‘ଭାରତ ବନ୍ଦ’ ରାଜଧାନୀରେ ଶାନ୍ତିପୂର୍ଣ୍ଣ ଭାବେ ପାଳିତ, ଦୋକାନ ବଜାର ବନ୍ଦ

ଭୁବନେଶ୍ବର : କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନ ପ୍ରତ୍ୟାହାର ଦାବିରେ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଦିଆଯାଇଥିବା ‘ଭାରତ ବନ୍ଦ’ ଡାକରା ରାଜଧାନୀରେ ଶାନ୍ତିପୂର୍ଣ୍ଣ ଭାବେ ପାଳିତ ହୋଇଛି। କୌଣସି ସ୍ଥାନରେ ବନ୍ଦ ଜନିତ ହିଂସାକାଣ୍ଡ ଘଟି ନଥିବା ସୂଚନା ମିଳିଛି। କାଁ ଭାଁ ସ୍ଥାନରେ ସାମାନ୍ୟ ଉତ୍ତେଜନା ପ୍ରକାଶ ପାଇଥିଲେ ହେଁ ପରେ ତାହା ପ୍ରଶମିତ ହୋଇଯାଇଥିଲା। ତେବେ ଅପ୍ରୀତିକର ପରିସ୍ଥିତି ଉପୁଜିବା ଆଶଙ୍କାରେ ରାଜ୍ୟ ସରକାର ଗତକାଲି ସବୁ ସ୍କୁଲ, କଲେଜ ବନ୍ଦ ଘୋଷଣା କରିଥିବାରୁ ଆଜି ଏଗୁଡ଼ିକ ସବୁ ବନ୍ଦ ରହିଥିଲା। ସେହିପରି ସହରରେ ଥିବା ବଡ଼ବଡ଼ ମାର୍କେଟ୍‌, ମଲ୍, ଦୋକାନ ବଜାର, ପେଟ୍ରାଲ ଟାଙ୍କି, ବସ୍‌, ଅଟୋ ଭଳି ସାଧାରଣ ପରିବହନ ବ୍ୟବସ୍ଥା ଆଦି ସ୍ବତଃସ୍ଫୂର୍ତ୍ତ ଭାବେ ବନ୍ଦ ରହିଥିବା ଦେଖିବାକୁ ମିଳିଥିଲା। କିନ୍ତୁ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇନଥିଲା। କୃଷକ ସଂଗଠନର କର୍ମକର୍ତ୍ତାମାନେ ସକାଳ ପ୍ରାୟ ସାଢ଼େ ୭ଟାରେ ଭୁବନେଶ୍ବର ଷ୍ଟେସନ୍‌ରେ ପହଞ୍ଚି ରେଳଧାରଣାରେ ଧାରଣା ଦେବାରୁ କିଛି ସମୟ ପାଇଁ ଟ୍ରେନ୍‌ଗୁଡ଼ିକ ଅଟକି ରହିଥିଲା। ତେବେ ସକାଳ ପ୍ରାୟ ୮ଟା ବେଳକୁ ବିକ୍ଷୋଭକାରୀମାନେ ସେଠାରୁ ଚାଲିଯିବା ପରେ ରେଳ ଚଳାଚଳ ସ୍ବାଭାବିକ ହୋଇଥିଲା। ଏହାବ୍ୟତୀତ କୃଷକ ସଂଗଠନର କର୍ମକର୍ତ୍ତାମାନେ ସହର ସାରା ବୁଲି ପିକେଟିଂ କରି ଖୋଲାଥିବା ଦୋକାନ, ବଜାର ବନ୍ଦ କରାଇଥିଲେ। ସହରରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ କମିସନରେଟ୍‌ ପୁଲିସ୍‌ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା। ୩୦ ପ୍ଲାଟୁନ୍‌ ଫୋର୍ସ ସହରର ବିଭିନ୍ନ ପ୍ରମୁଖ ଛକ, ବଜାରରେ ମୁତୟନ ହୋଇଥିଲେ। ସେହିପରି ପିସିଆର୍‌ ଭ୍ୟାନ୍‌ଗୁଡ଼ିକ ଗଳିକନ୍ଦିରେ ପଇଁତରା ମାରୁଥିବା ଦେଖାଯାଇଥିଲା।

