁ ଜମି କିଣି ନେଉଛନ୍ତି। ହେଲେ ପରେ ଘର କରିବାକୁ ଅନୁମତି ମିଳୁ ନ ଥିବାରୁ ବହୁ ଲୋକ ଘର ନିର୍ମାଣ କରି ନ ପାରି ହଟହଟା ହେଉଛନ୍ତି। ଏହାକୁ ନଜରରେ ରଖି ସବ୍‌ପ୍ଲଟ୍‌ କିଣାବିକା ଉପରେ ରୋକ୍‌ ଲଗାଇବାକୁ ବିଡିଏ ଉପାଧ୍ୟକ୍ଷ ଗତ ଜାନୁଆରି ୧୧ରେ ରାଜସ୍ବ ବିଭାଗ ପ୍ରମୁଖ ସଚିବଙ୍କୁ ଚିଠି ଲେଖିଛନ୍ତି। ହେଲେ ରାଜସ୍ବ ବିଭାଗ ଏହାକୁ ଗ୍ରହଣ କରିବାକୁ ନାରାଜ। ଏବେବି ୨୫ଫୁଟ୍‌, ୨୦ଫୁଟ୍‌, ୧୮ଫୁଟ୍‌, ୧୫ଫୁଟ୍‌, ୧୨ଫୁଟ୍‌ ରାସ୍ତା ଥିବା ଜମି ବିକ୍ରି ହେଉଛି। ଭୁବନେଶ୍ବର ସବ୍‌ରେଜିଷ୍ଟ୍ରି କାର୍ଯ୍ୟାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଆମେ ଏମିତି କିଛି ନିର୍ଦ୍ଦେଶନାମା ପାଇନୁ। ଏଠାରେ ଏହି ନିୟମ କାର୍ଯ୍ୟକାରୀ ହେବ କି ନାହିଁ; ବିଭାଗୀୟ ଅଧିକାରୀ ନିଷ୍ପତ୍ତି ନେବେ। ଯେବେ ନିର୍ଦ୍ଦେଶ ଆସିବ ସେବେ କାର୍ଯ୍ୟକାରୀ ହେବ। ପୂର୍ବରୁ ଏହିଭଳି ବିଡିଏ, ଓରେରା କର୍ତ୍ତୃପକ୍ଷ ରାଜସ୍ବ ବିଭାଗକୁ ଚିଠି ଲେଖିଥିଲେ। ଓରେରା ଚିଠି ପରେ ସବ୍‌ପ୍ଲଟ୍‌ କିଣାବିକା କିଛି ଦିନ ବନ୍ଦ ଥିଲା। କିନ୍ତୁ ରାଜସ୍ବ ବିଭାଗର ରାଜସ୍ବ ଆଦାୟ ନିଶା ଆଗରେ ଓରେରା ତାଗିଦ୍‌ କାମ ଦେଲାନି। ଏବେ ବିଡିଏ ଉପାଧ୍ୟକ୍ଷ ଚିଠି ଲେଖିଥି‌ବାବେଳେ ତାହାକୁ ବି ଚପାଇ ଦିଆଯାଇଛି। ନଗର ଉନ୍ନୟନ ବିଭାଗ ଓ ରାଜସ୍ବ ବିଭାଗ ମଧ୍ୟରେ ସମନ୍ବୟ ଅଭାବରୁ ଏବେ ସହରର ପ୍ଲାନିଂ ବାଟବଣା ହେବାରେ ଲାଗିଛି।

ବିଡିଏର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ, ରାଜଧାନୀରେ ବହୁ ଅଞ୍ଚଳରେ ଅଣଓସାରିଆ ରାସ୍ତା ଥିବାରୁ ଡ୍ରେନ୍‌, ସ୍ବେରେଜ୍‌ ଲାଇନ୍ ନିର୍ମାଣ ହୋଇପାରୁନି। ଜଳ ନିଷ୍କାସନ ସମସ୍ୟାରୁ ଆରମ୍ଭ କରି ଯାତାୟତ ଜନିତ ସମସ୍ୟା ଉପୁଜୁଛି। ଏପରିକି ଅଗ୍ନିକାଣ୍ଡ ହେଉ କି ଜରୁରୀକାଳୀନ ପରିସ୍ଥିତି ଅଗ୍ନିଶମ ଗାଡ଼ି କି ଆମ୍ବୁଲାନ୍ସ ଯାଇପାରୁନି। ତେଣୁ ବିଡିଏ ନିୟମ ଅନୁଯାୟୀ, ଲେ-ଆଉଟ୍‌ ପ୍ଲାନ୍ ଅନୁମୋଦନ ହୋଇଥିଲେ, ୩୦ଫୁଟ ରାସ୍ତା ଥିଲେ ସବ୍‌ ପ୍ଲଟ୍‌ କିଣା ବିକା ପାଇଁ ଅନୁମତି ଦେବାକୁ ରାଜସ୍ବ ବିଭାଗ ପ୍ରମୁଖ ସଚିବଙ୍କୁ ବିଡିଏ ଉପାଧ୍ୟକ୍ଷ ଚିଠି ଲେଖିଛନ୍ତି। ଜମି କିଣାବିକା ପୂର୍ବରୁ ବିଡିଏର ଏନ୍‌ଓସି ଦେଖିବାକୁ କୁହାଯାଇଛି।

ବିଡିଏ ଉପାଧ୍ୟକ୍ଷ ଲେଖିଛନ୍ତି ଯେ, ରାଜଧାନୀରେ କୌଣସି ଜମି ପ୍ଲଟିଂ ହୋଇ ବିକ୍ରି ହେଉଥିଲେ ବା ସବ୍‌ ପ୍ଲଟ୍‌ ହୋଇଥିଲେ ସବ୍‌ରେଜିଷ୍ଟ୍ରି ଅଫିସ୍‌ରେ ଜମି କିଣାବିକା ହେବା ପୂର୍ବରୁ ବିଡିଏରୁ ଏନ୍‌ଓସି ଆଣିବାକୁ ନିୟମ ଅଛି। ଓଡିଏ ଆକ୍ଟ, ୧୯୮୨ର ଧାରା ୧୬ ଅନୁଯାୟୀ, ବିଡିଏ ଅଞ୍ଚଳରେ ଗୋଟିଏ ବଡ଼ ଜମିକୁ ସବ୍‌ ପ୍ଲଟ୍‌ କରି ବିକ୍ରି କରୁଥିଲେ ଏଥିପାଇଁ ବିଡିଏରୁ ଲେ-ଆଉଟ୍‌ ପ୍ଲାନ୍‌ ଅନୁମୋଦନ କରିବାକୁ ପଡ଼ିବ। ଏଥିରେ ରାସ୍ତା, ଖୋଲାସ୍ଥାନ ରଖିବା ନିୟମ ଅଛି।

ଏହାବାଦ୍‌ ୩୦.୦୫.୨୦୧୭ରେ ପ୍ରକାଶ ପାଇଥିବା ଗେଜେଟ୍ ନୋଟିଫିକେସନ୍ ଅନୁଯାୟୀ, ଏହା ପୂର୍ବରୁ ଯେଉଁମାନେ ବିନା ଲେ-ଆଉଟ୍‌ ପ୍ଲାନ୍‌ ଅନୁମୋଦନରେ ଜମି କିଣିଛନ୍ତି ସେମାନଙ୍କୁ ରାସ୍ତା ରେଗୁଲାରାଇଜ୍‌ ବାବଦକୁ ଜରିମାନା କରାଯାଉଛି। ଜରିମାନା ଆଦାୟ ପରେ ଘର ପ୍ଲାନ୍ ଅନୁମୋଦନ କରାଯାଉଛି। ହେଲେ ଏହି ନିୟମ ଅନୁଯାୟୀ ସବ୍‌ପ୍ଲଟ୍‌ କିଣାବିକା ହେଉନି। ନିୟମ ଖିଲାପ କରି ବହୁ ଲୋକ/ବିଲଡର୍‌ ଜମି କିଣାବିକା କରୁଥିବାରୁ ଭୁବନେଶ୍ବର ଅଣଯୋଜନାବଦ୍ଧ ଭାବେ ବଢ଼ିବାରେ ଲାଗିଛି। ତେଣୁ ଯୋଜନାବଦ୍ଧ ଭୁବନେଶ୍ବର ଗଢ଼ିବା ପାଇଁ ସବ୍‌ପ୍ଲଟ୍ କିଣାବିକା ପୂର୍ବରୁ ବିଡିଏରୁ ଏନ୍‌ଓସି ପାଇଥିବା ସବ୍‌ପ୍ଲଟ୍‌କୁ କିଣାବିକା କରିବାକୁ ଅନୁମତି ଦିଆଯାଉ। ବାକି ସବ୍‌ପ୍ଲଟ୍‌ କିଣାବିକା ଉପରେ ରୋକ୍‌ ଲଗାଯାଉ ବୋଲି ବୋଲି ଶ୍ରୀ ଚୌଧରୀ ଲେଖିଛନ୍ତି।

ସମ୍ବନ୍ଧିତ ଖବର