ପୁଣିଥରେ ପରଦାରେ ପ୍ରଦର୍ଶିତ ହେଲା ‘ଭକ୍ତ ସାଲବେଗ’

ଭୁବନେଶ୍ବର: ପରଦାରେ ଦୃଶ୍ୟପଟ୍ଟରେ ଥିଲା ଭକ୍ତ ଓ ଭଗବାନଙ୍କ ଲୀଳାଖେଳର କଥା। ଦର୍ଶକ ଉପଭୋଗ କରିଥିଲେ ପଞ୍ଚଦଶ ଶତାବ୍ଦୀର ବାଲ୍ୟବିଧବା ଲଳିତା ଓ ଲାଲବେଗଙ୍କ ବିବାହର ରୋଚକ କାହାଣୀ, ସାଲବେଗଙ୍କ ଜନ୍ମ, ପିତାଙ୍କ ଇଚ୍ଛାକୁ ସମ୍ମାନ ଦେଇ ସାଲବେଗଙ୍କ ତରବାରୀ ଚାଳନା ଓ ଯୁଦ୍ଧ କୌଶଳ ଶିକ୍ଷାର କଥ‌ାବସ୍ତୁ। ଆଫଗାନ୍‌ ସୈନିକଙ୍କ ସହ ଯୁଦ୍ଧ, ଯୁଦ୍ଧରେ ପିତା ଲାଲ୍‌ବେଗଙ୍କ ମୃତ୍ୟୁ, ବିଷାକ୍ତ ତରବାରୀର କ୍ଷତରେ ସାଲବେଗଙ୍କ ଦେହରେ କୁଷ୍ଠରୋଗ, ଗୁରୁ ହୃଷୀକେଶଙ୍କ ପରାମର୍ଶରେ ଯୋଦ୍ଧା ସାଲବେଗ ଭକ୍ତ ସାଲବେଗରେ ରୂପାନ୍ତର ହେବାର ପୃଷ୍ଠଭୂମିକୁ ଉପଭୋଗ କରିବାର ଅବସର ଆଣିଥିଲା ‘ଫିଲ୍ମ ଜର୍ଣ୍ଣାଲିଷ୍ଟ ଫୋରମ୍‌’ ଓ ‘କୌସ୍ତୁଭ ଡ୍ରିମ୍‌ ୱାର୍କ୍ସ’ ପକ୍ଷରୁ ୧୭ତମ ସ୍ମୃତିଛାୟାରେ ଜୟଦେବ ଭବନରେ ପରିବେଷିତ ଚଳଚ୍ଚିତ୍ର ‘ଭକ୍ତ ସାଲବେଗ’।
ପ୍ରଭୁକୃପା ଲଭି କୁଷ୍ଠରୁ ମୁକ୍ତି ପାଇବା ପରେ ସାଲବେଗଙ୍କ ଭକ୍ତି ଓ ଜଗନ୍ନାଥ ପ୍ରେମର ଅବତାରଣା ଦେଖିବାକୁ ମିଳିଥିଲା। ଭକ୍ତ ସାଲବେଗଙ୍କୁ ରଥାରୁଢ଼ ମହାପ୍ରଭୁ ଶ୍ରୀଜଗନ୍ନାଥ ଅପେକ୍ଷା କରି ରହିବା, ଯେତେ ଟାଣିଲେ ବି ରଥ ନ ଘୁଞ୍ଚିବା ଏବଂ ସାଲବେଗଙ୍କ ହାତର ସ୍ପର୍ଶ ମାତ୍ରେ ରଥ ଆଗକୁ ବଢ଼ିବାର ନିଚ୍ଛକ କଥାବସ୍ତୁର ଆବେଗିକ ଦୃଶ୍ୟ ଦର୍ଶକଙ୍କୁ ବାନ୍ଧି ରଖିଥିଲା। ୩୭ ବର୍ଷ ତଳର ଏହି ଚଳଚ୍ଚିତ୍ରରେ ଉତ୍ତମ ମହାନ୍ତି, ଅନିତା ଦାସ, ଦୁଃଖୀରାମ ସ୍ବାଇଁ, ଜୟୀ, ବୀରେନ ରାଉତରାୟ ଓ ଶରତ ପୂଜାରୀ ପ୍ରମୁଖ ଅଭିନୟ କରିଥିଲେ।

ଆଜିର ଏହି ସ୍କ୍ରିନିଂ ଉତ୍ସବରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ, ଅଭିନେତା ଉତ୍ତମ ମହାନ୍ତି, ବୁଦ୍ଧାଦିତ୍ୟ ମହାନ୍ତି, ଅନୁ‌ ଚୌଧୁରୀ, ପାର୍ଥସାରଥୀ, ପ୍ରେମାଞ୍ଜନ ପରିଡ଼ା, ହର ରଥ, ଗୁନ୍‌ଗୁନ୍‌, କୁନା ତ୍ରିପାଠୀ ଓ ଧୀର ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଚଳଚ୍ଚିତ୍ରର କିଛି ବରିଷ୍ଠ ଅଭିନେତା ଓ ଅଭିନେତ୍ରୀଙ୍କୁ ସମ୍ମାନିତ କରାଯାଇଥିଲା।

ସମ୍ବନ୍ଧିତ ଖବର