ରାଜଧାନୀରେ ‘ଭାରତ ବନ୍ଦ’ : ଜାତୀୟ ରାଜପଥ ୩ ଘଣ୍ଟା ଜାମ୍‌

ଅଟକିଲା ରେଳ, ୪ଶହ ଗିରଫ

ଭୁବନେଶ୍ୱର : କେନ୍ଦ୍ରୀୟ ଟ୍ରେଡ୍‌ ୟୁନିଅନ୍‌ ଓ କୃଷକ ସଂଗଠନମାନଙ୍କ ଦ୍ବାରା ଅନୁଷ୍ଠିତ ହୋଇଥିବା ଆଜିର ଭାରତ ବନ୍ଦ କାର୍ଯ୍ୟକ୍ରମରେ ସାଧାରଣ ଜନଜୀବନ ଆଂଶିକ ପ୍ରଭାବିତ ହୋଇଛି। ରାଜଧାନୀ ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥ ପ୍ରାୟ ୩ ଘଣ୍ଟା ଧରି ଅଚଳ ହୋଇ ପଡ଼ିଥିଲା। ସେହିଭଳି ରେଳ ଷ୍ଟେସନରେ ସକାଳ ୬ଟାରୁ କର୍ମୀମାନେ ପିକେଟିଂ କରିବାରୁ ପ୍ରାୟ ୪ ଘଣ୍ଟା ଧରି ରେଳଯାତ୍ରା ଠପ୍‌ ହୋଇ ଯାଇଥିଲା। ତେବେ ଆନ୍ଦୋଳନକାରୀମାନଙ୍କ ପିକେଟିଂ ସରିବା ପରେ ସରକାରୀ ଦପ୍ତରଠାରୁ ଆରମ୍ଭ କରି ବହୁ ବ୍ୟବସାୟ ପ୍ରତିଷ୍ଠାନ ଖୋଲା ହୋଇଥିଲା। ମନ୍ତ୍ରୀମାନେ ପୁଲିସ ସୁରକ୍ଷା ବଳୟ ଭିତ‌ରେ ବିଧାନସଭାକୁ ଆସିଥିଲେ। ଲୋକସେବା ଭବନକୁ କଡ଼ା ସୁରକ୍ଷା ବଳୟ ଭିତରେ ରଖାଯାଇଥିବାରୁ ସମସ୍ତ ସରକାରୀ କାର୍ଯ୍ୟ ସୁରୁଖୁରୁରେ ହୋଇଥିଲା। ହେଲେ ସହରର ୨୦ଟି ସ୍ଥାନରେ ହୋଇଥିବା ପିକେଟିଂରେ ପାଖାପାଖି ୪ଶହ ଆନ୍ଦୋଳନକାରୀଙ୍କୁ ପୁଲିସ ଉଠାଇ ନେଇଥିଲା। କୌଣସି ସ୍ଥାନରେ ବିକ୍ଷୋଭକାରୀଙ୍କ ପକ୍ଷରୁ ହିଂସାକାଣ୍ଡ ହୋଇନଥିଲା।

ହୋଟେଲ କ୍ରାଉନ୍‌ ସମ୍ମୁଖରେ ବିକ୍ଷୋଭକାରୀମାନେ ଜାତୀୟ ରାଜପଥ ଉପରେ ସକାଳ ୮ରୁ ସାଢ଼େ ୧୧ଟା ପର୍ଯ୍ୟନ୍ତ ବସି ରହିଥିଲେ। ଫଳରେ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା। ରାସ୍ତାର ଉଭୟପାର୍ଶ୍ବରେ ଗାଡ଼ିମୋଟର ଛିଡ଼ା ହୋଇ ରହିଥିଲା। ଘରୋଇ ବସ୍ ମାଲିକ ସଂଘ ବନ୍ଦକୁ ସମର୍ଥନ କରୁନଥିବାରୁ ବସ୍‌ ଚଳାଚଳ କରୁଥିଲା। କିନ୍ତୁ ରାଜପଥ ଅବରୋଧ ହୋଇଯିବାରୁ ବସ୍‌ଗୁଡ଼ିକ ଅଟକି ରହିଥିଲା। ଫଳରେ ଯାତ୍ରୀମାନେ ବସ୍ ଭିତରେ ଏକପ୍ରକାର ବନ୍ଦୀ ହୋଇ ରହିଯାଇଥିଲେ। ତେଣୁ ଆନ୍ଦୋଳନକାରୀଙ୍କୁ ରାସ୍ତାରୁ ହଟାଇବାବେଳେ ପୁଲିସ ସହ ସାମାନ୍ୟ ଧସ୍ତାଧସ୍ତି ହୋଇଥିଲା। ରାସ୍ତା ଉପରେ ଆନ୍ଦୋଳନକାରୀମାନେ ଶୋଇ ପଡ଼ିବାରୁ ପୁଲିସ ସେମାନଙ୍କୁ ଉଠାଇବା ପାଇଁ ସମସ୍ୟାରେ ପଡ଼ିଥିଲା। ସେହିଭଳି ଡମଣା ଛକରେ ମଧ୍ୟ ସାମାନ୍ୟ ଉତ୍ତେଜନା ପ୍ରକାଶ ପାଇଥିଲା। ଆଇଗିଣିଆ ଛକରେ ଏକ ବିଚିତ୍ର ଦୃଶ୍ୟ ଦେଖିବାକୁ ମିଳିଥିଲା। ସେଠାରେ ଜଣେ ଆନ୍ଦୋଳନକାରୀ ଧାରୁଆ ଦା’ ଦେଖାଇ ଗାଡ଼ି ଚାଳକମାନଙ୍କୁ ଅଟକାଉଥିଲେ। ଏହାକୁ ନେଇ ସେଠାରେ କିଛି ସମୟ ଉତ୍ତେଜନା ପ୍ରକାଶ ପାଇଥିଲା। ବଡ଼ କଥା ହେଉଛି ଭୁବନେଶ୍ବରର ଦୁଇ ବିଶିଷ୍ଟ ବ୍ୟବସାୟିକ ସ୍ଥଳ ଏକ ନମ୍ବର ହାଟ ଓ ଦୁଇ ନମ୍ବର ମାର୍କେଟ୍‌ ବିଲ୍ଡିଂରେ ଏହି ବନ୍ଦର କୌଣସି ପ୍ରଭାବ ନଥିଲା। ଆନ୍ଦୋଳନକାରୀମାନେ ପିକେଟିଂ କରି ଚାଲିଯିବା ପରେ ସେଠାରେ ବ୍ୟବସାୟ ସ୍ବାଭାବିକ ଚାଲିଥିଲା। ମାତ୍ର ଗ୍ରାହକଙ୍କର ଭିଡ଼ ନଥିଲା। ଅନ୍ୟ ପକ୍ଷରେ ଅଟୋଚାଳକ ସଂଘ ଏହି ବନ୍ଦକୁ ସମର୍ଥନ କରୁଥିଲେ ମଧ୍ୟ ଅନେକ ସ୍ଥାନରେ ଅଟୋ ଚାଳଚଳ କରୁଥିବା ଦେଖିବାକୁ ମିଳିଥିଲା।

ସକାଳ ପ୍ରାୟ ସାଢ଼େ ୫ଟା ବେଳେ ଆନ୍ଦୋଳନକାରୀମାନେ ଭୁବନେଶ୍ବର ରେଳ ଷ୍ଟେସନରେ ପିକେଟିଂ ଆରମ୍ଭ କରିଥିଲେ। ଟ୍ରେନ୍‌ ଆଗରେ ଛିଡ଼ା ହୋଇ ରହିବାରୁ ଜନଶତାବ୍ଦୀ ଏକ୍ସପ୍ରେସ୍ ପ୍ରାୟ ଅଧ ଘଣ୍ଟା ଓ ବଲାଙ୍ଗୀର ଏକ୍ସପ୍ରେସ୍‌ ୫ ମିନିଟ ଧରି ଅଟକି ରହିଥିଲା। ଜିଆର୍‌ପି ଓ ଆର୍‌ପିଏଫ୍‌ ପକ୍ଷରୁ ଆନ୍ଦୋଳନକାରୀଙ୍କୁ ହଟାଇବା ପରେ ଟ୍ରେନ୍‌ ଯାତ୍ରା ଶୃଙ୍ଖଳିତ ହୋଇଥିଲା। ମାଷ୍ଟରକ୍ୟାଣ୍ଟିନ୍‌ ଛକରେ ‘ମୋ ବସ୍‌’ ଷ୍ଟାଣ୍ଡରେ କିଛି ସମୟ ପାଇଁ ପିକେଟିଂ ହୋଇଥିଲେ ହେଁ ପରେ ମୋ ବସ୍‌ ଚଳାଚଳ ସ୍ବାଭାବିକ ହୋଇଥିଲା।

