ଭାଲୁଙ୍କାରେ ଆଦିବା‌ସୀ ମେଳି, ଜମି ପଟ୍ଟା ଦାବିରେ ଗର୍ଜିଲେ

ବାରଙ୍ଗ: ବାରଙ୍ଗ ବ୍ଲକ୍ ରାମଦାଶପୁର ପଞ୍ଚାୟତ ଅଧୀନ ଭାଲୁଙ୍କା ବସ୍ତିରେ ଆଜି ଆଦିବାସୀମାନେ ମେଳି କରିଥିଲେ। ରାଜ୍ୟର ବିଭିନ୍ନ ଆଦିବାସୀ ସଂଗଠନର ନେତାମାନେ ଏହି ମେଳିରେ ଯୋଗ ଦେଇଥିଲେ। ପୁରୁଷ ପୁରୁଷ ଧରି ରହି ଆସୁଥିଲେ ବି ସେମାନଙ୍କୁ ସ୍ଥାୟୀ ଜମି ପଟ୍ଟା ମିଳୁନାହିଁ। ତେଣୁ ପଟ୍ଟା ପାଇବାକୁ ଦାବି କରି ଏହି ମେଳି ହୋଇଥିଲା। ଶହଶହ ଆଦିବାସୀ ଧନୁତୀର ଭଳି ପାରମ୍ପରିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ ମେଳିରେ ଯୋଗ ଦେଇଥିଲେ। ଜିଲ୍ଲା ପ୍ରଶାସନ ଜମି ପଟ୍ଟା ନଦେଲେ, ଆଗକୁ ଏହି ମେଳି ରାଜଧାନୀ ରାଜରାସ୍ତାକୁ ଯିବ ବୋଲି ଆଦିବାସୀ ନେତାମାନେ ଚେତାବନୀ ଦେଇଥିଲେ।

ଡମପଡ଼ା ଅଭୟାରଣ୍ୟର ଭାଲୁଙ୍କା ବସ୍ତିରେ ଆଦିବାସୀ ସମ୍ପ୍ରଦାୟର ୫୦ରୁ ଉର୍ଦ୍ଧ୍ବ ପରିବାର କାହିଁ କେଉଁ କାଳରୁ ପୁରୁଷ ପୁରୁଷ ଧରି ରହି ଆସୁଛନ୍ତି। ମାତ୍ର ସେମାନଙ୍କୁ ଏଯାବତ୍ ସରକାର ସ୍ଥାୟୀ ଜମି‌ ପଟ୍ଟା ଦେଉ ନାହାନ୍ତି। ଫଳରେ ସେମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ପାନୀୟ ଜଳ ଯୋଜନା, ସ୍ବାସ୍ଥ୍ୟ ସେବା ଓ ଶିକ୍ଷା ଭଳି ସବୁ ସରକାରୀ ସୁବିଧାରୁ ବଞ୍ଚିତ ହେଉଛନ୍ତି। ସେମାନଙ୍କୁ ସରକାରୀ ଋଣ ମିଳୁନାହିଁ। ଜବ୍‌ କାର୍ଡ ମିଳୁନଥିବାରୁ ମନରେଗା ଯୋଜନାରୁ ବି ବଞ୍ଚିତ ହେଉଛନ୍ତି।

ତେଣୁ ଆଜି ସେମାନେ ମେଳିକୁ ଆସିଥିବା ରାଜ୍ୟ ଅଦିବାସୀ କଲ୍ୟାଣ ସଂଘର ସଭାପତି ସତ୍ୟ ନାରାୟଣ ଭୋଇଙ୍କୁ ଏବାବଦରେ ଗୁହାରି କରିଥିଲେ। ଏହି ମେଳିରେ ଢେଙ୍କାନାଳର ଆଦିବାସୀ ନେତା ତଥା ଅବସରପ୍ରାପ୍ତ ଆଇଏଏସ୍ ଅଫିସର ଶରତ ଚନ୍ଦ୍ର ନାଏକ, ନୟାଗଡ଼ ନୀଳମାଧବ ଆଦିବାସୀ ସଂଘର କାର୍ଯ୍ୟକାରୀ ସଭାପତି ଲକ୍ଷ୍ମୀଧର ବେହେରା, ଖୋର୍ଦ୍ଧା ଆଦିବାସୀ ନେତା ଗଙ୍ଗାଧର ମାଝୀ, ଧୃବ ଦେହୁରୀ, ଗଜେନ୍ଦ୍ର ମାଝୀ, ବନମାଳି ଦାସ ଯୋଗ ଦେଇଥିଲେ। ଭାଲୁଙ୍କା ବସ୍ତିର ଆଦିବାସୀମାନେ ସେମାନଙ୍କର ଏହି ଦୁଃଖ ସେମାନଙ୍କୁ କହିଥିଲେ। ସେମାନଙ୍କ ଏହି ଦୁଃଖ ଶୁଣିବା ପରେ ଆଦିବାସୀ ନେତା ଶ୍ରୀ ଭୋଇ କ୍ଷୋଭ ପ୍ରକାଶ କରିଥିଲେ। ତୁରନ୍ତ ସେ ଏନେଇ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ ଓ ଯଥାଶୀଘ୍ର ଏହି ସମସ୍ୟାର ସମାଧାନ କରିବାକୁ ଲାଗିବେ ବୋଲି କହିଥିଲେ। ଯଦି ସରକାର ୧୫ ଦିନ ଭିତରେ ଏହି ସମସ୍ୟାର ସମାଧାନ ନ କରନ୍ତି, ତେବେ ସେମାନେ ପାରମ୍ପରିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ ଗଣତାନ୍ତ୍ରିକ ପଦ୍ଧତିରେ ବ୍ଲକ ଓ ଜିଲ୍ଲାରୁ ଆରମ୍ଭ କରି ସଚିବାଳୟ ପର୍ଯ୍ୟନ୍ତ ଆନ୍ଦୋଳନ ନେବେ ବୋଲି ଆହ୍ବାନ ଦେଇଥିଲେ। ‌ସୂଚନାଯୋଗ୍ୟ ମେଳି ଆରମ୍ଭରୁ ଭାଲୁଙ୍କା ବସ୍ତିବାସିନ୍ଦାମାନେ ପାରମ୍ପରିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହେବା ସହ ପାରମ୍ପରିକ ବାଦ୍ୟ ତଳେ ତାଳେ ନୃତ୍ୟ କରି ଶୋଭାଯାତ୍ରା କରିଥିଲେ ଓ ଆଦିବାସୀ ନେତାମାନଙ୍କୁ ପାଛୋଟି ନେଇଥିଲେ। ନେତାମାନେ ମଧ୍ୟ ସେମାନଙ୍କ ସହିତ ତାଳ ମିଳାଇ ନାଚିନାଚି ବସ୍ତି ପରିକ୍ରମା କରିଥିଲେ। ତେଣୁ ଆରମ୍ଭରୁ ଏହି ମେଳି ଏକ ଆଦିବାସୀ ପର୍ବର ଧାରଣା ସୃଷ୍ଟି କରିଥିଲା।

ସମ୍ବନ୍ଧିତ ଖବର