ଅଖିଳ ଭାରତ କୃଷକ ସଭା ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍‌ ଛକରେ ପିକେଟିଂ କରାଯାଇଥିଲା। ରାଜ୍ୟ ସମ୍ପାଦକ କ୍ଷୀରୋଦ ବେହେରା, ଏଆଇଟିୟୁସିର ଜୟନ୍ତ ଦାସ, ଉତ୍କଳ ମହିଳା ସମିତିର ବନଲତା ଜେନା, ପ୍ରମୋଦିନୀ ପାଇକରାୟ, ପ୍ରଭାବତୀ ଦାସ, ସିପିଆଇ ରାଜ୍ୟ ସମ୍ପାଦକ ଆଶିଷ୍‌ କାନୁନ୍‌ଗୋ, ରାମକୃଷ୍ଣ ପଣ୍ଡା, ବିଜୟ ଜେନା, ସୁର ଜେନା, ବସନ୍ତ ପାଇକରାୟ ପ୍ରମୁଖ ବିକ୍ଷୋଭର ନେତୃତ୍ବ ନେଇଥିଲେ। ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ସଭାପତି ନିରଞ୍ଜନ ପଟ୍ଟନାୟକ ଓ ସୁରେଶ କୁମାର ରାଉତରାୟଙ୍କ ସମେତ କଂଗ୍ରେସ ନେତାମାନେ ମାଷ୍ଟର କ୍ୟାଣ୍ଟିନ୍‌ ଛକଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ବୟ ସମିତି ପକ୍ଷରୁ ରେଳ ଷ୍ଟେସନ, ଜୟଦେବ ବିହାର, ମାଷ୍ଟର କ୍ୟାଣ୍ଟିନ୍‌, ଆଇଗିଣିଆ ଛକଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଓଡ଼ିଶା କୃଷକ ସଭାର ରାଜ୍ୟ ସମ୍ପାଦକ ସୁରେଶ ପାଣିଗ୍ରାହୀ, ଯମ୍ବେଶ୍ବର ସାମନ୍ତରାୟ, ଅଭିରାମ ବେହେରା, ପ୍ରମୋଦିନୀ ସାହୁ, କ୍ଷୀରୋଦ ସିଂହଦେଓ, ରବୀନ୍ଦ୍ର ଟୁଡ଼ୁ, ନିରଞ୍ଜନ ମହାନ୍ତି, ରାଜେନ୍ଦ୍ର ବର୍ମା, ଶ୍ରୀକାନ୍ତ ମହାନ୍ତି, ନରେନ୍ଦ୍ର ମହାନ୍ତି, ସୁଦର୍ଶନ ପ୍ରଧାନ, ବିଜୟ ବେହେରା, ବଂଶୀଧର ପରିଡ଼ା, ତାପସୀ ପ୍ରହରାଜ, ପ୍ରଣତୀ ସାହୁ, ମିନତୀ ପାଣିଗ୍ରାହୀ, ସାଇଦା ବେଗମ୍‌, ବୋନି ପରିଡ଼ା ପ୍ରମୁଖ ବିକ୍ଷୋଭର ନେତୃତ୍ବ ନେଇଥିଲେ।

