ଭୁବନେଶ୍ବର: ପ୍ରାଚୀ ନଦୀ କୂଳରେ ଗଢ଼ି ଉଠିଥିଲା ପ୍ରାଚୀନ ସଭ୍ୟତା। ନଦୀକୂଳର ଲୋକେ ବସବାସ କରୁଥିଲେ। ଚାଷ କରିବା ସହ ପଶୁପକ୍ଷୀଙ୍କୁ ଶିକାର ମଧ୍ୟ କରୁଥିଲେ। ଶିକାର ଲାଗି ସେମାନେ ଅସ୍ତ୍ରଶସ୍ତ୍ର ବ୍ୟବହାର କରୁଥିଲେ। ପଥର ବଦଳରେ ପଶୁଙ୍କ ହାଡ଼ରେ ତିଆରି ବର୍ଚ୍ଛା ଓ ତୀର ପ୍ରସ୍ତୁତ କରି ମାଛ ଓ ପକ୍ଷୀ ଶିକାର କରୁଥିଲେ। ଶିକାର କରିବା ପରେ ମା˚ସ ପୋଡ଼ି ମାଟି ପାତ୍ରରେ ଖାଉଥିବା ନେଇ ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସ˚ସ୍ଥା(ଏଏସ୍ଆଇ)ର ଉତ୍ଖନନ ଶାଖା-୪ ପକ୍ଷରୁ ଅନୁସନ୍ଧାନ ବେଳେ ଜଣାପଡ଼ିଥିଲା। ୨୦୧୮ ଜାନୁଆରିରେ ନିଆଳିଠାରୁ ୪ କିମି ଦୂରରେ ଅବସ୍ଥିତ ଜଲ୍ଲାରପୁର ଗ୍ରାମ ନିକଟ ଭାରତୀହୁଡ଼ାରେ ଉତ୍ଖନନ ସମୟରେ ଏଭଳି ତଥ୍ୟ ପଦାକୁ ଆସିଥିଲା।
ଏହାର ଦେଢ଼ ବର୍ଷ ପରେ ଉତ୍ଖନନ ସମୟରେ ମିଳିଥିବା ଏକ ମାଟିପାତ୍ରରୁ ଆଉ କିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ ପଦାକୁ ଆସିଛି। ୩ ହଜାର ବର୍ଷ ପୂର୍ବରୁ ପ୍ରାଚୀ ନଦୀ ଉପତ୍ୟକାରେ ସୂର୍ଯ୍ୟ ଉପାସନା ଚାଲିଥିବା ନେଇ ପ୍ରମାଣ ମିଳିଛି। ଭାରତୀହୁଡ଼ାରୁ ମିଳିଥିବା ମାଟିପାତ୍ର ଉପରେ ଏକ ସୂର୍ଯ୍ୟଙ୍କ ଚିତ୍ର ରହିଛି। ଇଣ୍ଟର ୟୁନିଭରସିଟି ଆସିଲେରେଟର ସେଣ୍ଟର(ଆଇୟୁଏସି) ଦ୍ବାରା ଏହାର ଏଏମ୍ଏସ୍ ଡେଟିଂ କରାଯିବା ପରେ ସେଥିରୁ ଜଣାପଡ଼ିଛି ଯେ ମାଟି ପାତ୍ରରେ ଖୋଦିତ ହୋଇଥିବା ସୂର୍ଯ୍ୟଙ୍କର ଚିତ୍ର ଖୀଷ୍ଟ୍ରପୂର୍ବ ୧୦୯୯ର। ଅର୍ଥାତ୍ ଆଜକୁ ୩୧୦୦ ବର୍ଷ ପୂର୍ବରୁ ଏଠାରେ ବସବାସ କରୁଥିବା ଲୋକେ ସୂର୍ଯ୍ୟଙ୍କ ଉପାସନା କରୁଥିଲେ। ଯେଉଁ ସ୍ଥାନରୁ ଏଭଳି ତଥ୍ୟ ମିଳିଛି, ତାହା କୋଣାର୍କ ସୂର୍ଯ୍ୟ ମନ୍ଦିରଠାରୁ ମାତ୍ର ୩୦ କିମି ଦୂରରେ ଅବସ୍ଥିତ। ଏଥିସହ ପ୍ରତିବର୍ଷ ମାଘ ସପ୍ତମୀରେ ରାଜ୍ୟ ଓ ରାଜ୍ୟ ବାହାରର ଶ୍ରଦ୍ଧାଳୁ ଚନ୍ଦ୍ରଭାଗାରେ ବୁଡ଼ ପକାଇ ସୂର୍ଯ୍ୟଙ୍କ ଉପାସନା କରିଥାନ୍ତି, ଯାହାକି ଏବେ ବି ଜାରି ରହିଛି। ତେଣୁ କୋଣାର୍କ ଓ ଚନ୍ଦ୍ରଭାଗାରେ ଶ୍ରଦ୍ଧାଳୁଙ୍କ ବୁଡ଼ ପରମ୍ପରା ସହ ପ୍ରାଚୀ ନଦୀ ଅଞ୍ଚଳର ସମ୍ପର୍କ ରହିଛି ବୋଲି ଅନୁମାନ କରାଯାଉଛି।
ସୂଚନାଯୋଗ୍ୟ ଯେ ଉତ୍ଖନନ ବେଳେ ମିଳିଥିବା ବର୍ଚ୍ଛା ଓ ତୀର ମଧ୍ୟ ୩ ହଜାର ବର୍ଷ ତଳର ବୋଲି ମଧ୍ୟ ଜଣାପଡ଼ିଛି। ୯୦ ଦଶକରେ ଗୋଳବାଇ ଶାସନଠାରେ ଉତ୍ଖନନ ବେଳେ ହାଡ଼ରେ ପ୍ରସ୍ତୁତ ବର୍ଚ୍ଛା ଓ ତୀର ମିଳିଥିଲା। କିନ୍ତୁ ତାହା ସ୍ପଷ୍ଟ ହୋଇପାରି ନଥିଲା। ଭାରତୀହୁଡ଼ାରୁ ହାଡ଼ ତିଆରି ବର୍ଚ୍ଛା ଓ ତୀର ମିଳିବା ପରେ ସ୍ପଷ୍ଟ ହୋଇଛି ଯେ ଓଡ଼ିଶାରେ ତାମ୍ରପ୍ରସ୍ତର ଯୁଗର ସଭ୍ୟତା ରହିଥିଲା। ପୂର୍ବ ଭାରତରେ ୩ ହଜାର ବର୍ଷ ତଳେ ସୂର୍ଯ୍ୟଙ୍କ ଉପାସନା ନେଇ ତଥ୍ୟ ମିଳିବା ବିରଳ ଘଟଣା ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ଉତ୍ଖନନ ଶାଖାର ମୁଖ୍ୟ ପତ୍ନତତ୍ତ୍ବବିତ୍ ଡ. ଦିବିଷଦ୍ ଗଡ଼ନାୟକଙ୍କ କହିଛନ୍ତି ଯେ ସାଢ଼େ ୩ ହଜାର ବର୍ଷ ତଳେ ପ୍ରାଚୀ ନଦୀ କୂଳରେ ସଭ୍ୟତା ଗଢ଼ି ଉଠିଥିବା ଜଣାପଡ଼ିଥିଲା। ଏବେ ମାଟି ପାତ୍ରରୁ ସୂର୍ଯ୍ୟ ଉପାସନା ସମ୍ପର୍କରେ ନୂଆଦିଲ୍ଲୀସ୍ଥିତ ଆଇୟୁଏସିରେ ପରୀକ୍ଷା ପରେ ପ୍ରକୃତ ତଥ୍ୟ ପଦାକୁ ଆସିଛି। ଅଧିକ ଗବେଷଣା କ୍ଷେତ୍ରରେ ଏହା ସହାୟକ ହେବ। ଦୁଇ ମିଟର ଉତ୍ଖନନ କରାଯିବା ପରେ ଏହି ମାଟି ପାତ୍ର ମିଳିଥିଲା। ଯେଉଁଥିରେ ସୂର୍ଯ୍ୟଙ୍କ ଚିତ୍ର ଥିଲା। ତାହାର ଅଧିକ ପରୀକ୍ଷା ଲାଗି ଆଇୟୁଏସିକୁ ପଠାଯାଇଥିଲା। ଏବେ ତାହାର ରିପୋର୍ଟ ଆସିଛି।