ଶେଷ ହେଲା ‘ଭାରତ ରଙ୍ଗ ମହୋତ୍ସବ’: କାଳିଦାସ ଓ ମଲ୍ଲିକାଙ୍କ ପ୍ରେମକଥା

ଭୁବନେଶ୍ବର: ପ୍ରଖ୍ୟାତ କବି କାଳିଦାସ। ପ୍ରକୃତି ସହ ସେ ଭଲ ପାଆନ୍ତି ମଲ୍ଲିକାଙ୍କୁ। ମଲ୍ଲିକାଙ୍କ ପ୍ରେରଣାରେ କାଳିଦାସଙ୍କ ଲେଖନୀରୁ ଝରି ପଡ଼େ କାଳଜୟୀ କବିତା। ତାଙ୍କ କବିତା ଉଜ୍ଜୟିନୀରେ ଉଚ୍ଚ ପ୍ରଶଂସିତ ହୁଏ ଓ ରାଜପ୍ରାସାଦରେ ରାଜ କବି ଭାବେ ରହିବାକୁ ପ୍ରସ୍ତାବ ମିଳେ। କାଳିଦାସ କିନ୍ତୁ ଗାଁ ଛାଡ଼ି ଉଜ୍ଜୟିନୀ ଯିବାକୁ ଚାହାନ୍ତି ନାହିଁ। ହେଲେ ଗାଁ ଛାଡ଼ି ରାଜପ୍ରାସାଦ ଗଲେ କାଳିଦାସ ଜଣେ ପ୍ରସିଦ୍ଧ କବି ହେବାର ବଡ଼ ସମ୍ଭାବନା ବି ରହିଛି। ତେଣୁ ଗାଁ ଛାଡ଼ି ଉଜ୍ଜୟିନୀ ଯିବାକୁ କାଳିଦାସଙ୍କୁ କୁହନ୍ତି ମଲ୍ଲିକା। ଇଚ୍ଛା ନଥିଲେ ବି ମଲ୍ଲିକାଙ୍କ କଥା ମାନି କାଳିଦାସ ଉଜୟିନୀ ଯାଆନ୍ତି। କିଛି ଦିନ ଭିତରେ ଜଣେ ପ୍ରସିଦ୍ଧ କବି ଭାବେ ପରିଚୟ ମଧ୍ୟ ପାଆନ୍ତି। ପରେ ପରିସ୍ଥିତିରେ ପଡ଼ି ଉଜ୍ଜୟିନୀର ରାଜକୁମାରୀଙ୍କୁ ବିବାହ କରନ୍ତି। କାଳିଦାସ ଗାଁକୁ ଆଉ ଫେରନ୍ତି ନାହିଁ। ଅନ୍ୟପଟେ ମଲ୍ଲିକା ତାଙ୍କ ଆସିବା ବାଟକୁ ଅପେକ୍ଷା କରି ରୁହନ୍ତି। ସେ ବିଶ୍ୱାସ କରନ୍ତି ଯେ ଦିନେ ନା ଦିନେ କାଳିଦାସ ତାଙ୍କ ପାଖକୁ ଫେରିବେ। କିଛି ବର୍ଷ ପରେ କାଳିଦାସ ମଲ୍ଲିକାଙ୍କ ପାଖକୁ ଫେରି ଆସନ୍ତି। କାଳିଦାସ ତାଙ୍କୁ କୁହନ୍ତି, ସେ ରାଜପ୍ରାସାଦରେ ଗୋଟିଏ ଧାଡ଼ି ଲେଖି ପାରିବାର ସମର୍ଥ ହୋଇ ପାରିନାହାନ୍ତି। ଯାହା ବି ସେ ଲେଖିଛନ୍ତି ତାହା ମଲ୍ଲିକା ଓ ଗାଁ ଦ୍ବାରା ଅନୁପ୍ରେରିତ। ହଠାତ୍ କାଳିଦାସ ଜାଣିବାକୁ ପାଆନ୍ତି ଯେ ମଲ୍ଲିକା ମା’ ହୋଇ ସାରିଛନ୍ତି। ସମାଜ ଓ ସାମାଜିକ ପ୍ରଥାର ବହୁ ଊର୍ଦ୍ଧ୍ବରେ ଥିବା କବି କାଳିଦାସ ଓ ମଲ୍ଲିକାଙ୍କ ପ୍ରେମ କାହାଣୀକୁ ନେଇ ଆଜି ରବୀନ୍ଦ୍ର ମଣ୍ଡପରେ ମଞ୍ଚସ୍ଥ ହୋଇଥିଲା ‘ଆଷାଢ଼ସ୍ୟ ପ୍ରୋଥମ ଦିବସେ’। ମୋହନ ରାକେଶଙ୍କ ରଚିତ ବହୁ ଚର୍ଚ୍ଚିତ ଏହି ନାଟକକୁ ବାଙ୍ଗଲାଦେଶର ‘ଥିଏଟର ଫ୍ୟାକ୍ଟ୍ରି’ ନାଟ୍ୟ ସଂସ୍ଥାର କଳାକାରମାନେ ପରିବେଷଣ କରିଥିଲେ। ନାଟକର ନିର୍ଦ୍ଦେଶନା ଦେଇଥିଲେ ଆଲୋକ ବସୁ।

ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଅଧୀନ ନୂଆଦିଲ୍ଲୀସ୍ଥିତ ନ୍ୟାସନାଲ ସ୍କୁଲ୍ ଅଫ୍‌ ଡ୍ରାମା (ଏନ୍‌ଏସ୍‌ଡି) ଓ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ମିଳିତ ସହଯୋଗରେ ଅନୁଷ୍ଠିତ ‘ଭାରତ ରଙ୍ଗ ମହୋତ୍ସବ’ର ଉଦ୍‌ଯାପନୀ ସନ୍ଧ୍ୟାରେ ଅତିଥି ଭାବେ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟର ଯୁଗ୍ମ ସଚିବ ଉମା ନନ୍ଦୁରୀ, ସଙ୍ଗୀତ ନାଟକ ଏକାଡେମୀର ସଭାପତି ଗୁରୁ ଅରୁଣା ମହାନ୍ତି, ଏକାଡେମୀର ସଚିବ ପ୍ରବୋଧ ରଥ, ଅଭିନେତ୍ରୀ ଅନୁ ଚୌଧୁରୀ ଓ ଅଭିନେତା ତଥା ମହୋତ୍ସବର ଓଡ଼ିଶା ସଂଯୋଜକ ସମରେଶ ରାଉତରାୟ ପ୍ରମୁଖ ଯୋଗଦେଇଥିଲେ।

ସମ୍ବନ୍ଧିତ ଖବର