ଭୁବନେଶ୍ୱର: ଜଗନ୍ନାଥ ସଂସ୍କୃତିକୁ ବଞ୍ଚାଇବା ପାଇଁ ହେଲେ ଗାଁ ଗାଁରେ ଭାଗବତ ଟୁଙ୍ଗିର ଆବଶ୍ୟକତା ରହିଛି। ଏଥିପାଇଁ ଗାଁମାନଙ୍କରେ ନାମ ସଂକୀର୍ତ୍ତନ ସହ ଲୋକଙ୍କୁ ସଚେତନ କରିବାକୁ ପଡ଼ିବ ବୋଲି ରାଜ୍ୟସଭା ସାଂସଦ ତଥା ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି। ଆଜି ଶ୍ରୀଶ୍ରୀଜଗନ୍ନାଥ ସଂସ୍କୃତି ନାମ ସଂକୀର୍ତ୍ତନ ପରିଷଦ ପକ୍ଷରୁ ସିଆର୍‌ପିସ୍ଥିତ ହନୁମାନ ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ରାଜ୍ୟସ୍ତରୀୟ ସମାବେଶରେ ଯୋଗଦେଇ ଶ୍ରୀ ପଟ୍ଟନାୟକ କହିଲେ, ଏବେ ଜଗନ୍ନାଥ ସଙ୍କଟରେ ପଡ଼ିଛନ୍ତି। ଜଗନ୍ନାଥ ସଂସ୍କୃତିକୁ ବଞ୍ଚାଇବା ପାଇଁ ତୃଣମୂଳସ୍ତରରେ ଲୋକଙ୍କୁ ସଂଗଠିତ କରିବାକୁ ପଡ଼ିବ। ପ୍ରତି ଗ୍ରାମରେ ଗୋଟିଏ ଭାଗବତ ଟୁଙ୍ଗି କରି ସେଠାରେ ପ୍ରତିଦିନ ନାମ ସଂକୀର୍ତ୍ତନ ମାଧ୍ୟମରେ ଲୋକଙ୍କୁ ଯୋଡ଼ା ଯାଇପାରିବ। ରାଜ୍ୟରେ ୫୦ ହଜାର ଗ୍ରାମ ରହିଛି। ଯଦି ୫୦ ହଜାର ଭାଗବତ ଟୁଙ୍ଗି କରି ସଂକୀର୍ତ୍ତନ ମାଧ୍ୟମରେ ଅତି କମ୍‌ରେ ୨୦ଜଣ ଜଗନ୍ନାଥପ୍ରେମୀଙ୍କୁ ସାମିଲ କରିପାରିବା, ତେବେ ଏହା ଜଗନ୍ନାଥ ସଂସ୍କୃତିକୁ ବଞ୍ଚାଇବା ପାଇଁ ବଡ଼ ବିକଳ୍ପ ହୋଇପାରିବ ବୋଲି ସେ କହିଥିଲେ।। ପରିଷଦର ସଭାପତି ବିପ୍ରବର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାବେଶରେ ଉପଦେଷ୍ଟା ଶାନ୍ତି ଭୂଷଣ ପଣ୍ଡା, ନୂତନ ଉପଦେଷ୍ଟା ମହେନ୍ଦ୍ର ଚୌଧୁରୀ, କାର୍ଯ୍ୟକାରୀ ସଭାପତି ଜଗନ୍ନାଥ ରାଉତ, ଉପସଭାପତି ନନ୍ଦ କିଶୋର ସାହୁ, ସାଧାରଣ ସମ୍ପାଦକ ବିପିନ ବିହାରୀ ଦାସ ପ୍ରମୁଖ ଯୋଗଦେଇ ଜଗନ୍ନାଥ ସଂସ୍କୃତିକୁ ବଞ୍ଚାଇବା ସହ ବିଶ୍ୱ ଶାନ୍ତି ପରିବେଶ ପାଇଁ ସଂକଳ୍ପବଦ୍ଧ ହେବାକୁ ଆହ୍ଵାନ ଦେଇଥିଲେ। ସମାବେଶରେ ୨୬ଟି ଜିଲ୍ଲାର ବିଭିନ୍ନ ବ୍ଲକ ଓ ଜୋନସ୍ତରର ପ୍ରତିନିଧି ଯୋଗ ଦେଇଥିଲେ।