ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ କୃଷକ ଓ ଶ୍ରମିକ ବିରୋଧୀ ନୀତି ବିରୁଦ୍ଧରେ ସଂଯୁକ୍ତ କିଷାନ ମୋର୍ଚ୍ଚା ଓ କେନ୍ଦ୍ରୀୟ ଟ୍ରେଡ଼ ୟୁନିୟନମାନଙ୍କର ମିଳିତ ମଞ୍ଚ ତରଫରୁ ଦିଆଯାଇଥିବା ଗ୍ରାମୀଣ ଭାରତ ବନ୍ଦ ଡାକରା ଭୁବନେଶ୍ବରରେ ପ୍ରଭାବଶୂନ୍ୟ ହୋଇଛି। ଏହି ଭାରତ ବନ୍ଦ ଡାକରାକୁ ସଫଳ କରିବା ପାଇଁ ଆଜି ସକାଳେ ଅଶୋକନଗରସ୍ଥିତ ସିପିଆଇର ରାଜ୍ୟ ଅଫିସ୍ ଭଗବତୀ ଭବନଠାରୁ ଏକ ଶୋଭାଯାତ୍ରାରେ ଯାଇ ୮ଟାରୁ ୯ଟା ପର୍ଯ୍ୟନ୍ତ ଏକ ଘଣ୍ଟାକାଳ ଭୁବନେଶ୍ୱର ରେଳଷ୍ଟେସନରେ ବିକ୍ଷୋଭ ପ୍ରଦର୍ଶନ କରିଥିଲା। ଏଥିରେ କୃଷକ ସଭାର ସମ୍ପାଦକ କ୍ଷୀରୋଦ ସିଂହଦେଓ, ଏଆଇଟିୟୁସି ରାଜ୍ୟ ସମ୍ପାଦକ ବିଜୟ ଜେନା, ବିକେଏମ୍‌ୟୁ ରାଜ୍ୟ ସମ୍ପାଦକ ସୁର ଜେନା, ଆଶାକର୍ମୀ ରାଜ୍ୟ ସମ୍ପାଦିକା ନମିତା ସାହୁ ଓ ବିକେଏମ୍‌ୟୁ ସହସମ୍ପାଦକ ଶଙ୍କର ବାରିକ ପ୍ରମୁଖ ବିକ୍ଷୋଭର ନେତୃତ୍ୱ ନେଇଥିଲେ। ବିକ୍ଷୋଭକାରୀମାନେ ରେଳ ଷ୍ଟେସନ ପରେ ମାଷ୍ଟରକ୍ୟାଣ୍ଟିନ ଓ ଅଶୋକନଗରର ବିଭିନ୍ନ ସ୍ଥାନରେ ପିକେଟିଂ କରିଥିଲେ। ୧୧ଟା ବେଳେ ରାଜ୍ୟ ସିପିଆଇ ଅଫିସ୍‌ଠାରୁ ବିଭିନ୍ନ ଗଣସଙ୍ଗଠନର ଏକ ଶୋଭାଯାତ୍ରା ବାହାରି ରାଜମହଲ ଛକଠାରେ ପିକେଟିଂ କରି ଲୋୟର ପିଏମ୍‌ଜିଠାରେ ଏକ ପ୍ରତିବାଦ ସଭା କରିଥିଲେ। ସଂଯୁକ୍ତ କିଷାନ ମୋର୍ଚ୍ଚା ତରଫରୁ ସୁରେଶ ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମାବେଶରେ ଅଖିଳ ଭାରତ କୃଷକ ସଭାର ଜାତୀୟ ଉପସଭାପତି ଆଶିଷ କାନୁନ୍‌ଗୋ, ଏଆଇଟିୟୁସିର ରାଜ୍ୟ ସାଧାରଣ ସମ୍ପାଦକ ବିଜୟ ଜେନା, କ୍ଷୀରୋଦ ସିଂହଦେଓ, ସୁର ଜେନା, ଦୁଷ୍ମନ୍ତ ଦାସ, ପୂର୍ଣ୍ଣଚନ୍ଦ୍ର ବେହେରା, ମହେନ୍ଦ୍ର ପରିଡ଼ା, ପୂର୍ଣ୍ଣଚନ୍ଦ୍ର ପାଢ଼ୀ, ରାଧାକାନ୍ତ ସେଠୀ, ଜୟସେନ ମେହେର, ଆଇଏନଟିୟୁସିର ଶ୍ୟାମସୁନ୍ଦର ମହାପାତ୍ର ପ୍ରମୁଖ ସାମିଲ ହୋଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଛେତମ୍ବର ଭୋଇ, ଦେବ ସାହୁ, କୈଳାସ ପୁହାଣ, ମମତା ପଣ୍ଡା, ଗୀତାଞ୍ଜଳି ପ୍ରଧାନ, ସ୍ୱର୍ଣ୍ଣଲତା ପାଇକରାୟ, ମମତା ରାଉତ, ମଞ୍ଜୁବାଳା ଭୋଇ, ବାସନ୍ତୀ ପଣ୍ଡା, ଟୁନି ବାନସିଂ, ବସନ୍ତ ସେଠୀ, ରୋଜିଦା ବେଗମ୍ ପ୍ରମୁଖ ପିକେଟିଂର ନେତୃତ୍ୱ ନେଇଥିଲେ। ଭୁବନେଶ୍ୱର ଇଷ୍ଟକୋଷ୍ଟ ରେଳବାଇର ମୁଖ୍ୟାଳୟ, ରେଳ ସଦନ, ଇଣ୍ଡିଆନ ଅଏଲ କର୍ପୋରେସନ, ନାଲ୍‌କୋ ପ୍ରଭୃତି ଅଫିସ୍‌ ସମ୍ମୁଖରେ ସିଆଇଟିୟୁ ଓ ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତି ତରଫରୁ ପିକେଟିଂ କରାଯାଇଥିଲା। ଏଥିରେ ସିପିଆଇ (ଏମ) ରାଜ୍ୟ ସଂପାଦକ ମଣ୍ଡଳୀ ସଭ୍ୟ ସନ୍ତୋଷ ଦାସ, ସିଆଇଟିୟୁ ଜିଲ୍ଲା ସଭାପତି ସୁରେଶ ଚନ୍ଦ୍ର ରାଉତରାୟ, ପ୍ରଭାତ ପାଣିଗ୍ରାହୀ, ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତିର ଜିଲ୍ଲା ସଭାନେତ୍ରୀ ମିନତୀ ପାଣିଗ୍ରାହୀ, ସଂପାଦିକା ନୟନା ନାୟକ, ବିମଳୀ ନାୟକ, ମନୋରଞ୍ଜନ ସାହୁ, ଭାଗିରଥି ପ୍ରଧାନ ସମେତ କର୍ମୀ, ସମର୍ଥକ ଭାଗନେଇଥିଲେ।