ଭୁବନେଶ୍ବର: ସମ୍ପ୍ରତି ଆମ୍ବ ଋତୁ ଚାଲିଛି। ବଜାରରେ ମେଲିଗଲାଣି ଭଳିକି ଭଳି ପାଚିଲା ଆମ୍ବ ପସରା। ଚଳିତ ବର୍ଷ ଦର ବାଧୁଛି, ତଥାପି ଗ୍ରାହକମାନେ ଆମ୍ବ କିଣୁଛନ୍ତି। କିନ୍ତୁ ଏହି ପାଚିଲା ଆମ୍ବ ଯେ କେତେ କ୍ଷତିକାରକ, ତାହା ପରଖିବାକୁ କାହା ପାଖରେ ଅବସର ନାହିଁ। କାରଣ ଏବେ ବଜାରରେ ମିଳୁଥିବା ଆମ୍ବ କ୍ୟାଲ୍ସିୟମ୍ କାର୍ବାଇଡ୍ ବ୍ୟବହାର ଦ୍ବାରା ପାଚିଛି। ଆମ୍ବ ଓ କଦଳୀ ଭଳି ଫଳ ପଚାଇବା ପାଇଁ କ୍ୟାଲ୍ସିୟମ୍ କାର୍ବାଇଡ୍ ବ୍ୟବହାର ଉପରେ ନିଷେଧାଦେଶ ଥିବା ସତ୍ତ୍ବେ ବ୍ୟବସାୟୀମାନେ ଖୋଲାଖୋଲି ଭାବେ ଏହି ବିଷାକ୍ତ ରାସାୟନିକ ପଦାର୍ଥ ବ୍ୟବହାର କରୁଛନ୍ତି। ଖାଦ୍ୟ ସୁରକ୍ଷା ବିଭାଗ ନିୟମିତ ଯାଞ୍ଚ କରିବା ବିଧି ଥିଲେ ମଧ୍ୟ ଫଳ ବ୍ୟବସାୟୀମାନଙ୍କ ଏଭଳି କାଣ୍ଡ ବିଭାଗୀୟ ଅଧିକାରୀଙ୍କ ନଜରରେ ପଡ଼ୁନାହିଁ।
ନମୁନା ଯାଞ୍ଚ ବାହାନାରେ ବିଭାଗୀୟ ଅଧିକାରୀମାନେ ସମୟ ଗଡ଼ାଇ ଚାଲିଛନ୍ତି। ଫଳରେ ଲୋକେ ପାଚିଲା ଆମ୍ବ ଖାଉ ଖାଉ ବିଷାକ୍ତ ଖାଦ୍ୟ ପ୍ରଭାବରେ ବିଭିନ୍ନ ରୋଗ କିଣୁଛନ୍ତି। ଲୋକଙ୍କ ଭିତରେ ସଚେତନତା ଅଭାବ ଥିବା ବେଳେ ବିଭାଗୀୟ ଅଧିକାରୀମାନଙ୍କ ଉଦାସୀନତା ଲୋକଙ୍କୁ ରୋଗମୁହଁକୁ ଠେଲି ଦେଉଛି ବୋଲି ବିଶେଷଜ୍ଞମାନେ କହିଛନ୍ତି।
ଆମ୍ବ ଓ କଦଳୀ ଭଳି ଫଳ ପଚାଇବା ପାଇଁ ବ୍ୟବହାର ହେଉଥିବା କ୍ୟାଲସିୟମ୍ କାର୍ବାଇଡ୍ କ୍ୟାନ୍ସର ଭଳି ମାରାତ୍ମକ ରୋଗର କାରଣ ବୋଲି ଏହି ରାସାୟନିକ ପଦାର୍ଥର ବ୍ୟବହାର ଉପରେ ରୋକ୍ ଲଗାଯାଇଛି। ୨୦୦୬ ଫୁଡ୍ ସେଫ୍ଟି ଆଣ୍ଡ୍ ଷ୍ଟାଣ୍ଡାର୍ଡ ଆକ୍ଟରେ ଫଳ ପଚାଇବା ପାଇଁ କ୍ୟାଲ୍ସିୟମ୍ କାର୍ବାଇଡ୍ ବ୍ୟବହାରକୁ ବାରଣ କରାଯାଇଛି। ସେହିପରି ୨୦୧୧ଫୁଡ୍ ସେଫ୍ଟି (ପ୍ରୋହିବିସନ୍ ଆଣ୍ଡ ରେଷ୍ଟ୍ରିକ୍ସନ୍) ରେଗୁଲେସନ୍ ଅନୁଯାୟୀ ଫଳ ପଚାଇବାକୁ କାର୍ବାଇଡ୍ ବ୍ୟବହାର କରୁଥିବା ବ୍ୟକ୍ତିଙ୍କୁ ୬ମାସ ପର୍ଯ୍ୟନ୍ତ ଜେଲ୍ ଦଣ୍ଡାଦେଶ ହେବାର ପ୍ରାବଧାନ ରହିଛି। କିନ୍ତୁ ଏହି ଆଇନକୁ କେହି ମାନୁନାହାନ୍ତି। ଭୁବନେଶ୍ବରର ପ୍ରାୟ ସବୁ ବ୍ୟବସାୟୀ ଆମ୍ବ, ଅମୃତଭଣ୍ଡା, କଦଳୀ, ଲିଚୁ ଆଦି ଫଳକୁ ପଚାଇବା ପାଇଁ କ୍ୟାଲ୍ସିୟମ୍ କାର୍ବାଇଡ୍ ବ୍ୟବହାର କରୁଛନ୍ତି।
ଖୋଲାଖୋଲି ଭାବେ ଫଳ ଗୋଦାମରେ ଏହି ବିଷାକ୍ତ ରାସାୟନିକ ଦ୍ରବ୍ୟଟି ଫଳ ପଚାଇବା ପାଇଁ ବ୍ୟବହାର କରାଯାଉଛି। ଖୋଦ୍ ବ୍ୟବସାୟୀମାନେ ମଧ୍ୟ ଏହା କରୁଛନ୍ତି ବୋଲି ମାନୁଛନ୍ତି। ଜଣେ ଫଳ ବ୍ୟବସାୟୀ କହିଛନ୍ତି ଯେ ଆମ୍ବ ହେଉ କି କଦଳୀ, ପ୍ରାୟ ସବୁ ଫଳ ବାହାର ରାଜ୍ୟରୁ ଆସୁଛି। ଆମ୍ବ, କଦଳୀ, ସପୁରି, ସପେଟା ଆଦି ଆନ୍ଧ୍ରପ୍ରଦେଶରୁ ଆସୁଛି। ସେଠାରୁ ସିଧାସଳଖ ପାଚିଲା ଫଳ ଆଣିବା ସମ୍ଭବ ନୁହେଁ। ସେଥିପାଇଁ କଞ୍ଚା ଫଳ ଆଣିବାକୁ ପଡ଼େ ଓ ଏଠାରେ ରାସାୟନିକ ପଦାର୍ଥ ବ୍ୟବହାର କରି ପଚାଇବାକୁ ହୁଏ। କାର୍ବାଇଡ୍ ବ୍ୟବହାର ନିଷେଧ କରାଯାଇଥିଲେ ମଧ୍ୟ ଅନ୍ୟ ବିକଳ୍ପ ନଥିବାରୁ ସେମାନେ ମାପିଚୁପି ଓ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରି କାର୍ବାଇଡ୍ ବ୍ୟବହାର କରୁଛନ୍ତି ବୋଲି କହନ୍ତି।
ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ହେଉଛି, ଏବେ ଫଳ ପଚାଇବା ଲାଗି ଏଥିପୋନ୍ ବ୍ୟବହାର କରିବାକୁ କୁହାଯାଇଛି। କିଛି କିଛି ବ୍ୟବସାୟୀ ବି ଏହାକୁ ବ୍ୟବହାର କରୁଛନ୍ତି। କିନ୍ତୁ ଏହାଦ୍ବାରା ଫଳ ପାଚିବା ବିଳମ୍ବ ହେଉଛି। ନିୟମାନୁସାରେ, ଏଥିପୋନ୍ ବ୍ୟବହାର କଲେ, ଆମ୍ବ ଭଳି ଫଳ ପାଚିବାକୁ ନିହାତି ୮ରୁ ୧୦ଦିନ ଲାଗିବ। ୧୦ କିଲୋ ଆମ୍ବ ପଚାଇବାକୁ ୦.