ଭୁବନେଶ୍ବର: ୟୁନିଟ-୧ ହାଟରେ ଥିବା ହୋଲ୍ସେଲ୍ ପରିବା ମାର୍କେଟ୍ ଭଗବାନପୁରକୁ ଉଠିଯିବ। ୨୦୧୯ରେ ଏଭଳି ଯୋଜନା କରିଥିବା ବିଏମ୍ସି ୪ ବର୍ଷ ପରେ ବା ଚଳିତବର୍ଷ ଏହି ଯୋଜନାରେ ପ୍ରଥମ ନିର୍ମାଣ କାମ କରିବାକୁ ଯାଉଛି। ପ୍ରାଥମିକ ପର୍ଯ୍ୟାୟରେ ଏହି ଜାଗାକୁ ପାଚେରି ନିର୍ମାଣ କରି ସୁରକ୍ଷିତ ରଖିବାକୁ ଯୋଜନା କରିଛି। ପ୍ରଥମେ ପାଚେରି ହେବା ପରେ ଏହା ଭିତରେ ବ୍ୟବସାୟୀଙ୍କ ପାଇଁ ସେଡ୍ ବା ଗୋଦାମ ନିର୍ମାଣ ହେବ। ଏହା ସହିତ ଅନ୍ୟ ମୌଳିକ ଆବଶ୍ୟକତା ତଥା ପାଇଖାନା, ପାନୀୟ ଜଳ ଇତ୍ୟାଦି ବ୍ୟବସ୍ଥା କରାଯିବ। ତା ସହିତ ଶୀତଳଭଣ୍ଡାର ନିର୍ମାଣ କରାଯିବ।
ପାଚେରି ନିର୍ମାଣ ପାଇଁ ବିଏମ୍ସି ଟେଣ୍ଡର ଡାକିଛି। ଏଠାରେ ଥିବା ୭.୨୧ ଏକର ଜାଗାରେ ଏହି ପାଚେରି ବୁଲିବାକୁ ଯୋଜନା ହୋଇଛି। ଏଥିରେ ୧ କୋଟି ୭୪ ଲକ୍ଷ ୭ ହଜାର ୧୫୨ ଟଙ୍କା ଖର୍ଚ୍ଚ ହେବାକୁ ଯାଉଛି। ଏହାକୁ ସାରିବା ପାଇଁ ୬ ମାସ ଅବଧି ରହିଛି। ଏଥିରେ ପାଚେରି ସହ ଆପ୍ରୋଚ୍ ରୋଡ୍ ଓ ଭିତରେ ମଧ୍ୟ ରାସ୍ତା ନିର୍ମାଣ ହେବାକୁ ରହିଛି। ୬ ମାସ ମଧ୍ୟରେ ଅର୍ଥାତ୍ ଅକ୍ଟୋବର ମାସରେ ପାଚେରି ସରିଲେ ଅନ୍ୟାନ୍ୟ ନିର୍ମାଣ ଆରମ୍ଭ ହେବ। କେବଳ ଅନ୍ଲାଇନ୍ରେ ‘ଏ’ ଓ ‘ବି’ ଶ୍ରେଣୀର ଠିକାଦାରଙ୍କ ଠାରୁ ଆବେଦନ ଆହ୍ବାନ କରାଯାଇଛି। ଆବେଦନର ଶେଷ ତାରିଖ ଚଳିତ ୩୦ ଥିବା ବେଳେ ୩୧ ତାରିଖରେ ଟେଣ୍ଡର ଖୋଲାଯିବାକୁ ଯେଜନା ହୋଇଛି।