କଂଗ୍ରେସ ପକ୍ଷରୁ ବିଭିନ୍ନ ସ୍ଥାନରେ ପିକେଟିଂ କରାଯାଇଥିଲା। ପୂର୍ବାହ୍ନ ୧୧ଟାରେ ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କ ନେତୃତ୍ବରେ ଶିବାନନ୍ଦ ରାୟ, ନିରଞ୍ଜନ ନାୟକ, ଆଦିତ୍ୟ ପ୍ରୀତମ ଦାସ, ବେଣୁଧର ପାତ୍ର, ଜିତେନ୍ଦ୍ର ସାମନ୍ତରାୟ, ସୌମ୍ୟରଂଜନ ଜେନା, ଶ୍ରୀୟାସ୍ମିତା ପଣ୍ଡା, କୁସୁମ ପ୍ରଧାନ ପ୍ରମୁଖ ମାଷ୍ଟର କ୍ୟାଣ୍ଟିନ୍‌ ଛକରେ ବିକ୍ଷୋଭ ପ୍ରଦର୍ଶନ କରି ଗିରଫ ହୋଇଥିଲେ। ସିପିଆଇଏମ୍‌ ରାଜ୍ୟ ସମ୍ପାଦକ ଅଳି କିଶୋର ପଟ୍ଟନାୟକ, ଦୁଷ୍ମନ୍ତ ଦାସ, ରମେଶ ଜେନା, ପୂର୍ଣ୍ଣଚନ୍ଦ୍ର ପାଢ଼ୀ, ସତ୍ୟାନନ୍ଦ ବେହେରା, ପୁଷ୍ପା ଦାସ, ସୁ‌ରେଶ ପାଣିଗ୍ରାହୀ, ଜଗନ୍ନାଥ ମିଶ୍ର, ଅଭିରାମ ବେହେରା, ପ୍ରଫୁଲ୍ଲ ଭୋଇଙ୍କ ସମେତ ସୁରେଶ ରାଉତରାୟ, ପ୍ରଦୀପ୍ତ ନାୟକ, ମହେନ୍ଦ୍ର ପରିଡ଼ା, ରାମଚନ୍ଦ୍ର ତ୍ରିପାଠୀ, ବିଷ୍ଣୁ ସ୍ବାଇଁ, ମିନତୀ ପାଣିଗ୍ରାହୀ, ପ୍ରମୋଦିନୀ ସାହୁ, ବିମଳା ନାୟକ, ନିରୁପମା ନାୟକ, ନୟନା ନାୟକ, ଲକ୍ଷ୍ମୀପ୍ରିୟା ସେଠୀ ପ୍ରମୁଖଙ୍କ ସମେତ ପ୍ରାୟ ୪ଶହ ବି‌କ୍ଷୋଭକାରୀ ଗିରଫ ହୋଇଛନ୍ତି।

ରାଜେନ୍ଦ୍ର ପ୍ରସାଦ, ସୁବଳ ସାହୁ, ବୁଲୁ ରଞ୍ଜନ ବାରିକ, ଆଲେକଜାଣ୍ଡାର ରାୟ, ସଂଯୁକ୍ତା ପାଣିଗ୍ରାହୀ, ଫୁଲ ରାଉତ, ଅନିତା ସାହୁ ପ୍ରମୁଖଙ୍କ ନେତୃତ୍ୱରେ ଡମଣା ଛକରେ ମୁଖ୍ୟ ରାସ୍ତା ଅବରୋଧ ହୋଇଥିଲା। ଚନ୍ଦକା ବଜାରରେ ଅନ୍‌ମୋଲ ବିସ୍କୁଟ୍‌ସ ୱାର୍କର୍ସ ୟୁନିୟନ‌୍ର ସାଧାରଣ ସମ୍ପାଦକ ତଥା ଟିୟୁସିଆଇ ରାଜ୍ୟ କମିଟି ସଦସ୍ୟ କମ୍ରେଡ୍‌ ଅଜିତ କୁମାର ଜେନା, ଶ୍ରମିକ ନେତା ଚିତ୍ତରଞ୍ଜନ ସ୍ୱାଇଁ, କିଶୋର ସାହୁ, ଭରତ ବେହେରା, ଚିତ୍ତରଞ୍ଜନ ପଣ୍ଡାଙ୍କ ନେତୃତ୍ବରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।

