ଭିକାରୀ ବଳଙ୍କ ସ୍ମୃତିରେ: ନାଁ ଥିଲା ଭିକାରୀ, କିନ୍ତୁ କୋଟିକୋଟି ହୃଦୟର ସେ ପାଲଟି ଯାଇଥିଲେ ସମ୍ରାଟ

ଭୁବନେଶ୍ବର (ସତ୍ୟନାରାୟଣ ରାଉତରାୟ): ସ୍ବର ସିନା କରିଦେବେ, ଶୁଣେଇବେ କାହାକୁ? କିଏ କହିବ ଯେ, ସେ କରିଥିବା ଗୀତର ସ୍ବର ଠିକ୍‌ ଅଛି? ତେଣୁ ଗୀତର ସ୍ବର କରିବା ପୂର୍ବରୁ ଚୁଲି ମୁଣ୍ଡେ ରୋଷେଇ କରୁଥିବା ପତ୍ନୀ ଉଷାରାଣୀଙ୍କ ପାଖେ ସେ ହାରମୋନିୟମ ଧରି ବସିପଡ଼ନ୍ତି। ବେ‌ଳେବେଳେ ସ୍ବର କଲାବେଳେ ଝୁଣ୍ଟନ୍ତି। ତାଙ୍କ ସ୍ବରକୁ କାନେଇଥିବା ପତ୍ନୀ ଉଷାରାଣୀ କୁହନ୍ତି, ଆଚ୍ଛା ଏହା ପୂର୍ବରୁ ଯୋଉ ସ୍ବରରେ ଗାଉଥିଲ ସେଇ ସ୍ବରରେ ଆଉଥରେ ଗାଇଲ। ଏହା ଶୁଣିବା ମାତ୍ରେ ପୁଣି ସେ ଉତ୍ସାହିତ ହୋଇ ଗାଆନ୍ତି। ଉଷାରାଣୀ କୁହନ୍ତି, ବୁଝିଲ ଏଇ ସ୍ବରଟା ଭଲ ଲାଗୁଛି। ଏତିକି ଶୁଣିବା ମାତ୍ରେ ତାଙ୍କ ବିଷର୍ଣ୍ଣ ମୁହଁରେ ଚେନା ଚେନା ହସ ଖେଳିଯାଉଥିଲା। ସେଇଠୁ ଜନ୍ମ ନେଉଥିଲା ‘କୋଠ ଭୋଗ ଖିଆ ମୋ ଚକା ଆଖିଆ…ଠୁ ନେଇ ‘ମୁଁ ତ ବଡ଼ ଦେଉଳର ପାରାରେ..ଭଳି କାଳଜୟୀ ଗୀତ। ସଂଗୀତ ଯେ ତାଙ୍କ ଶିରା ପ୍ରଶିରାରେ ପ୍ରବାହିତ ହେଉଥିଲା ଏହା ପ୍ରମାଣିତ କରିଥିଲେ ସଂଗୀତ ଜଗତର ଅଘୋଷିତ ବାଦ୍‌ଶାହା ଭଜନ ସମ୍ରାଟ ଭିକାରୀ ବଳ। ଆଜକୁ ଠିକ୍‌ ୯ ବର୍ଷ ତଳେ ୨୦୧୦ ମସିହା ନଭେମ୍ବର ୨ ମଙ୍ଗଳବାର ଲିଭିଯାଇଥିଲା ତାଙ୍କ ଜୀବନ ଦୀପ। ମାତ୍ର ଆଜି ବି କୋଟିକୋଟି ପ୍ରାଣରେ ଗୁଞ୍ଜରିତ ହୁଏ ତାଙ୍କ କଣ୍ଠ ନିଃସୃତ ଶହ ଶହ ଗୀତ।