ଏହି କାମରେ ଶ୍ରମିକଙ୍କ ସ୍ବାର୍ଥକୁ ଗୁରୁତ୍ବ ଦିଆଯାଇଛି। କୌଣସି ପରିସ୍ଥିତିରେ ୧୪ ବର୍ଷରୁ କମ୍ ବୟସର ଶିଶୁଙ୍କୁ କାମରେ ନିୟୋଜିତ କରାଯାଇ ପାରିବ ନାହିଁ। କେଉଁ ଶ୍ରମିକଙ୍କୁ କେତେ ମଜୁରି ଦିଆଯାଉଛି ତାହା ନିର୍ମାଣସ୍ଥଳରେ ଏକ ହୋର୍ଡିଂ ଜରିଆରେ ଲେଖିବେ ଠିକାଦାର। କାମରେ ଅନୁପସ୍ଥିତି କିମ୍ବା ବିଳମ୍ବ ପାଇଁ ଠିକାଦାର ମନଇଚ୍ଛା ମଜୁରି କାଟି ପାରିବେ ନାହିଁ। ମଜୁରି କାଟିବା ପୂର୍ବରୁ ଶ୍ରମିକଙ୍କ ଠାରୁ କାରଣ ତଲବ କରିବେ। ଏହା ପରେ ଯାଇ ମଜୁରି କାଟିବା କଥା ଚିନ୍ତା କରିବେ। ଠିକାଦାର ଏକ ରେଜିଷ୍ଟର ବ୍ୟବହାର କରିବେ। ଏଥିରେ ଶ୍ରମିକଙ୍କ ମଜୁରି ବାବଦକୁ ସମସ୍ତ ତଥ୍ୟ ଉପଲବ୍ଧ ହେବ। ଏଭଳି ନ ହେଲେ ଠିକାଦାରଙ୍କ ଚୁକ୍ତି ବାତିଲ ହେବ ବୋଲି ଟେଣ୍ଡରରେ ସ୍ପଷ୍ଟ କରାଯାଇଛି।
ଏହି ମାର୍କେଟ୍ ନିର୍ମାଣ ହେଲେ ଏଠାରେ ଥିବା ୫୦ରୁ ଊର୍ଦ୍ଧ୍ବ ପରିବା ବ୍ୟବସାୟୀ ସେଠାକୁ ସ୍ଥାନାନ୍ତର ହେବେ। ଏଠାରେ ସାଧାରଣ ପ୍ରଶାସନ ବିଭାଗ ବିଏମ୍ସିକୁ ଜମି ଯୋଗାଇ ଦେଇଛି। ପ୍ରଥମେ ୩.୯୮ ଏକର ଓ ଦ୍ବିତୀୟ ପର୍ଯ୍ୟାୟରେ ୩.୨୩ ଏକର ଜମି ମିଳିଥିଲା। ଏହି ଅତ୍ୟାଧୁନିକ ପରିବା ମାର୍କେଟ୍ ପାଇଁ ଆଇଏଲ୍ ଆଣ୍ଡ୍ ଏଫ୍ଏସ୍ ସଂସ୍ଥା ଡିଜାଇନ୍ ପ୍ରସ୍ତୁତ କରିଥିଲା। ସହର ଭିତରକୁ ଭାରୀଯାନ ପ୍ରବେଶ ନିଷେଧ ହୋଇଥିଲେ ମଧ୍ୟ ଏହି ପରିବା ମାର୍କେଟ୍କୁ ଦିନରେ ମାଳ ମାଳ ଟ୍ରକ୍ ଏଠାକୁ ଆସୁଥିବାରୁ ଏହାକୁ ଭଗବାନପୁରକୁ ସ୍ଥାନାନ୍ତର କରିବାକୁ ୨୦୧୯ ମସିହାରେ ଯୋଜନା ହୋଇଥିଲା। ଏହି ହାଟ ଉଠିଗଲେ ୧ ନମ୍ବର ହାଟକୁ ମାର୍କେଟ୍ କମ୍ପ୍ଲେକ୍ସ ଜରିଆରେ ଆଧୁନିକୀକରଣ କରିବା ଯୋଜନା ଥିଲା। ଗତବର୍ଷ ଏଠାରେ ଥିବା ଶହ ଶହ ଗଛ କାଟିଦେବାରୁ ବିବାଦ ହୋଇଥିଲା। ଏଠାରେ ଏମ୍ସିସି ନିର୍ମାଣ କରିବାକୁ ବିଏମ୍ସି ଯୋଜନା କରିବାରୁ ପ୍ରବଳ ବିରୋଧ ହୋଇଥିଲା। ଏଣୁ ପାଚେରି ନିର୍ମାଣ ପ୍ରକ୍ରିୟା ବିଳମ୍ବ ହୋଇଥିଲା।