କଳ୍ପନା ପେଟ୍ରୋଲ ଟାଙ୍କିରେ ସାମୟିକ ଉତ୍ତେଜନା
ବନ୍ଦ ଶାନ୍ତିପୂର୍ଣ୍ଣ ଚାଲିଥିବା ବେଳେ କଳ୍ପନା ଛକରେ କିଛି ସମୟ ଉତ୍ତେଜନା ପ୍ରକାଶ ପାଇଥିଲା। ସେଠାରେ ଥିବା ଏକ ପେଟ୍ରୋଲ ଟାଙ୍କି ଖୋଲା ଥିବାରୁ ନବନିର୍ମାଣ ଯୁବ କୃଷକ ସଂଗଠନ କର୍ମକର୍ତ୍ତା ମହମ୍ମଦ ମନୱର ଅଲ୍ଲୀ, ଅମିତ ଜେନା, ଦିନେଶ ଦାସ ପ୍ରମୁଖ ପହଞ୍ଚି ହୋହଲ୍ଲା କରିଥିଲେ। ଟାଙ୍କି ତୁରନ୍ତ ବନ୍ଦ କରିବା ପାଇଁ ସେଠାରେ କାର୍ଯ୍ୟରତ କର୍ମଚାରୀଙ୍କୁ କହିଥିଲେ। ପରେ ଟାଙ୍କିଟି ବନ୍ଦ ହୋଇଥିଲା। ପରେ ବିକ୍ଷୋଭକାରୀମାନେ ସେଠାରୁ ଏକ ବାଇକ୍‌ ଶୋଭାଯାତ୍ରାରେ ବାହାରି ପଳାସୁଣିଠା‌ରେ ଜାତୀୟ ରାଜପଥ ଅବରୋଧ କରିଥିଲେ।

ମଦ ଦୋକାନରେ ଉତ୍ତେଜନା
ଭାରତ ବନ୍ଦ ଘୋଷଣା ସତ୍ବେ କଟକ ରୋଡ୍‌ରେ ମଦ ଦୋକାନ ଖୋଲାଥିଲା। ସକାଳୁ ସକାଳୁ ଗ୍ରାହକ ବି ଭିଡ଼ ଜମାଇଥିଲେ। ତେବେ ସେଠାରେ ନବ ନିର୍ମାଣ ଯୁବ ସଂଗଠନ ପକ୍ଷରୁ ୫୦ରୁ ଊର୍ଦ୍ଧ୍ବ ଯୁବକ ପହଞ୍ଚି ହୋ ହଲ୍ଲା କରିଥିଲେ। ଦୋକାନ ଭଙ୍ଗାରୁଜା କରିବାକୁ ଧମକ ଦେବା ପରେ ଉକ୍ତ ଦୋକାନ ବନ୍ଦ ହୋଇଯାଇଥିଲା। ତେବେ କେବଳ ମଦ ଦୋକାନ ନୁହେଁ ଏହି ଅଞ୍ଚଳରେ ଅନ୍ୟ ଦୋକାନ ମଧ୍ୟ ଖୋଲା ଥିଲା। ସେ ସବୁକୁ ପିକେଟିଂ କରି ବନ୍ଦ କରାଯାଇଥିଲା।

ଅଧାବାଟରୁ ଉଠାଇନେଲା ପୁଲିସ
‘ଆମ ଅଧିକାର’ ସଂଗଠନ ଓ ଶ୍ରମିକ ସଂଗଠନ ‘ବିଟୁ’ ପକ୍ଷରୁ ଶତାଧିକ କର୍ମୀ ଫରେଷ୍ଟ ପାର୍କରୁ ଏକ ଶୋଭାଯାତ୍ରାରେ ନବୀନ ନିବାସ ଯାଉଥିବା ବେଳେ ଅଧା ବାଟରେ ପୁଲିସ୍ ସେମାନଙ୍କୁ ଉଠାଇ ନେଇଥିଲା। ଏଥି‌ରେ ଅମିୟ ପାଣ୍ଡବ, ଗଣେଶ ଦାଶ, ପାର୍ଥସାରଥୀ ଜେନା, ମାନସ ସାହୁ ଓ ବିଟୁ ପକ୍ଷରୁ ବିକ୍ରମ ନାୟକ ଓ ଦିଲ୍ଲୀପ ମହାନ୍ତି ପ୍ରମୁଖ ସାମିଲ ହୋଇଥିଲେ।

