ଓଡ଼ିଶୀରେ ଭାରତ ବନ୍ଦନା

ସଂଗୀତା ଗୋସାଇଁଙ୍କୁ ‘ଓଡ଼ିଶୀ ନୃତ୍ୟ ସଂଗୀତ ସମ୍ମାନ’
୨ ସାମ୍ବାଦିକଙ୍କୁ ନୃତ୍ୟାଙ୍ଗନା ସମ୍ମାନ

ଭୁବନେଶ୍ୱର : ଲୋକନୃତ୍ୟର ବିଭିନ୍ନ ବିଭବଠୁ ନେଇ ଓଡ଼ିଶୀ ନୃତ୍ୟରେ ଭାରତ ମାତାର ବନ୍ଦନା। ପୁଣି ପୂଜ୍ୟପୂଜାର ପରମ୍ପରା ସ୍ୱରୂପ ଜଣେ କଳାର ପୂଜାରୀଙ୍କୁ ସମ୍ବର୍ଧିତ କରିବାର ଏକ ନିଆରା ଅବକାଶ ଭେଟି ଦେଇଥିଲା ‘ନୃତ୍ୟାଙ୍ଗନା’। ଏଥି ସହିତ ରବୀନ୍ଦ୍ର ମଣ୍ଡପରେ ନୃତ୍ୟାଙ୍ଗନାର ଅଷ୍ଟମ ଓଡ଼ିଶୀ ନୃତ୍ୟ ସଂଗୀତ ସମ୍ମାନ ଉତ୍ସବର ୨ ଦିନିଆ ପର୍ବରେ ପରଦା ନଇଁଥିଲା।

ବନ୍ଦେ ମାତରଂ…ଗୀତକୁ ଓଡ଼ିଶୀରେ ବେଶ୍‌ ଭାବସ୍ପର୍ଶୀ ଢଙ୍ଗରେ ଉପସ୍ଥାପନ କରିଥିଲେ ନୃତ୍ୟାଙ୍ଗନାର ଯୁବଶିଳ୍ପୀମାନେ। ପରେ ସାଲବେଗଙ୍କ ଆହେ ନୀଳ ଶଇଳ.. ଗୀତରେ ନୃତ୍ୟାଭିନୟ ସାଙ୍ଗକୁ କୁନିକୁନି ପିଲାମାନଙ୍କ ଦ୍ୱାରା ସମ୍ବଲପୁରୀ ନୃତ୍ୟ ବେଶ୍‌ ହୃଦୟସ୍ପର୍ଶୀ ଥିଲା। ନୃତ୍ୟ ସଂଯୋଜନା କରିଥିଲେ ଗୁରୁ ସୁବାସ ଚନ୍ଦ୍ର ସ୍ୱାଇଁ। ପରେ ଦୁର୍ଗାପ୍ରସାଦ ପାଣ୍ଡେ ଓ ସାଥୀଙ୍କ ଦ୍ୱାରା ପୁରୀର ସାହିଯାତ, ରାବଣ ନୃତ୍ୟ, କାଳୀନୃତ୍ୟ, ମେଢ଼ ନୃତ୍ୟ ପରିବେଷିତ ହୋଇଥିଲା। ଆଲୋକରାଣୀ ସ୍ୱାଇଁ ନୃତ୍ୟ ସଂଯୋଜନା କରିଥଲେ। ଏହି ଅବସରରେ ବିଶିଷ୍ଟ କଣ୍ଠଶିଳ୍ପୀ ତଥା ଓଡ଼ିଶୀ ଗବେଷଣା କେନ୍ଦ୍ରର ମୁଖ୍ୟ ନିର୍ବାହୀ ଡ.ସଂଗୀତା ଗୋସାଇଁଙ୍କୁ ‘ଓଡ଼ିଶୀ ନୃତ୍ୟ ସଂଗୀତ ସମ୍ମାନ’ରେ ସମ୍ମାନିତ କରାଯାଇଥିଲା।

ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗୋ, ପୂର୍ବତନ କୁଳପତି ତଥା ନୃତ୍ୟ ବିଦୁଷୀ ପ୍ରିୟମ୍ବଦା ମହାନ୍ତି ହେଜ୍‌ମାଦି, ଇମ୍ଫାର ମହାପ୍ରବନ୍ଧ (ଏଚ୍‌ଆର୍‌)କିଶୋର ମହାନ୍ତି, ଇତିଶ୍ରୀ ଦ୍ୱିବେଦୀ ଏବଂ ଡ.ସସ୍ମିତା ତ୍ରିପାଠୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ପୁରସ୍କାର ପ୍ରଦାନ କରିଥିଲେ। ଏଥିସହିତ କଳା ଓ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଓଟିଭିର ସାମ୍ବାଦିକ ବଳରାମ ମହାନ୍ତି ଏବଂ ‘ସମ୍ବାଦ’ର ସାମ୍ବାଦିକ ସତ୍ୟନାରାୟଣ ରାଉତରାୟଙ୍କୁ ନୃତ୍ୟାଙ୍ଗନା ସମ୍ମାନ ପ୍ରଦାନ କରାଯାଇଥିଲା। ନୃତ୍ୟାଙ୍ଗନାର ପ୍ରତିଷ୍ଠାତା ସୁବାସଚନ୍ଦ୍ର ସ୍ୱାଇଁ, ସଭାପତି ଆର୍ତତ୍ରାଣ ମହାନ୍ତି, ଉପସଭାପତି ମମିତା ମିଶ୍ର ଉପସ୍ଥିତ ଥିଲେ। ବାସୁଦେବ ନାଥ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର