ଭୁବନେଶ୍ବର: ଦିନେ ପ୍ରତିଟି ଓଡ଼ିଆଙ୍କ ଆଧ୍ୟାତ୍ମିକ ଭାବନାର ଅବିଚ୍ଛେଦ୍ୟ ଅଙ୍ଗ ଥିଲା ଭାଗବତ। କିଛି ଥାଉ କି ନଥାଉ, ପ୍ରତି ଗାଁରେ ସ୍ଥାପିତ ହୋଇଥିଲା ଭାଗବତ ଟୁଙ୍ଗି। ଆଧୁନିକତାର ଆଁରେ ଧୀରେଧୀରେ ଏହା ବିଲୀନ ହେବାକୁ ବସିଥିବା ବେଳେ ପୂର୍ବତନ ରାଜ୍ୟପାଳ ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେ ଧ୍ୟାନ ଆକର୍ଷଣ କରିବାରୁ ଭାଗବତ ଟୁଙ୍ଗିର ପୁନରୁଦ୍ଧାର ପାଇଁ ସରକାର ଅଣ୍ଟା ଭିଡ଼ିଥିଲେ। ବିଗତ କିଛି ବର୍ଷ ମଧ୍ୟରେ ଅନେକ ଭାଗବତ ଟୁଙ୍ଗିର ପୁନରୁଦ୍ଧାର ମଧ୍ୟ ହୋଇଛି। ସଂସ୍କୃତି ବିଭାଗ ୨୫ ହଜାର ଟଙ୍କାର ଆର୍ଥିକ ଅନୁଦାନ ସହ ଭାଗବତ ଟୁଙ୍ଗିକୁ ପୁନରୁଦ୍ଧାର କରିବାକୁ ଉଦ୍ୟମ କରିଛି। ମାତ୍ର ଉଜୁଡ଼ି ଯାଇଥିବା ଟୁଙ୍ଗି ପାଇଁ କୌଣସି ବି ଆର୍ଥିକ ଅନୁଦାନ ଦେଇନାହିଁ। ଗତ ବାତ୍ୟା ଫନି ଅନେକ ଭାଗବତ ଟୁଙ୍ଗିକୁ ଭାଙ୍ଗି ଦେଇଥିଲେ ହେଁ ଏପର୍ଯ୍ୟନ୍ତ ସେଗୁଡ଼ିକୁ ସଜାଡ଼ିବା ପାଇଁ ସରକାର ମୁଣ୍ଡ ଖେଳାଉ ନାହାନ୍ତି। କେବଳ ସେତିକି ନୁହେଁ, ଦୀର୍ଘ ଦିନ ଆବେଦନ ପରେ ମଧ୍ୟ ଅନେକ ଭାଗବତ ଟୁଙ୍ଗି ସରକାରଙ୍କ ପ୍ରଦତ୍ତ ଆର୍ଥିକ ଅନୁଦାନ ପାଇ ପାରୁନାହାନ୍ତି।
ବାଲିଅନ୍ତା ବ୍ଲକରେ ୪୧୧ରୁ ଅଧିକ ଟୁଙ୍ଗି ଥିଲେ ହେଁ ଏପର୍ଯ୍ୟନ୍ତ ୭ଟି ଟୁଙ୍ଗିକୁ ସହାୟତା ମିଳିଛି। ଏଣେ ବାଲିପାଟଣାରେ ୩୪୧ରୁ ଅଧିକ ଭାଗବତ ଟୁଙ୍ଗି ଥିଲେ ହେଁ ମାତ୍ର ୭ଟି ଟୁଙ୍ଗିକୁ ଅନୁଦାନ ମିଳିଛି। ଅଠାନ୍ତର ଗ୍ରାମର ଭାଗବତ ଟୁଙ୍ଗିର ଛପର ବାତ୍ୟାରେ ଉଡ଼ି ଯାଇଥିବାରୁ ଜରିପାଲ ଟାଙ୍ଗି ଭାଗବତ ପାଠ କରାଯାଉଛି। ସ୍ଥିତି ଏମିତି ଯେ ପଢ଼ା ଯିବା ପରେ ଭାବଗତ ପୋଥିକୁ ଘରକୁ ନେଇ ପୂଜା କରାଯାଉଛି। ପୁଣି ପରଦିନ ସନ୍ଧ୍ୟାରେ ଭଙ୍ଗା ଟୁଙ୍ଗିକୁ ଅଣାଯାଉଛି। ଘରର ପୁନରୁଦ୍ଧାର ପାଇଁ ବିଧାୟକ ଓ ବ୍ଲକକୁ ଜଣାଯାଇଛି। ହେଲେ କେହି ବି ଏ ଦିଗରେ ସହାୟତାର ହାତ ବଢ଼ାଇ ନାହାନ୍ତି ବୋଲି ଗ୍ରାମର ଅର୍ଜୁନ ବେହେରା କହିଛନ୍ତି। ସେହିଭଳି ମଧୁବନ ମଠରେ ମଧ୍ୟ ରୀତିମତ ଭାଗବତ ପାଠ ସହ ସଂକୀର୍ତ୍ତନ ହୁଏ। ହେଲେ ଗତ ବାତ୍ୟାରେ ଘର ଭାଙ୍ଗି ଯାଇଛି। କିଛି ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗରେ ଆଜବେଷ୍ଟସ୍ ପକାଯାଇ କାମ ଚଳାଯାଉଛି। ହେଲେ ସରକାରୀ ଅନୁଦାନ ଟଙ୍କାଟିଏ ବି ମିଳିନାହିଁ ବୋଲି ତରଡ଼ାପଡ଼ାର ବାଳକୃଷ୍ଣ ପରିଡ଼ା କହିଛନ୍ତି। ବଳଭଦ୍ରପୁରରେ ଥିବା ଭାଗବତ ପୋଥି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଏତାଦୃଶ ଅବସ୍ଥା ପରେ ବି ସରକାରୀ ଅଧିକାରୀ କହିଛନ୍ତି, ଏଥିପାଇଁ କୌଣସି ପ୍ରକାର ଅନୁଦାନର ବ୍ୟବସ୍ଥା ନାହିଁ। ଏହା ସରକାରଙ୍କ ଭାଗବତ ଟୁଙ୍ଗି ପୁନରୁଦ୍ଧାର ଭେଳିକି ନୁହେଁ କି?
