ଦମ୍ ବିରିୟାନି.., ହାଇଦ୍ରାବାଦ୍ ବିରିୟାନି.... ଏଭଳି ଫଳକ ସହରର ପ୍ରାୟ ଅଧିକାଂଶ ଠେଲାରେ ଲେଖାଥିବା ଦେଖିବାକୁ ମିଳୁଛି। ଖରାବେଳେ ଓ ରାତିରେ ଏହି ସବୁ ଠେଲା ସମ୍ମୁଖରେ ଖାଲି ଯୁବପିଢ଼ି ନୁହନ୍ତି ସବୁ ବର୍ଗର ଲୋକଙ୍କ ବେଶ୍ ଭିଡ଼ ଜମେ। ଓଡ଼ିଆଙ୍କ ଖାଦ୍ୟ ପରମ୍ପରାରେ ବିରିୟାନି ନଥିଲେ ମଧ୍ୟ ଏବେ ବେଶ୍ କିଛି ବର୍ଷ ହେଲା ଓଡ଼ିଆଙ୍କ ଖାଦ୍ୟ ତାଲିକାରେ ଏହା ସ୍ୱତନ୍ତ୍ର ସ୍ଥାନ ନେଇଛି। ତେବେ ସତ୍ୟନଗରସ୍ଥିତ ମଙ୍ଗଳା ମନ୍ଦିର ନିକଟସ୍ଥ ଭଗବାନ ନାୟକଙ୍କ ଦମ୍ ବିରିୟାନି ଟିକେ ନିଆରା। ପାଟିକୁ ମୁସ୍ମୁସ୍ ଲାଗୁଥିବା ଏହି ବିରିୟାନିର ପ୍ରସ୍ତୁତି ବି ଭିନ୍ନ ଧରଣର। କଷା ଚିକେନ୍ରେ ବିରିୟାନି ଚାଉଳକୁ ଗୋଳାଇ ବିରିୟାନି ମସଲା ସହ ପୋଦିନା ପତ୍ର ଓ ଛଣା ପିଆଜକୁ ମିଶାଇ ସେ ଏହାକୁ ପ୍ରସ୍ତୁତ କରନ୍ତି। ସେଥିରେ କ୍ଷୀର ପକାଯାଉଥିବାରୁ ଭାତ ଖୁବ ନରମ ହେବା ସହ ସ୍ୱାଦ ନିଆରା ହୋଇଥାଏ। ବରିୟାନିରେ ଅଣ୍ଡା ସହ ସାଙ୍ଗରେ ଦହି, ପିଆଜ, କଞ୍ଚା ଲଙ୍କା, କାକୁଡ଼ି, ଟୋମାଟୋ ଓ ଆମ୍ବକସିଆ ଅଦାରେ ତିଆରି କଚୁମ୍ବର ଏବଂ ଚିକେନ ମସଲା ସ୍ୱାଦ ଦ୍ୱିଗୁଣିତ କରିଦିଏ। ତେଲ କମ୍ ବ୍ୟବହାର ହେଉଥିବାରୁ ସ୍ୱାସ୍ଥ୍ୟ ସଚେତନ ରାଜଧାନୀବାସୀ ଏହାକୁ ବେଶ୍ ପସନ୍ଦ କରୁଛନ୍ତି। ପ୍ଲେଟ୍ ପିଛା ୭୦ଟଙ୍କା ରହିଛି। ଆପଣ ଯଦି ଆମିଷ ପ୍ରିୟ ଓ ବିରିୟାନି ଖାଇବାକୁ ପସନ୍ଦ କରନ୍ତି ତ’ ଆପଣଙ୍କୁ ଭଗବାନ ଭାଇଙ୍କ ଦମ୍ ବିରିୟାନିର ସ୍ୱାଦ ନେବାକୁ ପଡ଼ିବ।
ଭଗବାନ ଭାଇଙ୍କ ମୁସ୍ମୁସ୍ ଦମ୍ ବିରିୟାନି
/sambad/media/post_attachments/wp-content/uploads/2018/02/biriyani.jpg)