ସରକାରୀ କ୍ଷେତ୍ରର ଘରୋଇକରଣ ଓ ନୂତନ କୃଷି ନୀତିକୁ ବିରୋଧ କରି ବିଭିନ୍ନ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଯଥା ଏଆଇଟିୟୁସି, ଏଆଇସିସଟିୟୁ, ସିଆଇଟିୟୁ, ଏଆଇୟୁଟିୟୁସି ପ୍ରଭୃତି ଏହି ଭାରତ ବନ୍ଦ ଡାକରା ଦେଇଥିଲେ। ତେବେ ବିଜେପି ସମର୍ଥିତ ଭାରତ ମଜ୍‌ଦୁର ସଂଗଠନ ଏହି ଧର୍ମଘଟରେ ସାମିଲ୍‌ ହୋ‌ଇନଥିଲା।

ସେହିଭଳି କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ରାଜ୍ୟ ଓ କେନ୍ଦ୍ର ସରକାରୀ କର୍ମଚାରୀ ଫେଡେରେସନ୍ ଓ ସ୍ବାଧୀନ ଟ୍ରେଡ୍‌ ୟୁନିୟନ ପକ୍ଷରୁ ସର୍ବଭାରତୀୟ ଧର୍ମଘଟ କରାଯାଇଛି। ଭୁବନେଶ୍ବର କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ଗୁଡ଼ିକର ପିକେଟିଂ ଯୋଗୁଁ ଅଫିସ୍, ବ୍ୟାଙ୍କ୍, ଯାନବାହନ ଚଳାଚଳ ପ୍ରଭାବିତ ହୋଇଥିଲା। ଆନ୍ଦୋଳନରେ ଭୁବନେଶ୍ବର ଟ୍ରେଡ୍ ୟୁନିୟନର ଶତାଧିକ ଶ୍ରମିକ କର୍ମଚାରୀ ପିକେଟିଂ କରି ଏଜି ଛକରେ ଗିରଫ ହୋଇଥିଲେ। ସଙ୍ଗଠନର ସଭାପତି ନବକିଶୋର ମହାନ୍ତି, ସଂପାଦକ ବିକ୍ରମ ନାୟକ, ଉପସଭାପତି ଗଣେଶ ଦାସ, ଆପୋଲ୍ ହସ୍ପିଟାଲ୍ ୟୁନିଅନ ନେତା ରାଧାକାନ୍ତ ମାଝି, ରାଜେଶ ପଣ୍ଡା, ସିଫା ୟୁନିୟନର ଦେବେନ୍ଦ୍ର ମଲ୍ଲିକ, ହାଇଟେକ୍ ହସ୍ପିଟାଲ ୟୁନିୟନର ସୁରେନ୍ଦ୍ର ଭୋଇ, ବାଣିଜ୍ୟ କର୍ମଚାରୀ ସଂଘ ନେତା ଦେବେନ୍ଦ୍ର ବେହେରା, ବିଡିଏ କର୍ମଚାରୀ ସଂଘ ନେତା ସର୍ବେଶ୍ବର ମହାନ୍ତି, ଗୋବର୍ଦ୍ଧନ ପୃଷ୍ଟି, ଗ୍ରୁପ୍ ୪ ସିକ୍ୟୁରିଟି କର୍ମଚାରୀ ସଂଘ ନେତା ଦିବ୍ୟରଂଜନ ସେଠୀ ପ୍ରମୁଖ ଆନ୍ଦୋଳନ କରି ଗିରଫ ହୋଇଥିଲେ।

ସମ୍ବନ୍ଧିତ ଖବର