ବିକ୍ଷୋଭକାରୀଙ୍କୁ ରାସ୍ତାରୁ ଉଠାଇବାରୁ ଉତ୍ତେଜନା
ସିପିଆଇ (ଏମ୍‌ଏଲ୍‌) ପକ୍ଷରୁ କମ୍ରେଡ୍‌ ପ୍ରମିଳାଙ୍କ ନେତୃତ୍ବରେ ହୋଟେଲ କ୍ରାଉନ୍‌ଠାରେ ଜାତୀୟ ରାଜପଥ ଅବରୋଧ କରାଯାଇଥିଲା। ପୂର୍ବାହ୍ନ ସାଢ଼େ ୧୦ଟାରୁ ସା‌ଢ଼େ ୧୧ଟା ପର୍ଯ୍ୟନ୍ତ ମହିଳା କର୍ମୀମାନେ ରାଜପଥ ଉପରେ ବସି ରହିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ବିଶେଷକରି ଅତ୍ୟାବଶ୍ୟକ ସାମଗ୍ରୀ ନେଇ ଯାଉଥିବା ଶହଶହ ମାଲବାହୀ ଟ୍ରକ୍‌ ଅଟକି ରହିଥିଲା। ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ବିକ୍ଷୋଭକାରୀମାନଙ୍କୁ ହଟାଇବାକୁ ଚେଷ୍ଟା କରିଥିଲା। କିନ୍ତୁ ମହିଳା ପୁଲିସ୍‌ ବଦଳରେ ପୁରୁଷ ପୁଲିସ୍‌ କର୍ମୀମାନେ ବିକ୍ଷୋଭକାରୀଙ୍କୁ ରାସ୍ତାରୁ ଉଠାଇବାକୁ କେନ୍ଦ୍ର କରି ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ତେବେ ପରେ ପରିସ୍ଥିତି ସ୍ବାଭାବିକ ହୋଇଥିଲା।

ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ନିରବତା
ବନ୍ଦ ଯୋଗୁଁ ଆଜି ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ନିରବତା ଘେରି ରହିଥିଲା। ଘରୋଇ ବସ୍‌ ଚଳାଚଳ ସଂପୂର୍ଣ୍ଣ ବନ୍ଦ ରହିଥିବା ବେଳେ କିଛି ସରକାରୀ ବସ୍‌ ଚଳାଚଳ କରୁଥିବା ଦେଖାଯାଇଥିଲା। ତେବେ ବନ୍ଦ ସଂପର୍କରେ ଜାଣି ନପାରି ବସ୍‌ଷ୍ଟାଣ୍ଡକୁ ଚାଲି ଆସିଥିବା କିଛି ଯାତ୍ରୀ ହଇରାଣ ହୋଇଥିଲେ। ସେମାନଙ୍କ ମଧ୍ୟରୁ କିଛି ଯାତ୍ରୀ ସରକାରୀ ବସ୍‌ରେ ଠେଲାପେଲା ହୋଇ ଗନ୍ତବ୍ୟସ୍ଥଳକୁ ଚାଲି ଯାଇଥିବା ବେଳେ ଅନ୍ୟମାନେ ବସ୍‌ ଅପେକ୍ଷାରେ ସେଠାରେ ପୂରା ଦିନ କାଟିଥିଲେ। ବସ୍‌ ମାଲିକ ସଂଘର ମୁଖପାତ୍ର ଦେବାଶିଷ ନାୟକଙ୍କ ସୂଚନାନୁଯାୟୀ, ବସ୍‌ ଗଡ଼ିବା ପାଇଁ ପ୍ରସ୍ତୁତ ଥିଲେ ମଧ୍ୟ ବନ୍ଦ ଡାକରା ପ‌ରେ ଲୋକ ନ ହେବାରୁ ବସ୍‌ ଚାଲି ନଥିଲା। ସମସ୍ତ ଦୂରଗାମୀ ଓ ଅନ୍ତଃଜିଲ୍ଲା ବସ୍‌ ବନ୍ଦ ରହିଥିଲା ବୋଲି ସେ କହିଛନ୍ତି। କିନ୍ତୁ ମାଲବାହୀ ଟ୍ରକ୍‌ ସବୁ ପୂର୍ବବତ୍‌ ଚଳାଚଳ କରୁଥିଲା ବୋଲି ସୂଚନା ଦେଇଛନ୍ତି ଖୋର୍ଦ୍ଧା ଟ୍ରକ୍‌ ମାଲିକ ସଂଘ ସଭାପତି ପ୍ରଣବ ପରିଜା।

ସମ୍ବନ୍ଧିତ ଖବର