ଭାଗବତ ପାଠ କେବଳ ଯେ ଆଧ୍ୟାତ୍ମିକ ମହକ ବାଣ୍ଟୁଛି, ସେକଥା ନୁହେଁ ବରଂ ଲୋକଙ୍କୁ ସମବେତ କରାଇ ଭାଇଚାରାକୁ ଉଜ୍ଜୀବିତ ରଖିବାରେ ସହାୟକ ହୁଏ। ମାତ୍ର ବାସ୍ତବ ଚିତ୍ର ଏବେ ଭିନ୍ନ। ଭାଗବତ ସିନା ପଢ଼ା ଯାଉଛି କିନ୍ତୁ ଶୁଣିବା ପାଇଁ ଲୋକଙ୍କ ସମାଗମ ହେଉନାହିଁ। କିଛି ସ୍ଥାନରେ ତ କେବଳ ଭାଗବତ ସପ୍ତାହ କିମ୍ବା ଉତ୍ସବ ଆସିଲେ ଭାଗବତ ପାଠ କରାଯାଉଛି। ଶ୍ରଦ୍ଧା, ଭକ୍ତି, ମାର୍ମିକ ଅଭିବ୍ୟକ୍ତି ବିନା ଯେ ଭାଗବତ ପାଠ ଓ ଭାଗବତ ଟୁଙ୍ଗିର ପୁନରୁଦ୍ଧାର ପରିକଳ୍ପନା ବ୍ୟର୍ଥ; ସେଥିରେ ଅନେକ ଦ୍ବିମତ ହେବେ ନାହିଁ। ମାତ୍ର ଏମିତି କିଛି ସ୍ଥାନ ଅଛି, ଅନୁଦାନ ଦିଆଯାଇ ବି ସେଠାରେ ଭାଗବତ ପାଠ ହେଉନାହିଁ। ଜଟଣୀରେ ୨୦୧୫ରେ ୭ଟି ଟୁଙ୍ଗିକୁ ଏବଂ ୨୦୧୭-୧୮ରେ ୬ଟି ଟୁଙ୍ଗିକୁ ଅନୁଦାନ ମିଳିଥିଲା। ହେଲେ ସେଥିମଧ୍ୟରୁ କିଛି ଟୁଙ୍ଗିରେ ନିୟମିତ ଭାଗବତ ପାଠ କରାଯାଉନାହିଁ ବୋଲି ଗ୍ରାମବାସୀମାନେ କହିଛନ୍ତି। ଭାଗବତ ଟୁଙ୍ଗିର ପୁନରୁଦ୍ଧାର ପାଇଁ ସରକାର ୨୫ ହଜାର ଟଙ୍କାର ସହାୟତା ଯୋଗାଇଛନ୍ତି। ଆସନ୍ତା ବର୍ଷଠୁ ୫୦ହଜାର ଟଙ୍କାକୁ ଏହି ସହାୟତା ବଢ଼ିବା ନେଇ ସରକାର ଘୋଷଣା ବି କରିଛନ୍ତି। ମିଳିଥିବା ସୂଚନା ମୁତାବକ, ବାଲିଅନ୍ତା ବ୍ଲକରେ ଚଳିତ ବର୍ଷ ୪୧୧ଟି ଓ ବାଲିପାଟଣା ବ୍ଲକରେ ୩୪୧ଟି ଭାଗବତ ଟୁଙ୍ଗି ପାଇଁ ଆବେଦନ କରାଯାଇଛି। ଏଗୁଡ଼ିକର ତଦନ୍ତ ଭିତ୍ତିରେ ଅନୁଦାନ ଦିଆଯିବ। ସରକାରଙ୍କ ଏ ମହତ୍ତ୍ବାକାଂକ୍ଷା ଯୋଜନାରେ ସମସ୍ତଙ୍କୁ ସନ୍ତୁଷ୍ଟ କରିବା ସମ୍ଭବ ନୁହେଁ। ମାତ୍ର ଯେତିକି ଟୁଙ୍ଗିକୁ ଏହି ଅନୁଦାନ ମିଳିବ, ସେଠାରେ ଯେ ରୀତିମତ ଭାଗବତ ପାଠ ହେବ, ତାକୁ ଜଗିବ କିଏ?
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/dh54df5jh4df56df56h4fd56h4f56h4f56h4.jpg)