ଗରିବ ଓ ଅସହାୟଙ୍କ ସହାୟତା ପାଇଁ ‘ଭରସା’

ଭୁବନେଶ୍ବର: ଭୁବନେଶ୍ବର ସଂସଦୀୟ ନିର୍ବାଚନ ମଣ୍ଡଳୀର ଗରିବ ଓ ଅସହାୟ ଲୋକଙ୍କୁ ତୁରନ୍ତ ସହାୟତା ଯୋଗାଇ ଦେବା ପାଇଁ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ‘ଭରସା’ ଟ୍ରଷ୍ଟ ଗଠନ କରିଛନ୍ତି। ଆଜି ଇଡକଲ୍‌ ଅଡିଟୋରିୟମରେ ଭୁବନେଶ୍ବର ସଂସଦୀୟ ନିର୍ବାଚନ ମଣ୍ଡଳୀର କେତେକ ସାଧାରଣ ଲୋକଙ୍କ ଦ୍ବାରା ଏହି ଟ୍ରଷ୍ଟ ଉଦ୍‌ଘାଟିତ ହୋଇଛି।

ଟ୍ରଷ୍ଟ ଗଠନ ନେଇ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ କହିଛନ୍ତି, ଏହା କୌଣସି ସମାନ୍ତରାଳ ବ୍ୟବସ୍ଥା ନୁହେଁ। ବିଭିନ୍ନ ସୁବିଧା ସୁଯୋଗ ପାଇବାକୁ ହେଲେ ଲୋକଙ୍କୁ କିଛି ଦିନ ଅପେକ୍ଷା କରିବାକୁ ପଡ଼େ। ହେଲେ ଏହି ଟ୍ରଷ୍ଟ ଅସହାୟ ଓ ଗରିବ ଲୋକଙ୍କୁ ତୁରନ୍ତ ଆର୍ଥିକ ସହାୟତା ଯୋଗାଇବ। ଯେଉଁମାନେ ଅର୍ଥ ଅଭାବରୁ ଶିକ୍ଷା, ସ୍ବାସ୍ଥ୍ୟ ସେବା ପାଇପାରୁନାହାନ୍ତି କିମ୍ବା କୌଣସି ପ୍ରକାରର ଜରୁରିକାଳୀନ କାର୍ଯ୍ୟ ପାଇଁ ଅର୍ଥ ଆବଶ୍ୟକ କରୁଛନ୍ତି ସେମାନଙ୍କୁ ଭରସା ଟ୍ରଷ୍ଟରୁ ସହାୟତା ଯୋଗାଇ ଦିଆଯିବ। ସାଂସଦ ଷଡ଼ଙ୍ଗୀ ତାଙ୍କର ୫ମାସର ଦରମା ଆଜି ଏହି ଟ୍ରଷ୍ଟରେ ଜମା କରିଛନ୍ତି। ଟ୍ରଷ୍ଟର ସ୍ବଚ୍ଛତା ବଜାୟ ରହିବା ପାଇଁ ପ୍ରତି ତିନି ମାସରେ ଥରେ ଚାଟାର୍ଡ ଆକାଉଟାଣ୍ଟ ଦ୍ବାରା ଅଡିଟ୍ ହେବ। କେଉଁମାନେ ଏହି ଟ୍ରଷ୍ଟରୁ ସହାୟତା ପାଇବେ ତାହା ଟ୍ରଷ୍ଟ ପକ୍ଷରୁ ଗଠନ ହୋଇଥିବା ଏକ କମିଟି ନିଷ୍ପତ୍ତି ନେବ ବୋଲି ଶ୍ରୀମତୀ ଷଡ଼ଙ୍ଗୀ କହିଛନ୍ତି।

ସମ୍ବନ୍ଧିତ ଖବର