ନାଁ ଥିଲା ଭିକାରୀ, କିନ୍ତୁ କୋଟିକୋଟି ହୃଦୟର ସେ ପାଲଟି ଯାଇଥିଲେ ସମ୍ରାଟ। ଏ ଭିକାରୀ ନାମ ପଛରେ ବି ଲୁଚିଥିଲା ରହସ୍ୟ। କେନ୍ଦ୍ରାପଡ଼ା ସୋବଳ ଗ୍ରାମର ରାମଚନ୍ଦ୍ର ବଳ ଓ ଗେଲ୍ଲାରାଣୀ ଦେବୀଙ୍କଠାରୁ ଜନ୍ମିତ ଶିଶୁମାନେ ଜଣ ପରେ ଜଣେ ପ୍ରାଣ ହରାଉଥିଲେ। ତେଣୁ ଯେବେ ୧୯୨୯ ମସିହା ମେ ମାସ ୨୫ ତାରିଖରେ ଆଉ ଜଣେ ଶିଶୁ ଜନ୍ମ ନେଲା, ତା’ର ଯେମିତି କିଛି କ୍ଷତି ନହୁଏ ‌ତା’ ନାଁ ରଖିଲେ ଭିକାରୀ। ଭିକାରୀ ସିନା ବଞ୍ଚିଗଲେ କିନ୍ତୁ ପିଲା ‌ଥିବା ବେଳେ ତାଙ୍କ ପିତାମାତା ଆରପାରିକୁ ଚାଲିଗଲେ। ପିଲାବେଳୁ ହିଁ ଗାଁରେ ଗଢ଼ି ଉଠିଥିବା ଯାତ୍ରା ପାର୍ଟିରେ ସେ ଯୋଗଦେଇ ଗୀତ ଓ ଅଭିନୟ ଶିଖିବା ସହ ହାରମୋନିୟମ ବଜାଇଲେ। ପରିବାର ବୋଝ ସମ୍ଭାଳିବାକୁ ୬୦ ଟଙ୍କା ବିନିମୟରେ ୧୯୬୦ ମସିହାରେ କଟକ କଳା ବିକାଶ କେନ୍ଦ୍ରରେ ଓଡ଼ିଶୀ କଣ୍ଠଶିଳ୍ପୀ ଗୁରୁ ଭାବେ ଯୋଗଦେଲେ। ଆକାଶବାଣୀରେ ସୁଯୋଗ ପାଇବା ପାଇଁ ସଂଘର୍ଷ କରୁଥିବା ବେଳେ ‘ପ୍ରାଣ ମିତଣି ବାରେ ଚାହାଁରେ…ଗୀତ ପାଇଁ ସେ ଏ ଗ୍ରେଡ୍‌ କଣ୍ଠଶିଳ୍ପୀର ମାନ୍ୟତା ପାଇଲେ। ତେବେ ସତୁରି ଦଶକରେ ‘କୋଠ ଭୋଗ ଖିଆ.. ଓ ‘ଷାଠିଏ ପଉଟି ଭୋଗରୁ ତୁମର.. ଭଳି ଗୀତ ତାଙ୍କୁ ଅଜସ୍ର ପ୍ରସିଦ୍ଧି ଆଣିଦେଲା। ମାତ୍ର ୨୦ ବର୍ଷ ବୟସରେ ସେ ଉଷାରାଣୀଙ୍କୁ ବିବାହ କରିବା ପରଠୁ ଉଷାରାଣୀ ପାଲଟିଯାଇଥିଲେ ତାଙ୍କ ସଂଗୀତ ଜୀବନର ସହଯାତ୍ରୀ।

୨୫ରୁ ଅଧିକ ଚଳଚ୍ଚିତ୍ରରେ ଗୀତ ଗାଇଥିଲେ ହେଁ ଜଗନ୍ନାଥ ଭଜନ ଓ ଗୀତଗୋବିନ୍ଦରେ ମୁଗ୍ଧ ଗଜପତି ମହାରାଜ ତାଙ୍କୁ ଭଜନ ସମ୍ରାଟ ଉପାଧିରେ ଭୂଷିତ କଲେ। ଭକ୍ତ ସାଲବେଗ, ଅଗ୍ନୀ ପରୀକ୍ଷା, ମଥୁରା ବିଜୟ, କିଏ କାହାର ଭଳି ଚଳଚ୍ଚିତ୍ର ସମେତ ସେ ୨୦ ହଜାରରୁ ଅଧିକ ଗୀତ ଗାଇ ଇତିହାସ ରଚିଲେ। ମାତ୍ର ୨୦୧୦ରେ ତାଙ୍କ କଣ୍ଠ ସବୁଦିନ ପାଇଁ ବିରାମ ନେଇଗଲା। ଭଜନ ଦୁନିଆକୁ ହାହାକାର କରି ସେ ଆରପାରିକୁ ଚାଲିଗଲେ। ସ୍ବର୍ଗଦ୍ବାରରେ ମର ଶରୀର ଉପରେ ଖଣ୍ଡୁଆ ପାଟ ଓ ଶ୍ରୀମନ୍ଦିରର ରୋଷ ନିଆଁରେ ମାଟିରେ ମିଶିଗଲେ ଭିକାରୀ। ଏବେ ବି କାର୍ତିକ ପୂର୍ଣ୍ଣମୀ ଆସିଲେ ପତିତପାବନଙ୍କ ସମ୍ମୁଖରେ ଚାଲିଥିବା ଭଜନ ସମାରୋହରେ ମନେ ପଡ଼ନ୍ତି ଭିକାରୀ। ତାଙ୍କ ଅବର୍ତମାନରେ ବି ସେଇଠୁ ଶୁଭେ ‘ମିଛ ଦୁନିଆରେ ଗୋଟିଏ ସତ ଜଗନ୍ନାଥ..ସେ ତ ଜଗନ୍ନାଥ…।

ସମ୍ବନ୍ଧିତ ଖବର