ଭୁବନେଶ୍ବର: ଅଗଷ୍ଟ ୯ ତାରିଖରେ ପରଦାକୁ ଆସିବ ଓଡ଼ିଆ ସିନେମା ‘ଭଗିଆ ଭାରିଯା’। ଏବେ ରିଲ୍ସର ଦୁନିଆ। ମୋବାଇଲ୍‌ ଧରି ରିଲ୍ସ କରିବାରେ ସମସ୍ତେ ଅଭ୍ୟସ୍ତ। ଏକ ନିପଟ ମଫସଲରେ ରହୁଥିବା ଅଟୋ ଚାଳକ ଭଗିଆର ଭାରିଯା ରିଲ୍ସ୍ ମାଧ୍ୟମରେ ନିଜର ପରିଚୟ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି। କିନ୍ତୁ ସତରେ କଣ ତାର ସ୍ବପ୍ନ ପୂରଣ ହେଉଛି? ସଂଘର୍ଷ, ସଫଳତା, ପାରିବାରିକ ଡ୍ରାମାକୁ ସହ ଏକ ମୌଳିକ କାହାଣୀକୁ ପରଦାରେ ଦେଖିବେ ଦର୍ଶକ। ଆଜି ସ୍ଥାନୀୟ ବୁଦ୍ଧ ମନ୍ଦିରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହାର ମୁକ୍ତିଲାଭ ତାରିଖ ଘୋଷଣା କରାଯାଇଛି। ସିନେମାର କାହାଣୀ, ଚିତ୍ରନାଟ୍ୟ ଏବଂ ସଂଳାପ ଲେଖିଛନ୍ତି ଓଲିଉଡର ଲୋକପ୍ରିୟ ହାସ୍ୟ ଅଭିନେତା, ପ୍ରଯୋଜକ ତଥା ନିର୍ଦ୍ଦେଶକ ହରିହର ମହାପାତ୍ର।

Advertisment

ଏଥିରେ ସେ ନାୟକ ଭଗିଆ ଚରିତ୍ରରେ ଅଭିନୟ କରିବା ସହିତ ପ୍ରଯୋଜନାର ଗୁରୁ ଦାୟିତ୍ବ ସମ୍ଭାଳିଛନ୍ତି। ତାଙ୍କର ନାୟିକା ଅଛନ୍ତି ଦେବଯାନୀ, ଯିଏକି ଟାଇଟଲ ଭୂମିକାରେ ଅଭିନୟ କରିଛନ୍ତି। ଅନ୍ୟାନ୍ୟ ଚରିତ୍ରରେ ବବି ମିଶ୍ର ଓ ପୁପିନ୍ଦରଙ୍କୁ ଦେଖିବାକୁ ମିଳିବ। ନିର୍ଦ୍ଦେଶନା ଦେଇଛନ୍ତି ମୃତ୍ୟୁଞ୍ଜୟ ସାହୁ। ସଙ୍ଗୀତ ଦେଇଛନ୍ତି ମଳୟ ମିଶ୍ର। ଚଳଚିତ୍ରଟିକୁ ସର୍ବାଙ୍ଗ ସୁନ୍ଦର କରିବା ପାଇଁ ସବୁ ପ୍ରକାର ଚେଷ୍ଟା କରାଯାଇଛି। ସବୁବର୍ଗର ଦର୍ଶକଙ୍କୁ ଆକୃଷ୍ଟ କରିବା ପାଇଁ ଏହି ସିନେମାରେ ମନୋରଞ୍ଜନର ଭରପୂର ଉପାଦାନ ରହିଛି। ‘ଭଗିଆ ଭାରିଯା’ ସମୁଦାୟ ୪୦ ଟି ହଲରେ ମୁକ୍ତିଲାଭ କରିବ। ଉଲ୍ଲେଖନୀୟ କଥା ହେଉଛି, ଏ ସିନେମା ଦେଖି ସବୁଠାରୁ ଉତ୍ତମ ମତାମତ ଦେଇଥିବା ସୌଭାଗ୍ୟଶାଳୀ ବିଜେତା ଏବଂ ତାଙ୍କ ପରିବାରକୁ ମାଲେସିଆ ଯିବାର ସୁଯୋଗ ମିଳିବ ବୋଲି ଘୋଷଣା କରା ଯାଇଛି। ଆଜି ସାମ୍ୱାଦିକ ସମ୍ମିଳନୀରେ ନାୟକ ହରି, ନାୟିକା ଦେବଯାନୀ, ବବି ମିଶ୍ର, ପୁପିନ୍ଦର ଓ ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ସାହୁଙ୍କ ସମେତ ଚଳଚ୍ଚିତ୍ର ସହ ସମ୍ପୃକ୍ତ ବହୁ କଳାକାର ଓ ଟେକ୍ନିସିଆନ ଯୋଗ ଦେଇଥିଲେ।