୫ ଗ୍ରାମ୍ ଏଥିପୋନ୍ ବ୍ୟବହାର କରିବା କଥା। ଏହା ସ୍ବାସ୍ଥ୍ୟପକ୍ଷେ କ୍ଷତିକାରକ ନୁହେଁ। କିନ୍ତୁ ବ୍ୟବସାୟୀମାନେ ୦.୫ ଗ୍ରାମ୍ ବଦଳରେ ପ୍ରାୟ ୯ ଗ୍ରାମ୍ ଏଥିପୋନ୍ ବ୍ୟବହାର କରୁଛନ୍ତି। ତେଣୁ ମାତ୍ରାଧିକ ବ୍ୟବହାର କାର୍ବାଇଡ୍ ଭଳି କ୍ଷତିକାରକ। ତେବେ ଏଥିପୋନ୍ ବ୍ୟବହାର ଅପେକ୍ଷା ବ୍ୟବସାୟୀମାନେ କାର୍ବାଇଡ୍ ବ୍ୟବହାରକୁ ଅଧିକ ପସନ୍ଦ କରୁଥିବା ଜଣାପଡ଼ିଛି।
ଏ ସମ୍ପର୍କରେ ବହୁ ଡାକ୍ତରଙ୍କ କହିବା କଥା, ଉଭୟ ଫଳ ପଚାଇବା ପାଇଁ କ୍ୟାଲ୍ସିୟମ୍ କାର୍ବାଇଡ୍ ଓ ଏଥିପୋନ୍ ବ୍ୟବହାର ମଣିଷ ଶରୀର ପାଇଁ କ୍ଷତିକାରକ। ଏଭଳି ପାଚିଲା ଫଳ ଖାଇବା ଦ୍ବାରା ବିଭିନ୍ନ ପ୍ରକାର ଚର୍ମ ରୋଗ, ଆଖି ରୋଗ ଓ କ୍ୟାନ୍ସର ଭଳି ମାରାତ୍ମକ ରୋଗ ସୃଷ୍ଟି ହେଉଛି। ଏମିତିକି ଏଭଳି ପାଚିଲା ଫଳ ଖାଇବା ପୂର୍ବରୁ ଭଲ ଭାବେ ପାଣିରେ ଧୋଇଲେ ମଧ୍ୟ ବିଷାକ୍ତ ପ୍ରଭାବ କମି ନଥାଏ ବୋଲି ବହୁ ଡାକ୍ତର ମତ ଦିଅନ୍ତି। ତେଣୁ ଲୋକଙ୍କୁ ସଚେତନ କରାଇବା ସହ ଏଭଳି ବିଷାକ୍ତ ରାସାୟନିକ ପଦାର୍ଥର ବ୍ୟବହାରକୁ କଡ଼ାକଡ଼ି ଭାବେ ବନ୍ଦ କରିବା ଜରୁରୀ ବୋଲି ସେମାନେ କହିଛନ୍ତି।
ଏ ସଂପର୍କରେ ଖାଦ୍ୟ ସୁରକ୍ଷା ଭାରପ୍ରାପ୍ତ ଅଧିକାରୀ ସତ୍ୟଜିତ୍ ପଟେଲ କହିଛନ୍ତି ଯେ ଫଳ ବ୍ୟବସାୟୀମାନେ କ୍ୟାଲସିୟମ୍ କାର୍ବାଇଡ୍ ବ୍ୟବହାର କରିପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଛି। ବ୍ୟବସାୟୀଙ୍କୁ ମଧ୍ୟ ସଚେତନ କରାଯାଉଛି। ଗତ ୧ମାସ ମଧ୍ୟରେ ବିଭିନ୍ନ ସ୍ଥାନରୁ ୧୦ଟି ସାମ୍ପଲ୍ ଟେଷ୍ଟ ପାଇଁ ପଠାଯାଇଛି। ରିପୋର୍ଟ ଆସିବା ପରେ ଯଦି କାର୍ବାଇଡ୍ ମିଶା ହୋଇଥିବା ପ୍ରମାଣ ମିଳେ, ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ତେଣୁ ବିଭାଗୀୟ ଯାଞ୍ଚ ସରୁ ସରୁ ଆମ୍ବ ଋତୁ ସରିଯାଇଥିବ, ଏହା ନିଶ୍ଚିତ।