ଭଜନରେ ଭିଜାଇଲେ ଅନୁରାଧା, କବିତା, ସୁଦେଶ ଓ ଅନୁ ମଲିକ

ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାଶିବରାତ୍ରି ଅବସରରେ ଭଜନ ସନ୍ଧ୍ୟା

ବଲିଉଡ୍‌ର ବିଶିଷ୍ଟ କଣ୍ଠଶିଳ୍ପୀ ଅନୁରାଧା ପଡ଼ୱାଲ୍‌ଙ୍କ ‘ଓମ୍‌ ନମଃ ଶିବାୟ’ ଭଜନରୁ ଆରମ୍ଭ ହୋଇଥିଲା ଭଜନ ସନ୍ଧ୍ୟା। ଅନୁରାଧ‌ା ତାଙ୍କ ଝିଅ କବିତା ମିଳିତଭାବେ ‘ଆୟା ବାବା କା ତ୍ୟୋହାର ଆୟା’ ଭଜନ ଗାଇ ଶ୍ରୋତାମାନଙ୍କୁ ଭକ୍ତିସାଗରରେ ବୁଡ଼ାଇ ଦେଇଥିଲେ। ଅନୁରାଧାଙ୍କ କଣ୍ଠର ସେହି ଲୋକପ୍ରିୟ ଓଡ଼ିଆ ଭଜନ ‘କେରି କେରି ସୁନାଦୁବ’ ମଧ୍ୟ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରି ଦେଇଥିଲା। କବିତା ‘ଶିବ୍‌ଶଙ୍କର୍‌ କୋ ଜିସ୍‌ନେ ପୂଜା’, ‘ସୁବ୍‌ହା ସୁବ୍‌ହା ଲୋ ଶିବ୍‌ କା ନାମ୍‌’ ଓ ‘ଓମ୍‌ ନମଃ ଶିବାୟ ତିନି ଲୋ‌ଗ୍‌ ମେଁ ଶ୍ରେଷ୍ଠ’ ଭଜନ ଗାଇ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲେ। ଏହାଛଡ଼ା ସୁଦେଶ ଭୋସ୍‌ଲେ ‘କ୍ୟା କରେ ନନ୍ଦ ଲାଲା’ ଏବଂ ‘ଭୋଲେ ଓ ଭୋଲେ’ ଆଦି ଭଜନ ଗାଇଥିବାବେଳେ ବଲିଉଡ୍‌ର ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ଅନୁ ମଲିକ ଗାଇଥିଲେ ‘ଶିବାୟ ଶିବାୟ ଶିବାୟ, ତୁମ୍‌ ଯାହାଁ ଯାଏ’।

ଗୁରୁବାର ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାଶିବରାତ୍ରି ଅବସରରେ ଏକାମ୍ର ସାଂସ୍କୃତିକ ପ୍ରକାଶନୀ ପକ୍ଷରୁ ଆୟୋଜିତ ଭଜନ ସନ୍ଧ୍ୟାରେ ବିଶିଷ୍ଟ କଣ୍ଠଶିଳ୍ପୀମାନଙ୍କ ସମାରୋହରୁ ସୃଷ୍ଟି ହୋଇଥିଲା ଏଭଳି ଭାବ ଓ ଭକ୍ତିମୟ ପରିବେଶ। କାର୍ଯ୍ୟକ୍ରମ ଆରମ୍ଭରେ ଓଡ଼ିଆ ସଂଗୀତଜ୍ଞ ମନ୍ମଥ ମିଶ୍ର ‘ଶ୍ରୀ ଜଗନ୍ନାଥ’ ଭଜନ ଗାଇବା ସହ ପ୍ରଦୀପ ପ୍ରଜ୍ଜ୍ବଳନ ହୋଇଥିଲା। ଜଣାଶୁଣା ଓଡ଼ିଆ କଣ୍ଠଶିଳ୍ପୀ ସ୍ନିତି ମିଶ୍ର ପ୍ରମୁଖ ଭଜନ ପରିବେଷଣ କରିଥିଲେ। ୨୪ଘଣ୍ଟିଆ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଭିତରେ ଶଙ୍ଖଧ୍ୱନି, ବେଦ ପାଠ, ଶିବ ସହସ୍ରନାମ, ଭାଗବତ ଗୀତା ପାଠ, ଶିବ ଚେତନା, ହରିହର ଭଜନ, ରାମଚରିତ ମାନସ ପାରାୟଣ ଓ ପ୍ରବଚନ ସନ୍ଧ୍ୟା ପର୍ଯ୍ୟନ୍ତ ଚାଲିଥିଲା। ଡ. ହରିହର କାନୁନ୍‌ଗୋଙ୍କ ସଂଯୋଜନାରେ ପରେଶ ନାୟକ, ବିଭୂତି ଦାଶ ମହାରାଜ, ଡ. କୃପାସିନ୍ଧୁ ମିଶ୍ର, ଶିବାନନ୍ଦ ରାୟ, ସନ୍ତୋଷ ମହାନ୍ତି, ଡ. ପ୍ରଫୁଲ୍ଲ ମହାରାଜ, ମଞ୍ଜୁଳତା ପରିଡ଼ା, ସୁବାସ ଚନ୍ଦ୍ର ଦାଶ, ଆଦିତ୍ୟ ପାଢ଼ୀ ପ୍ରମୁଖ ପ୍ରବଚନ ପ୍ରଦାନ କରିଥିଲେ।

ଅନୁଷ୍ଠାନର ସଭାପତି ତଥା ବିଧାୟକ ସୁରେଶ କୁମାର ରାଉତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ପାଦକ ସନତ ମିଶ୍ର ବାର୍ଷିକ ବିବରଣୀ ପାଠ କରିଥିଲେ। ଅତିଥି ଭାବେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର, ଓଡ଼ିଶା-ମୋ ପରିବାର ଅଧ୍ୟକ୍ଷ ଅରୂପ ପଟ୍ଟନାୟକ, ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ବାବୁ ସିଂ, ଶିବାନନ୍ଦ ରାୟ, ସନ୍ତୋଷ ମହାନ୍ତି ଓ ରଶ୍ମୀ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଅନୁରାଧା ପୌଡୱାଲ୍‌, କବିତା ପୌଡୱାଲ୍‌, ଅନୁ ମଲିକ, ସୁଦେଶ ଭୋସ୍‌ଲେ, ସ୍ନିତି ମିଶ୍ର, ସ୍ବାସ୍ଥ୍ୟସେବା ପାଇଁ ଏମ୍‌ସ ନିର୍ଦ୍ଦେଶକ ପ୍ରଫସର୍‌ ଗୀତାଞ୍ଜଳି ବାତ୍ମାଁବାନେଁ, ଡ. ବନବିହାରୀ ମିଶ୍ର, କୃଷି କ୍ଷେତ୍ର ପାଇଁ ଓୟୁଏଟି କୁଳପତି ପବନ କୁମାର ଅଗ୍ରୱାଲଙ୍କୁ ସମ୍ବର୍ଧିତ କରାଯାଇଥିଲା।

ସମ୍ବନ୍ଧିତ ଖବର