ବିଭିନ୍ନ ଶ୍ରମିକ ସଂଗଠନ ଓ କଂଗ୍ରେସ ପକ୍ଷରୁ ହୋଇଥିବା ଭାରତ ବନ୍ଦ ଶାନ୍ତିପୂର୍ଣ୍ଣ

ଭୁବନେଶ୍ବର : ଦରଦାମ ବୃଦ୍ଧି, ବେକାରୀ ସମସ୍ୟା, ନିଯୁକ୍ତି ସମେତ ୧୨ ଦଫା ଦା‌ବିରେ ବୁଧବାର ବିଭିନ୍ନ ଶ୍ରମିକ ସଂଗଠନ ଓ କଂଗ୍ରେସ ପକ୍ଷରୁ ହୋଇଥିବା ଭାରତ ବନ୍ଦ ଆନ୍ଦୋଳନ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି। ତେବେ ଅନ୍ୟାନ୍ୟ ସ୍ଥାନ ପରି ରାଜଧାନୀ ଭୁବନେଶ୍ବରରେ ବି ଏହାର ପ୍ରଭାବ ଦେଖିବାକୁ ମିଳିଥିଲା। ରାଜଧାନୀର ବିଭିନ୍ନ ଛକରେ ବିକ୍ଷୋଭ କରାଯିବା ସହ ଷ୍ଟେସନରେ ରେଳରୋକ କରାଯାଇଥିଲା। ବରମୁଣ୍ଡା ବସଷ୍ଟାଣ୍ଡରୁ ମଧ୍ୟ ବସ୍‌ ବାହାରି ପାରି ନ ଥିଲା। ମାଷ୍ଟରକ୍ୟାଣ୍ଟିନ୍‌, ଆଚାର୍ଯ୍ୟବିହାର, ଜୟଦେବବିହାର, ସତ୍‌ସଙ୍ଗ ବିହାର ଭଳି ପ୍ରମୁଖ ସ୍ଥାନରେ ଆନ୍ଦୋଳନକାରୀମାନେ ପିକେଟିଂ କରି ରାସ୍ତାରୋକ କରିଥିଲେ। ସେହିଭଳି ଆଇଗିଣିଆର କୁବେରପୁରୀ ପୂରା ବନ୍ଦ ହୋଇଯାଇ ଥିଲା। ରାସ୍ତା ଖାଁ ଖାଁ ହୋଇଯାଇଥିଲା। ବିକ୍ଷୋଭକାରୀମାନେ ବନ୍ଦକୁ ସଫଳ କରିବା ପାଇଁ ବିଭିନ୍ନ ସ୍ଥାନରେ ଟାୟାର ଜାଳି ରାସ୍ତାରୋକ କରିଥିଲେ।

