ଖଣ୍ଡଗିରି: ଆଜି ପ୍ରସିଦ୍ଧ ଭଗବାନପୁର କଣ୍ଢେଇ ମେଳଣର ଜମାଣ ପର୍ବ ଧୁମ୍ଧାମ୍ରେ ଅନୁଷ୍ଠିତ ହୋଇଯାଇଛି। କୁନିକୁନି ପିଲାମାନଙ୍କ କାନ୍ଧରେ କୁନିକୁନି ବିମାନରେ ଶୋଭା ପାଉଥିବା ବିଭିନ୍ନ ପ୍ରକାରର କଣ୍ଢେଇମାନଙ୍କୁ ଆଜି ଗ୍ରାମ ପରିକ୍ରମା କରାଯାଇ ମା’ ଛୋଟି ଭୁଆସୁଣୀଙ୍କ ମେଳଣ ପଡ଼ିଆକୁ ନିଆଯାଇଥିଲା। ଚଳିତ ବର୍ଷ ୨୦ଟି ସୁସଜ୍ଜିତ ବିମାନ ଏହି ଶୋଭାଯାତ୍ରାରେ ସାମିଲ୍ ହୋଇଥିଲା। କେଉଁ ବିମାନରେ ଟେଡି ବିୟର ଥିଲା ତ କେଉଁ ବିମାନରେ ବାର୍ବିଡଲ୍। ପୁଣି କେଉଁଠି ଛୋଟାଭିମ୍ ଭଳି କଣ୍ଢେଇ ବିମାନରେ ବିରାଜମାନ ହୋଇଥିଲେ। ୮ରୁ ୧୨ବର୍ଷ ବୟସର ପିଲାମାନେ ବିମାନ କାନ୍ଧେଇଥିବା ବେଳେ ସେମାନଙ୍କ ଆଗରେ ଥିଲା ବିରାଟ ପଟୁଆର। ବାଜା, ବାଣରେ କମ୍ପୁଥିଲା ଗାଁ। ଶୋଭାଯାତ୍ରାରେ କଣ୍ଢେଇ ନାଚ, ଘୋଡ଼ା ନାଚ, ବାଘ, ଭାଲୁ, ହରିଣ, ବଣମଣିଷ, ବୁଢ଼ାବୁଢ଼ୀ ନାଚ, ଟାକୁଟାକୁଆ ଚଢ଼େଇ ନାଚ ଓ ଷଣ୍ଢ ନାଚ ଆକର୍ଷଣ ସାଜିଥିଲା। ଗାଁ ପରିକ୍ରମା କରିବା ପରେ ବିମାନଗୁଡ଼ିକ ମେଳଣ ପଡ଼ିଆରେ ଏକତ୍ରିତ ହୋଇଥିଲେ।
ଗାଁ’ର ଆରାଧ୍ୟଦେବୀ ମା’ ଛୋଟି ଭୁଆସୁଣୀଙ୍କ ପାଖରେ ନଡ଼ିଆ ବାଡ଼େଇ ଆରମ୍ଭ ହୋଇଥିବା ଏହି ମେଳଣ ୩ ଦିନ ଯାଏ ଚାଲିବ। ଏଥିଲାଗି ଭୁଆସୁଣୀ ମନ୍ଦିର ପଡ଼ିଆରେ ବ୍ୟାପକ ଆୟୋଜନ କରାଯାଇଛି। ୩ ଦିନ ପର୍ଯ୍ୟନ୍ତ ସନ୍ଧ୍ୟାରେ ଭଜନ ସମାରୋହ, ସଂକୀର୍ତ୍ତନ ଓ ଭିନ୍ନକ୍ଷମ କଳାକାରଙ୍କ ଦ୍ବାରା ଭଜନ ପରିବେଷଣ କରାଯିବ। ଶୁକ୍ରବାର ଦିଅଁ ମେଳଣ ଓ ବାଲ୍ୟ ଭୋଜି ପରେ ଏହି ମେଳଣ ଉଦ୍ଯାପିତ ହେବ। ଆଜି ଜମାଣ ପର୍ବରେ ମେୟର ସୁଲୋଚନା ଦାସ, ଜଟଣୀ ବିଧାୟକ ସୁରେଶ ରାଉତରାୟ, ପୂର୍ବତନ ଭୁବନେଶ୍ବର ପଞ୍ଚାୟତ ସମିତି ଅଧ୍ୟକ୍ଷ ଦୁଃଶାସନ ସ୍ବାଇଁ, କର୍ପୋରେଟର ରଶ୍ମିରଂଜନ ପାଟ୍ଟଶାଣୀ ଯୋଗ ଦେଇଥିଲେ। ସୂଚନାଯୋଗ୍ୟ ଯେ ଶୋଭାଯାତ୍ରା ବେଳେ କଣ୍ଢେଇମାନଙ୍କୁ ଗ୍ରାମବାସୀମାନେ ଚାଚେରି ଭୋଗ ଲାଗି କରିଥିଲେ।