ଆଚାର୍ଯ୍ୟବିହାର ଛକରେ ବିକ୍ଷୋଭ ବେଳେ ଆନ୍ଦୋଳନକାରୀ-ପୁଲିସ ମୁହାଁମୁହିଁ ହୋଇଯାଇଥିଲେ। ପରିସ୍ଥିତି ନିୟନ୍ତ୍ରଣ କରିବା ପାଇଁ ପୁଲିସ ଗୋଡ଼ାଇ ଥିଲା। ସେହିପରି ବାଣୀବିହାରରୁ ଏକ ବାଇକ୍‌ ରାଲି ବାହାରିଥିଲା। ଲୋକସେବା ଭବନକୁ କର୍ମଚାରୀମାନେ ବାଇକ୍‌, ସାଇକେଲରେ ଆସିଥିବା ଦେଖିବାକୁ ମିଳିଥିଲା। ମନ୍ତ୍ରୀ ରଘୁନନ୍ଦନ ଦାସ ଓ ପ୍ରଫୁଲ୍ଲ ମଲ୍ଲିକ ବାଇକ୍‌ରେ ଲୋକସେବା ଭବନକୁ ଆସିଥିଲେ। ପଛପଟ ଗେଟ୍‌ ଦେଇ ଦୁହେଁ ଭିତରକୁ ପ୍ରବେଶ କରିଥିଲେ। ସଚିବମାନେ ସ୍ୱତନ୍ତ୍ର ସୁରକ୍ଷାରେ ଆସିଥିଲେ। କିଛି ସରକାରୀ ଅଧିକାରୀ ଚାଲିଚାଲି ଆସିଥିଲେ। କଡ଼ା ସୁରକ୍ଷା ଭିତରେ ଲୋକସେବା ଭବନକୁ ରଖାଯାଇଥିଲା। ଭାରତ ବନ୍ଦ ଯୋଗୁଁ ରାଜ୍ୟ ବାହାରୁ ବୁଲିବାକୁ ଆସିଥିବା ଯାତ୍ରୀମାନେ ବିମାନବନ୍ଦରରେ ଘଣ୍ଟା ଘଣ୍ଟା କାଳ ଅଟକି ରହିଥିଲେ। କିଛି ଯୁବକ ଅଧିକ ପରିମାଣର ଟଙ୍କା ନେଇ ସେମାନଙ୍କୁ ନିଜ ବାଇକ୍‌ରେ ନେବା ଆଣିବା କରିଥିଲେ। ପେଟ୍ରୋଲ ପମ୍ପ ବନ୍ଦ ଥିବାରୁ କିଛି ବେପାରୀ ରାସ୍ତାକଡ଼ରେ ଲିଟର ପିଛା ପ୍ରାୟ ଶହେ ଟଙ୍କାରେ ଡିଜେଲ, ପେଟ୍ରୋଲ ବିକ୍ରି କରିଥିଲେ। ତେବେ ବନ୍ଦ ପାଇଁ ଅନେକ ସ୍ଥାନରେ ଲୋକେ ଦହଗଞ୍ଜ ହୋଇଛନ୍ତି। ଦୋକାନ ବଜାର, ଗାଡ଼ିମଟର ଚଳାଚଳ ବନ୍ଦ ଥିବାରୁ କିଛି ଲୋକ ଉପାସ ରହିଥିଲେ। ଅନ୍ୟପକ୍ଷରେ ଆନ୍ଦୋଳନକାରୀଙ୍କ ଡରରେ କିଛି ବ୍ୟବସାୟୀ ନିଜ ଠେଲା ଦୋକାନ ବନ୍ଦ କରି ସେହିଠାରେ ହିଁ ଶୋଇ ଯାଇଥିଲେ। ବନ୍ଦ ବେଳେ ଶାନ୍ତି ଶୃଙ୍ଖଳା ରକ୍ଷା ଓ ସୁରକ୍ଷା ପାଇଁ ୧୫ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଥିଲେ। ବିଭିନ୍ନ ସ୍ଥାନରେ ପୁଲିସ ପ୍ରାୟ ୫୦୦ରୁ ଊର୍ଧ୍ବ ଆନ୍ଦୋଳନକାରୀଙ୍କୁ ଗିରଫ କରି ପରେ ଛାଡ଼ିଦେଇଥିଲା। ବରମୁଣ୍ଡାରୁ ସନ୍ଧ୍ୟାରେ ସବୁ ବସ୍ ଚଳାଚଳ ସ୍ବାଭାବିକ ହୋଇଥିଲା। ସନ୍ଧ୍ୟା ବେଳକୁ ମଧ୍ୟ ଆଇଗିଣିଆ କୁବେରପୁରୀରେ ବ୍ୟବସାୟ ମାନ୍ଦା ଥିବା ଦେଖିବାକୁ ମିଳିଥିଲା। ଆଳୁ, ପିଆଜ ଓ ପରିବା ବୋଝେଇ ଟ୍ରକ୍ ସବୁ ସେମିତି ଅପେକ୍ଷା କରି ରହିଥିଲେ। ଶ୍ରମିକ ଅଭାବରୁ ଗାଡ଼ିଗୁଡ଼ିକ ଖାଲି ହୋଇପାରି ନ ଥିଲା।

ସମ୍ବନ୍ଧିତ ଖବର